ନୂଆଦିଲ୍ଲୀ : ଭାରତର ପ୍ରସିଦ୍ଧ ଐତିହ୍ୟ ସ୍ଥଳ ଲାଲ କିଲ୍ଲା ଦୁର୍ଗକୁ ଡାଲମିଆ ଭାରତ ଗ୍ରୁପ୍ ଆସନ୍ତା ୫ ବର୍ଷ ପାଇଁ ଠିକାରେ ପୋଷ୍ୟ କରିନେଇଛି। ଏହି ଲିଜ୍ ପାଇଁ ଡାଲମିଆ ଗ୍ରୁପ୍ କେନ୍ଦ୍ର ସରକାରଙ୍କୁ ୨୫ କୋଟି ଟଙ୍କା ପ୍ରଦାନ କରିଛି। ଡାଲମିଆ ଭାରତ ଲିମିଟେଡ୍ ଏ ବାବଦରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ ସହ ଏକ ରାଜିନାମା ସ୍ୱାକ୍ଷର କରିଛି। ଭାରତ ସରକାରଙ୍କ ‘ଆଡପ୍ଟ ଏ ହେରିଟେଜ୍’ ଯୋଜନା ଅଧୀନରେ ଡାଲମିଆ ଭାରତ ଲିମିଟେଡ୍ ଏହି ଐିତିହାସିକ କୀର୍ତ୍ତିକୁ ପୋଷ୍ୟ କରିଥିବା ବେଳେ ଏହି ଦୌଡ଼ରେ ଇଣ୍ଡିଗୋ ଏୟାରଲାଇନ୍୍ସ ଏବଂ ଜିଏମ୍୍ଆର ଗ୍ରୁପ୍ ମଧ୍ୟ ସାମିଲ ଥିଲେ।
ଅନ୍ୟପକ୍ଷରେ ଲାଲ କିଲ୍ଲାକୁ ସରକାର ଠିକାରେ ପୋଷ୍ୟ କରାଇଥିବାରୁ କଂଗ୍ରେସ ଦଳ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛି। ସରକାର ଭାରତର ଐତିହାସିକ ସ୍ଥଳର ଘରୋଇକରଣ କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରି କହିଛି ଯେ ଲାଲ କିଲ୍ଲାକୁ ଡାଲମିଆ ଗ୍ରୁପ୍କୁ ଦେବାପରେ ବିଜେପି ସରକାର ଆଉ କେଉଁ କେଉଁ ଐତିହ୍ୟ ସ୍ଥଳକୁ ଘରୋଇ କମ୍ପାନିକୁ ଲିଜ୍ରେ ଦେବା ନେଇ ସ୍ଥିର କରିଛି ତାହା ସାର୍ବଜନୀନ ହେବା ଆବଶ୍ୟକ।
କଂଗ୍ରେସର ଏହି ଅଭିଯୋଗକୁ ଖଣ୍ଡନ କରି ସରକାର କହିଛନ୍ତି ଯେ ଡାଲମିଆ ଭାରତ ଗ୍ରୁପ୍ ଦ୍ୱାରା ଯେଉଁ ରାଜିନାମା ସ୍ୱାକ୍ଷର ହୋଇଛି ତାହା କୌଣସି ଲାଭଜନକ କାର୍ଯ୍ୟକ୍ରମ ଉଦ୍ଦେଶ୍ୟରେ ହୋଇନାହିଁ। କେନ୍ଦ୍ର ମନ୍ତ୍ରୀ ମହେଶ ଶର୍ମା କହିଛନ୍ତି ଯେ ଭାରତ ଡାଲମିଆ ଗ୍ରୁପ୍ ସହ ଯେଉଁ ରାଜିନାମା ସ୍ୱାକ୍ଷର ହୋଇଛି ତାହା କେବଳ ବିକାଶ କାର୍ଯ୍ୟକୁ ଦୃଷ୍ଟିରେ ରଖି କରାଯାଇଛି। ଭାରତ ଡାଲମିଆ ଗ୍ରୁପ୍ ମୋଗଲ୍ ଯୁଗର ଏହି ଐତିହାସିକ ଦୁର୍ଗକୁ ପୋଷ୍ୟ କରିନେବା ଫଳରେ ଅନେକ ବିକାଶମୂଳକ ପଦକ୍ଷେପ ଗ୍ରହଣ କରିବ। ଏନେଇ ରାଜିନାମା ସ୍ୱାକ୍ଷର କରି ଡାଲମିଆ ଭାରତ ଲିମିଟେଡ୍ ‘ମନୁମେଣ୍ଟ୍ ମିତ୍ର’ର ଅଂଶୀଦାର ହୋଇଛି।
