ପୁରୀକୁ ଗଡ଼ିବ ଭାରତ ଗୌରବ ପର୍ଯ୍ୟଟକ ଟ୍ରେନ

ନୂଆଦିଲ୍ଲୀ : ଭାରତୀୟ ରେଳ ଦ୍ବାରା ଯାତ୍ରୀମାନଙ୍କ ପାଇଁ ଆଉ ଏକ ପର୍ଯ୍ୟଟନ ପ୍ୟାକେଜ୍‌ ଘୋଷଣା କରାଯାଇଛି। ଆଇଆର୍‌ସିଟିସି ପକ୍ଷରୁ ଭାରତ ଗୌରବ ପର୍ଯ୍ୟଟକ ଟ୍ରେନ ପୁରୀ ପାଇଁ ନଭେମ୍ବର ୮ ତାରିଖରୁ ଗଡ଼ିବ। ଭାରତ ଗୌରବ ରେଳରେ ପର୍ଯ୍ୟଟକମାନେ ଓଡ଼ିଶାର ଜଗନ୍ନାଥ ଧାମ ସମେତ ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ ଓ ବିହାରର ପ୍ରସିଦ୍ଧ ଧାର୍ମିକ ଏବଂ ଐତିହ୍ୟ ସ୍ଥଳଗୁଡ଼ିକର ଦର୍ଶନ କରିପାରିବେ। ଭାରତ ଗୌରବ ପର୍ଯ୍ୟଟନ ଟ୍ରେନ ପାଇଁ ପ୍ରସ୍ତୁତ ରୁଟ୍‌ରେ କାଶୀ, ବୈଦ୍ୟନାଥ ଧାମ, ଜଗନ୍ନାଥ ପୁରୀ, ଭୁବନେଶ୍ବର, କୋଣାର୍କ ଏବଂ ଗୟା ସମେତ ଅନ୍ୟ ପର୍ଯ୍ୟଟନ ସ୍ଥଳଗୁଡ଼ିକୁ ସାମିଲ କରାଯାଇଛି। ଧାର୍ମିକ ଓ ସାଂସ୍କୃତିକ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ଟ୍ରେନ ନଭେମ୍ବର ୮ରୁ ଦିଲ୍ଲୀର ସଫଦରଜଙ୍ଗ ଷ୍ଟେସନରୁ ଯାତ୍ରା ଆରମ୍ଭ କରିବ। ଏହି ଟ୍ରେନ ଦିଲ୍ଲୀରୁ ବାହାରି ଦ୍ବିତୀୟ ଦିବସରେ ବାରଣାସୀରେ ପହଞ୍ଚିବ। ବାରଣାସୀରୁ ଏହି ଟ୍ରେନ ବୈଦ୍ୟନାଥ ଧାମରେ ପହଞ୍ଚିବ।

ବାତାନୁକୂଳ ଟ୍ରେନର ପରବର୍ତ୍ତୀ ପର୍ଯ୍ୟାୟ ପୁରୀ ହେବ। ଯେଉଁଠାରେ ବିଶ୍ରାମ ପାଇଁ ପର୍ଯ୍ୟଟକମାନଙ୍କୁ ଦୁଇ ରାତି ହୋଟେଲରେ ରହିବାର ବ୍ୟବସ୍ଥା କରାଯିବ । ଏହି ଦୁଇ ଦିନ ପର୍ଯ୍ୟଟକମାନେ ଶ୍ରୀଜଗନ୍ନାଥ ମନ୍ଦିର ଓ କୋଣାର୍କର ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର ଦର୍ଶନ କରିବେ। ଏହା ବାଦ୍‌ ଭୁବନେଶ୍ବରରେ ପ୍ରାଚୀନ ମନ୍ଦିର ଓ ଏୗତିହ୍ୟ କୀର୍ତ୍ତିରାଜିଗୁଡ଼ିକର ଦର୍ଶନ ବସ ଜରିଆରେ କରାଯିବ। ଟ୍ରେନର ଶେଷ ପର୍ଯ୍ୟାୟ ଗୟା ରହିବ। ଏଠାରେ ଯାତ୍ରୀମାନଙ୍କୁ ବିଷ୍ଣୁପଦ ମନ୍ଦିର ଦର୍ଶନ କରାଯିବ। ଗୟାରେ ଏହି ଟ୍ରେନ୍‌ ଅଷ୍ଟମ ଦିନରେ ସମୁଦାୟ ୪ ହଜାର କିଲୋମିଟର ଅତିକ୍ରମ କରି ଦିଲ୍ଲୀକୁ ପ୍ରସ୍ଥାନ କରିବ। ଟ୍ରେନରେ ଏସି ତୃତୀୟ ଶ୍ରେଣୀ କୋଚ୍‌ ରହିବ। ଟ୍ରେନରେ ଆଧୁନିକ କିଚେନ କାରର ସୁବିଧା ରହିଛି। ସଂପୂର୍ଣ୍ଣ ସ୍ବାଦିଷ୍ଟ ନିରାମିଷ ଭୋଜନ ଯାତ୍ରୀମାନଙ୍କୁ ଟ୍ରେନରେ ଉପଲବ୍ଧ କରାଯିବ। ଏଥି ପାଇଁ ଯାତ୍ରୀମାନଙ୍କୁ ଅର୍ଥ ପୈଠ କରିବାକୁ ପଡ଼ିବ। ଭାରତ ‌ଗୌରବ ପର୍ଯ୍ୟଟକ ଟ୍ରେନରେ ପ୍ରତ୍ୟେକ ଯାତ୍ରୀମାନଙ୍କ ପାଇଁ ଆଠ ଦିନର ଯାତ୍ରା ପାଇଁ ୨୮ ହଜାର ୫୬୦ ଟଙ୍କାର ଭଡ଼ା ଧାର୍ଯ୍ୟ କରାଯାଇଛି। ଟ୍ରେନ୍‌ରେ ଏଲ୍‌ଟିସିର ଲାଭ ମଧ୍ୟ ମିଳିବ।

ସମ୍ବନ୍ଧିତ ଖବର