ନୂଆଦିଲ୍ଲୀ: ସୁଉଚ୍ଚ ବ୍ରିଜରେ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ। କଟରାରୁ ଶ୍ରୀନଗର ଭିତରେ ବନ୍ଦେ ଭାରତ ଏକ୍ସପ୍ରେସର ପ୍ରଥମ ଟ୍ରାଏଲ ରନ୍ ହୋଇଛି । ଅଞ୍ଜି ଖାଡ଼ ବ୍ରିଜ ଯାହା ଭାରତର ପ୍ରଥମ କେବଲ ଷ୍ଟେ ବ୍ରିଜ ଏବଂ ଚେନାବ ବ୍ରିଜ ଯାହା ବିଶ୍ବର ଉଚ୍ଚତମ ରେଳୱେ ବ୍ରିଜ । ଏହା ଦେଇ ଗତି କରିଛି ବନ୍ଦେ ଭାରତ ଏକ୍ସପ୍ରେସ । ବଡ଼ କଥା ହେଉଛି କଶ୍ମୀରର ଥଣ୍ଡା ପରିବେଶକୁ ନଜରରେ ରଖି ଏହି ଟ୍ରେନକୁ ଡିଜାଇନ କରାଯାଇଛି । କଶ୍ମୀରର ସୁନ୍ଦର ଉପତ୍ୟକାରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ ଚଳାଇବା ପାଇଁ ଭାରତୀୟ ରେଳ ପ୍ରସ୍ତୁତି ଶେଷ କରିବା ପରେ ଆଜି ଟ୍ରାଏଲ ରନ କରାଯାଇଛି । ଟ୍ରେନ୍‌ ଚଳାଚଳର ଶୁଭାରମ୍ଭ ଖୁବ୍‌ଶୀଘ୍ର ହେବାକୁ ଯାଉଛି । 

Advertisment

କଶ୍ମୀରର କଠିନ ପରିସ୍ଥିତି ଏବଂ ତୁଷାରପାତକୁ ବିଚାରକୁ ନେଇ ଏହି ଟ୍ରେନ୍‌କୁ ଅନେକ ସ୍ବତନ୍ତ୍ର ବୈଶିଷ୍ଟ୍ୟ ସହ ସଜାଯାଇଛି । ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌କୁ ଏପରି ଭାବରେ ଡିଜାଇନ କରାଯାଇଛି ଯେ ୧୦ ଡିଗ୍ରୀ ସେଲସିୟସରେ ମଧ୍ୟ ଏହାର ଚଳାଚଳରେ କୌଣସି ଅସୁବିଧା ହେବ ନାହିଁ । ଏଥିପାଇଁ ଡ୍ରାଇଭର କୋଚ୍‌ରେ ଡ୍ରାଇଭର ସିଟ୍‌ ପୂର୍ବାପେକ୍ଷା ଅଧିକ ଆରାମଦାୟକ ହୋଇଛି । ଏହା ବ୍ୟତୀତ ଇଞ୍ଜିନର ୱିଣ୍ଡଶିଲ୍ଡ  ଉପରେ ମଧ୍ୟ ଅନେକ କାମ କରାଯାଇଛି । ଏହି ୱିଣ୍ଡିଶିଲ୍ଡ ତିନୋଟି ସ୍ତରରେ ନିର୍ମାଣ କରାଯାଇଥିବା ବେଳେ ଏହା ଭିତରେ ଏକ ସ୍ତର ଅଛି ଯାହା ସବୁବେଳେ ଗ୍ଲାସ୍‌କୁ ଗରମ ରଖିବ । ଉତ୍ତାପ ହେତୁ ଏହାକୁ ଡିଫ୍ରଷ୍ଟ କରିବା ସହଜ ହେବ। 

ଇଞ୍ଜିନର ୱିଣ୍ଡସ୍କ୍ରିନରେ ସ୍ଥାପିତ ୱାପରର ୱାଶରରେ ଗରମ ପାଣି ଛିଞ୍ଚିବ, ଯେଉଁ କାରଣରୁ ଏଠାରେ କାକର ଜମା ହେବନାହିଁ । ଏପରିକି ଏହା ବାଷ୍ପ ସୃଷ୍ଟି କରିବ ନାହିଁ । ଫଳରେ ଟ୍ରେନ୍‌ ଚଲାଇବାରେ କୌଣସି ଅସୁବିଧା ହେବ ନାହିଁ। ସମସ୍ତ କୋଚ୍‌ରେ ଉତ୍ତମ ଥର୍ମୋଷ୍ଟାଟ ବ୍ୟବହାର କରାଯାଇଥିବାରୁ ଏହା ମାଇନସ୍‌ ତାପମାତ୍ରାରେ ମଧ୍ୟ ଲୋକଙ୍କ ଯାତ୍ରା ଆରାମଦାୟକ ରହିବ । ଜଳ ଯୋଗାଣ ପାଇପରେ ମଧ୍ୟ ଡବଲ ଟ୍ରିପଲ ଇନ୍‌ସୁଲେସନ ଅଛି । ଯେଉଁ କାରଣରୁ ପାଇପରେ ପାଣି ବରଫ ହେବ ନାହିଁ । ୱାଶରୁମ୍‌ର ଆକାର ମଧ୍ୟ ବୃଦ୍ଧି କରାଯାଇଛି । ଏହା ବ୍ୟତୀତ ଫ୍ଲାସ୍‌ ସିଷ୍ଟମ ମାଇନସ୍‌ ତାପମାତ୍ରାରେ ଜାମ୍‌ ନ ହେବା ପାଇଁ ଏଠାରେ ଗରମ ପ୍ୟାଡ୍‌ ମଧ୍ୟ ସ୍ଥାପନ କରାଯାଇଛି । ତୁଷାରପାତ ସମୟରେ ବ୍ରେକ୍‌ ଠିକ୍‌ ଭାବରେ କିପରି କାର୍ୟ୍ୟ କରିପାରିବ ଏହା ଉପରେ ଧ୍ୟାନ ଦିଆଯାଇଛି ।