ଉଲ୍ଲେଖଯୋଗ୍ୟ ଗତବର୍ଷ ସେପ୍୍ଟେମ୍ବର ୨୭ ତାରିଖ ବିଶ୍ୱ ପର୍ଯ୍ୟଟନ ଦିବସରେ ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ‘ଆଡପ୍ଟ ଏ ହେରିଟେଜ୍’ ଯୋଜନା ଆରମ୍ଭ ହୋଇଥିଲା। ଏହି ନୂଆ ଯୋଜନା ଅଧୀନରେ ବିଭିନ୍ନ ଘରୋଇ ଏବଂ ସରକାରୀ କମ୍ପାନିଗୁଡ଼ିକ ଐତିହାସିକ ସ୍ଥଳକୁ ପୋଷ୍ୟ ଭାବେ ଗ୍ରହଣ କରି ଏହାର ବିକାଶ ଦାୟିତ୍ୱ ହାତକୁ ନେଉଛନ୍ତି।
ମିଳିଥିବା ସୂଚନା ‘ଆଡପ୍ଟ ଏ ହେରିଟେଜ୍’ ଯୋଜନାରେ ସରକାର ଏଭଳି ଶହେଟି ଐତିହ୍ୟସ୍ଥଳୀର ତାଲିକା ପ୍ରସ୍ତୁତ କରିଛନ୍ତି। ଏଥିରେ ରହିଛି କୋଣାର୍କର ସୁପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର। ଏହାକୁ ୫ ବର୍ଷିଆ ଲିଜ୍ରେ ନେବାପାଇଁ ଅନେକ କର୍ପୋରେଟ୍ ସଂସ୍ଥା ଆଗ୍ରହୀ ଅଛନ୍ତି। ତେବେ ଡାଲମିଆ ଭାରତ ଗୁପ୍ ଏହି ଦୌଡ଼ରେ ଆଗରେ ଥିବା ଜଣାପଡ଼ିଛି।
ଆଇଟିସି ମାଗିଲା ତାଜମହଲ
ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ‘ ଆଡପ୍ଟ ଏ ହେରିଟେଜ’ ଯୋଜନା ମାଧ୍ୟମରେ ଘରୋଇ କମ୍ପାନି ଡାଲମିଆ ଗ୍ରୁପ ଐତିହାସିକ ଲାଲ କିଲ୍ଲା ଦୁର୍ଗକୁ ୫ବର୍ଷ ପାଇଁ ଲିଜ୍ରେ ନେଇଥିବା ବେଳେ ଏବେ ତାଜମହଲର ରକ୍ଷଣାବେକ୍ଷଣ ଦାୟିତ୍ୱ ନେବା ପାଇଁ ଆଇଟିସି ଓ ଜିଏମ୍ଆର ଗ୍ରୁପ ସରକାରଙ୍କୁ ନିବେଦନ କରିଛନ୍ତି। ତେବେ ଶହଶହ ବର୍ଷ ପୁରୁଣା ଏହି ସବୁ ଐତିହ୍ୟ ସ୍ଥଳର ଦାୟିତ୍ୱ ଘରୋଇ କମ୍ପାନି ହାତରେ ଟେକିଦେବା କେତେଦୂର ଯଥାର୍ଥ ହେବ ବୋଲି ବିଭିନ୍ନ ମହଲ ପ୍ରଶ୍ନ ଉଠାଇଛନ୍ତି। ଆଗ୍ରାର ତାଜମହଲକୁ ଲିଜ୍ ଦେଲେ ଏହାକୁ ବିଭିନ୍ନ ସଂଗଠନ ପ୍ରତିବାଦ କରିବା ଆଶଙ୍କା ସୃଷ୍ଟି ହୋଇଛି।
ଲିଜ୍ ପଛରେ କମ୍ପାନି ପ୍ରୀତି!
