ଭାରତ ବାୟୋଟେକର ନାକରେ ପଡ଼ୁଥିବା କରୋନା ଟିକାର ପରୀକ୍ଷଣ ଲାଗି ଡିସିଜିଆଇଙ୍କ ମଂଜୁରୀ

୯ଟି ସ୍ଥାନରେ ୯୦୦ ଲୋକଙ୍କଠାରେ ପରୀକ୍ଷଣ ହେବ

ନୂଆଦିଲ୍ଲୀ :  ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ ଇଣ୍ଟ୍ରାନାଜାଲ ବା ନାକରେ ପଡ଼ୁଥିବା କରୋନା ଟିକାର ପରୀକ୍ଷଣ ଲାଗି ଭାରତୀୟ ଔଷଧ ମହାନିୟନ୍ତ୍ରକ ବା ଡିସିଜିଆଇ ମଂଜୁରୀ ଦେଇଛନ୍ତି । ଦେଶର ୯ଟି ସ୍ଥାନରେ ପ୍ରାୟ ୯୦୦ ଲୋକଙ୍କ ଶରୀରରେ ଏହି ଟୀକାର ପରୀକ୍ଷଣ ହେବ ।

ଏହା ପୂର୍ବରୁ ଡିସିଜିଆଇଙ୍କ ସବଜେକ୍ଟ ଏକ୍ସପର୍ଟ ଆପ୍ରାଇଜାଲ କମିଟି (ଏସଇସି) ଏହି ଇଣ୍ଟ୍ରାନାଜାଲ କରୋନା ଟିକାର ବୁଷ୍ଟର ଡୋଜର ୩ୟ ପର୍ଯ୍ୟାୟ ପରୀକ୍ଷଣ ଲାଗି ନୀତିଗତ ନିଷ୍ପତ୍ତି ନେଇଥିଲେ । ଯେଉଁମାନେ ପୂର୍ବରୁ କୋଭାକ୍ସିନ କିମ୍ବା କୋଭିସିଲଡର ୨ଟି ଯାକ ଟିକା ନେଇଥିବେ ସେମାନଙ୍କ ପାଇଁ ଏହି ଇଣ୍ଟ୍ରାନାଜାଲ ବୁଷ୍ଟର ଡୋଜ ପାଇଁ ଭାରତ ବାୟୋଟେକ ପ୍ରସ୍ତାବ ଦେଇଥିଲା । ଏହି ପରୀକ୍ଷଣ ସଫଳହେଲେ ଟିକାଦାନ ପ୍ରକ୍ରିୟା ଦ୍ରୁତତର ହୋଇପାରିବ ।

ଗତକାଲି ଡିସିଜିଆଇ ଉଭୟ କୋଭାକ୍ସିନ ଓ କୋଭିସିଲଡ ଟିକାର ନିୟମିତ ବଜାର ଅନୁମତି ପ୍ରଦାନ କରିଥିଲେ । ଏହା ଫଳରେ ଏସବୁ ଟିକା ଔଷଧ ଦୋକାନରେ ମିଳିପାରିବ ।

ଗତ ବର୍ଷ ଉଭୟ କୋଭାକ୍ସିନ ଓ କୋଭିସିଲଡ ଟିକାକୁ ଡିସିଜିଆଇ  ପକ୍ଷରୁ ଜରୁରୀକାଳୀନ ବ୍ୟବହାର ଅନୁମତି ପ୍ରଦାନ କରାଯାଇଥିଲା । ନିୟମିତ ବଜାର ଅନୁମତି ପାଇଁ ଉଭୟ ସେରମ ଇନଷ୍ଟିଚ୍ୟୁଟ୍ ଓ ଭାରତ ବାୟୋଟେକ ବହୁଦିନ ହେଲା ଦାବି କରିଆସୁଥିଲେ । ଗତ ବର୍ଷ ଅକ୍ଟୋବର ୨୫ରେ ସେରମ ପକ୍ଷରୁ ନିୟମିତ ବଜାର ଅନୁମତି ପାଇଁ ଆବେଦନ କରାଯାଇଥିଲା ।

ସମ୍ବନ୍ଧିତ ଖବର