ତେଲେଙ୍ଗାନାରେ ଭାରତ ଯୋଡ଼ୋ ଯାତ୍ରା

ହାଇଦ୍ରାବାଦ : କଂଗ୍ରେସର ଭାରତ ଯୋଡ଼ା ଯାତ୍ରାର କର୍ଣ୍ଣାଟକ ପ୍ରଭାଗ ଶେଷ ହୋଇଛି ଏବଂ ରାହୁଲ ଗାନ୍ଧିଙ୍କ ନେତୃତ୍ବରେ ପଦଯାତ୍ରୀ ଦଳ ରବିବାର ତେଲେଙ୍ଗାନାରେ ପ୍ରବେଶ କରିଛନ୍ତି। ତେଲେଙ୍ଗାନାର କଂଗ୍ରେସ ନେତାମାନେ ଦୁଇ ରାଜ୍ୟର ସୀମାରେ ରାହୁଲଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।

କଂଗ୍ରେସ ଲୋକସଭା ସଦସ୍ୟ ତଥା ଦଳ ବ୍ୟାପାର ତେଲେଙ୍ଗାନା ପ୍ରଭାରୀ ମାଣିକ୍ୟମ୍ ଟାଗୋର, ରାଜ୍ୟ କଂଗ୍ରେସ ସଭାପତି ଏ ରେବନ୍ତ ରେଡ୍ଡୀ ଓ ଅନ୍ୟ ନେତାମାନେ ରାହୁଲଙ୍କୁ ସ୍ବାଗତ କରିଥିଲେ। ରାହୁଲ ଦଳବଳ ସହ ତେଲେଙ୍ଗାନାର କିଛି ଅଞ୍ଚଳରେ ପଦଯାତ୍ରା କରିବା ପରେ ନାରାୟଣପେଟ ଜିଲ୍ଲାର ଗୁଡେବେଲ୍ଲୁରଠାରେ ବିଶ୍ରାମ ନେଇଥିଲେ। ଏହାପରେ ସେ ହେଲିକପ୍ଟରରେ ହାଇଦ୍ରାବାଦ ଯାତ୍ରା କରିଥିଲେ ଏବଂ ଆଜି ହିଁ ସେଠା‌ରୁ ସେ ବିମାନ ଯୋଗେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ବୋଲି କଂଗ୍ରେସ ସୂତ୍ରରୁ ଜଣାପଡ଼ିଛି। ଦିୱାଲି ଉପ‌ଲକ୍ଷେ ରବିବାରଠାରୁ ୨୬ ତାରିଖ ଯାଏ ତିନିଦିନ ଯାତ୍ରା ବନ୍ଦ ରହିବ ବୋଲି ତେଲେଙ୍ଗାନା ପିସିସି ପକ୍ଷରୁ ଏକ ପ୍ରେସ୍ ବିବୃତି ମାଧ୍ୟମରେ ଜଣାଇ ଦିଆଯାଇଛି। ୨୭ ତାରିଖରୁ ଗୁଡେବେଲ୍ଲୁରରୁ ପୁଣି ଯାତ୍ରା ଆରମ୍ଭ ହେବ। ତେଲେଙ୍ଗାନାରେ ଏହି ଯାତ୍ରା ୧୬ ଦିନ ଚାଲିବ।

ସମ୍ବନ୍ଧିତ ଖବର