ନୂଆଦିଲ୍ଲୀ : ଐତିହ୍ୟସ୍ଥଳୀଗୁଡ଼ିକୁ କର୍ପୋରେଟ କମ୍ପାନି ହାତରେ ଟେକିଦେବା ପଛରେ କେନ୍ଦ୍ର ସରକାରଙ୍କ କମ୍ପାନି ପ୍ରୀତି ଥିବା ଅଭିଯୋଗ ହେଉଛି। ୨୦୧୬ ମସିହାରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା ଲୋକସଭାରେ ଦେଇଥିବା ଉତ୍ତର ମୁତାବକ, ୨୦୧୩ରୁ ୨୦୧୬ ମସିହା ମଧ୍ୟରେ ତାଜମହଲରୁ ପ୍ରତ୍ନତତ୍ତ୍ୱ ବିଭାଗ ମୋଟ ୭୫ କୋଟି ଟଙ୍କା ରୋଜଗାର କରିଥିଲା। ଏହି ତିନିବର୍ଷରେ ତାଜମହଲର ରଙ୍ଗ କାର୍ଯ୍ୟ ମଧ୍ୟ ହୋଇଥିଲା। ଯାହାକି ସବୁଠାରୁ ବଡ଼ ଖର୍ଚ୍ଚ ଥିଲା। ତେବେ ଏହି ସମୟ ମଧ୍ୟରେ ତାଜମହଲରେ ସରକାରଙ୍କ ପକ୍ଷରୁ ମୋଟ ୧୧ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହି ୩ ବର୍ଷରେ ଐତିହ୍ୟସ୍ଥଳୀ ତାଜମହଲର ରକ୍ଷଣାବେକ୍ଷଣକୁ ଛାଡ଼ିି ସରକାର ମୋଟ ୬୪ କୋଟି ଟଙ୍କା ରୋଜଗାର କରିଛନ୍ତି। ସେପଟେ ଲାଲ କିଲ୍ଲାରୁ ୨୦୧୩-୧୪ ମସିହାରେ ବିନା କୌଣସି ଖର୍ଚ୍ଚରେ ସରକାର ମୋଟ ୭କୋଟି ଟଙ୍କା ରୋଜଗାର କରିଥିଲେ। ଅର୍ଥାତ୍ ୫ବର୍ଷରେ ଏହାର ରୋଜଗାର ଅନ୍ୟୂନ ୩୫ କୋଟି ଟଙ୍କା ହେବ। ତେବେ କେଉଁ ଆଧାରରେ କେନ୍ଦ୍ର ସରକାର ଲାଲ କିଲ୍ଲାର ରକ୍ଷଣାବେକ୍ଷଣ ପାଇଁ ୨୫ କୋଟି ଟଙ୍କାରେ ତାହାକୁ ଲିଜ ଦେଲେ ତାହା ଏବେ ସୁବଠାରୁ ବଡ଼ ପ୍ରଶ୍ନ ହୋଇଛି।
ବିକାଶ ଯୋଜନା
ଐତିହାସିକ ଲାଲ କିଲ୍ଲାକୁ ୨୫ କୋଟି ଟଙ୍କାରେ ୫ ବର୍ଷ ପାଇଁ ଲିଜ୍୍ରେ ନେଇଥିବା ଡାଲମିଆ ଭାରତ ଗ୍ରୁପ୍ ଏହାର ବିକାଶ ପାଇଁ ବ୍ୟାପକ ଯୋଜନା ପ୍ରସ୍ତୁତ କରିଛି । କୌଣସି ଐତିହାସିକ କୀର୍ତ୍ତିରାଜିକୁ ପୋଷ୍ୟ ଭାବେ ଗ୍ରହଣ କରିବାରେ ଡାଲିମଆ ଗ୍ରୁପ୍ ପ୍ରଥମ କର୍ପୋରେଟ ହାଉସ ହୋଇଥିବାରୁ ଏବେ ଏହାର ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିବ। ମେ ୨୩ରୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରଥମ ପର୍ଯ୍ୟାୟ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହେବ ଏବଂ ଏଥିରେ ଆଲୋକ ବ୍ୟବସ୍ଥା, ଅତ୍ୟାବଶ୍ୟକ ନିର୍ମାଣ ଏବଂ ଟଏଲେଟ ଉନ୍ନତୀକରଣକୁ ପ୍ରାଥମିକତା ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚଳିତ କାର୍ଯ୍ୟକାଳର ଶେଷ ସ୍ୱାଧୀନତା ଦିବସ ଭାଷଣ ପାଇଁ ଏଠାରେ ଜୁଲାଇରୁ ସୁରକ୍ଷା ସଂପର୍କିତ କାର୍ଯ୍ୟ ଆରମ୍ଭ ହେବ। ତେଣୁ ସୁରକ୍ଷା ଏଜେନ୍୍ସିକୁ ଲାଲ କିଲ୍ଲା ହସ୍ତାନ୍ତର କରିବା ପୂର୍ବରୁ ଆଲୋକ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସଂପୂର୍ଣ୍ଣ ହେବ ବୋଲି ଜଣାପଡ଼ିଛି।
ଦ୍ୱିତୀୟ ପର୍ଯ୍ୟାୟରେ ଏହାର ଚଟାଣ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ କାମ ହେବ ଏବଂ ସମଗ୍ର ପରିସରରେ ସ୍ୱତନ୍ତ୍ର ଟାଇଲ୍ ଲଗାଯିବ। ଲାଲ କିଲ୍ଲାକୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ସଂଗୀତ କନ୍୍ସର୍ଟ ଆୟୋଜନ ପାଇଁ ବ୍ୟବହାର କରାଯିବ । ଲାଲ କିଲ୍ଲାର ନବୀକରଣ କାର୍ଯ୍ୟ ସହିତ ଏହାର ବ୍ୟାପକ ପ୍ରଚାର ପାଇଁ ବିଜ୍ଞାପନ ଅଭିଯାନ ମଧ୍ୟ ଚାଲିବ। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଅନେକ ପଦକ୍ଷେପ ନିଆଯିବ ଯାହାକି ରାଜସ୍ୱ ବୃଦ୍ଧି କ୍ଷେତ୍ରରେ ସହାୟକ ହେବ । ଆଗାମୀ ୩ ବର୍ଷ ଭିତରେ ୫ଟି ପର୍ଯ୍ୟାୟରେ ବିକାଶ କାର୍ଯ୍ୟ ସଂପୂର୍ଣ୍ଣ ହେବ। କେତେକ ସ୍ୱତନ୍ତ୍ର ନିର୍ମାଣ କାର୍ଯ୍ୟ ପାଇଁ ବିଦେଶୀ ବିଶେଷଜ୍ଞଙ୍କ ସହାୟତା ମଧ୍ୟ ଲୋଡ଼ାଯିବ। ଉଭୟ ଭିତର ଓ ବାହାରର ଥ୍ରୀ ଡି ପ୍ରୋଜେକ୍ସନ ମ୍ୟାପିଂ ହେବ। ଲାଲ କିଲ୍ଲାରୁ ଯେଉଁ ରାଜସ୍ୱ ଆଦାୟ ହେବ ତାହାକୁ କେବଳ ଏହାର ବିକାଶ ଏବଂ କୀର୍ତ୍ତିରାଜିର ରକ୍ଷଣାବେକ୍ଷଣରେ ଖର୍ଚ୍ଚ କରାଯିବ।