ଆମେରିକାରେ କୋଭାକ୍ସିନର କ୍ଲିନିକାଲ ପରୀକ୍ଷଣ କରିବ ଭାରତ ବାୟୋଟେକ୍

ହାଇଦ୍ରାବାଦ : ଭାରତର ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ କରୋନା ଟିକା କୋଭାକ୍ସିନକୁ ଜରୁରୀକାଳୀନ ଅନୁମତି ଦେବାକୁ ଆମେରିକାର ଔଷଧ ନିୟାମକ (ୟୁଏସଏଫଡିଏ) ମନା କରିବା ପରେ ବି ଆଶା ଛାଡ଼ିନି ଏହି ଟିକାର ନିର୍ମାତା ଭାରତ ବାୟୋଟେକ୍  । କମ୍ପାନି ପକ୍ଷରୁ ଆଜି କୁହାଯାଇଛି ଯେ ଆମେରିକାରେ କୋଭାକ୍ସିନର କ୍ଲିନିକାଲ ଟ୍ରାଏଲ ବା ନୈଦାନିକ ପରୀକ୍ଷଣ କରାଯିବ ।

ଏହା ସହିତ କମ୍ପାନି ପକ୍ଷରୁ କୁହାଯ଼ାଇଛି ଯେ କୋଭାକ୍ସିନର ୩ୟ ପର୍ୟ୍ୟାୟ ପରୀକ୍ଷଣ ତଥ୍ୟର ଅନୁଶୀଳନ ଓ ସଂକଳନ ଚାଲିଛି । ଖୁବଶୀଘ୍ର ଏହାକୁ ପ୍ରକାଶ କରାଯିବ । ଗତକାଲି ନିତି ଆୟୋଗ ସଦସ୍ୟ (ସ୍ବାସ୍ଥ୍ୟ) ତଥା ସରକାରଙ୍କ ଟିକାକରଣ ଟାସ୍କଫୋର୍ସର ଅଧ୍ୟକ୍ଷ ଡ. ଭି.କେ. ପଲ କହିଥିଲେ ଯେ ଆସନ୍ତା ୭ରୁ ୮ ଦିନ ମଧ୍ୟରେ କୋଭାକ୍ସିନର ୩ୟ ପର୍ୟ୍ୟାୟ ପରୀକ୍ଷଣ ଫଳାଫଳ ପ୍ରକାଶ ପାଇବ ।

ଦୁଇଦିନ ତଳେ ଆମେରିକାର ଔଷଧ ନିୟାମକ ୟୁଏସ ଫେଡେରାଲ ଡ୍ରଗ ଆଡମିନିଷ୍ଟ୍ରେସନ (ୟୁଏସଏଫଡିଏ) କୋଭାକ୍ସିନକୁ ଜରୁରୀକାଳୀନ ଅନୁମତି ଦେବାକୁ ମନା କରିଦେଇଥିଲା । ତେବେ ଏହା ଭାରତରେ କୋଭାକ୍ସିନର ଟିକାକରଣ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

 

ସମ୍ବନ୍ଧିତ ଖବର