ବିରୋଧୀଙ୍କୁ ଏକଜୁଟ କରିପାରିଲାନି ‘ଭାରତ ଯୋଡ଼ୋ ଯାତ୍ରା’: ୧୪ଟି ଦଳ କଂଗ୍ରେସ ସହ ଶକ୍ତି ପ୍ରଦର୍ଶନରେ ସାମିଲ ହେଲେନି

ଆର୍‌ଜେଡି, ଏନ୍‌ସିପି ମଧ୍ୟ ଚିନ୍ତା ବଢ଼ାଇଲେ

ନୂଆଦିଲ୍ଲୀ: ଶ୍ରୀନଗରରେ ସୋମବାର ଦିନ ଭାରତ ଯୋଡ଼ୋ ଯାତ୍ରା ଶେଷ ହୋଇଯାଇଛି। ଯାତ୍ରାର ଶେଷ ଦିନରେ ଆୟୋଜିତ ଉଦ୍‌ଯାପନୀ ସମାରୋହରେ ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ଶକ୍ତି ପ୍ରଦର୍ଶନ କରିବାର ଯୋଜନା ଥିଲା। ମୋଟ୍‌ ୨୩ଟି ବିରୋଧୀ ଦଳଙ୍କୁ ସମାରୋହକୁ ଆମନ୍ତ୍ରଣ କରାଯାଇଥିଲେ ମଧ୍ୟ ମାତ୍ର ୯ଟି ଦଳ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ବିହାରରେ କଂଗ୍ରେସର ମେଣ୍ଟ ସହଯୋଗୀ ତଥା ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି (ରାଷ୍ଟ୍ରୀୟ ଜନତା ଦଳ) ଏବଂ ଶରଦ ପାୱାରଙ୍କ ଏନ୍‌ସିପି (ନେସନାଲିଷ୍ଟ କଂଗ୍ରେସ ପାର୍ଟି) ମଧ୍ୟ ଯାତ୍ରାରେ ସାମିଲ ହୋଇନାହିଁ। ଏହାକୁ ନେଇ କଂଗ୍ରେସରେ ମନ୍ଥନ ଆରମ୍ଭ ହୋଇଯାଇଛି । ତେବେ ଏହି ପ୍ରସଙ୍ଗରେ ଦଳ ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନାହିଁ।

ଉଲ୍ଲେଖଯୋଗ୍ୟ, ଜାନୁଆରି ୧୧ ତାରିଖରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନନ ଖଡ଼ଗେ ମୋଟ୍‌ ୨୩ଟି ରାଜନୈତିକ ଦଳକୁ ଶ୍ରୀନଗର କାର୍ଯ୍ୟକ୍ରମକୁ ଆମନ୍ତ୍ରଣ କରିଥିଲେ। ଟିଏମ୍‌ସି, ଜେଡିୟୁ, ଶିବସେନା, ତେଲୁଗୁ ଦେଶମ ପାର୍ଟି, ଏନ୍‌ସି, ସମାଜବାଦୀ ପାର୍ଟି, ବିଏସ୍‌ପି, ସିପିଆଇ, ସିପିଆଇଏମ୍‌, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, ଆରଜେଡି, ଆରଏଲଏସପି , ହାମ୍‌, ପିଡିପି, ଏନ୍‌ସିପି, ଡିଏମ୍‌କେ, କେରଳ କଂଗ୍ରେସ (ଏମ୍‌), ଏମ୍‌ଡିଏମ୍‌କେ, ଭିସିକେ, ଆରଏଲଡି, ଆଇୟୁଏମଏଲ, ଆରଏସପି ଏବଂ ଜେଡିଏସ୍‌କୁ ଉଦ୍‌ଯାପନୀ ରୢାଲିରେ ସାମିଲ ହେବାକୁ ଆମନ୍ତ୍ରିତ ହୋଇଥିଲେ।

ସମ୍ବନ୍ଧିତ ଖବର