ଭାରତ ଯୋଡୋ ଯାତ୍ରାରେ ମୋଦୀ-ମୋଦୀ ସ୍ଲୋଗାନ ଦେଲେ ଲୋକେ, ରାହୁଲ ଦେଲେ ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ: ସେପ୍ଟେମ୍ବରରୁ ଆରମ୍ଭ ହୋଇଛି କଂଗ୍ରେସର ଭାରତ ଯୋଡୋ ଯାତ୍ରା। ଏହି ଯାତ୍ରା କରି କଂଗ୍ରେସ ହରାଇଥିବା ଲୋକପ୍ରିୟତା ପୁଣି ଥରେ ହାସଲ କରିବାକୁ ଚାହୁଁଛି। ଏହି ଯାତ୍ରା ମଧ୍ୟପ୍ରଦେଶରୁ ବାହାରି ଏବେ ରାଜସ୍ଥାନରେ ପ୍ରବେଶ କରିଛି। ତେବେ ମଧ୍ୟପ୍ରଦେଶରେ ଯାତ୍ରା ଚାଲିଥିବା ବେଳେ ଆଗର ମାଲବା ଜିଲ୍ଲାରେ ଘଟିଥିବା ଏକ ଘଟଣାର ଭିଡିଓ ଏବେ ଭାଇରାଲ ହୋଇଛି। ଆଗର ମାଲବା ଜିଲ୍ଲାରେ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମର୍ଥକଙ୍କ ସାମ୍ନା କରିବାକୁ ପଡ଼ିଥିଲା ବୋଲି ଜଣାପଡ଼ଛି।

India Today

ଯେତେବେଳେ ରାହୁଲ ଗାନ୍ଧୀ ଏବଂ ଏହି ଯାତ୍ରା ସହ ଜଡିତ ଅନ୍ୟ ନେତାମାନେ ଜିଲ୍ଲାର ସାୟତ କାଲାରେ ଥିଲେ, କିଛି ଲୋକ ମୋଦୀ-ମୋଦୀ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ଏହି ସମୟରେ ପ୍ରଥମେ ରାହୁଲ ଗାନ୍ଧୀ ଏବଂ ତାଙ୍କ ସହ ଥିବା ନେତାମାନେ ସ୍ଲୋଗାନ ଦେଉଥିବା ଲୋକଙ୍କୁ ଯାତ୍ରାରେ ଯୋଗଦେବାକୁ କହିଥିଲେ। କିନ୍ତୁ ଯେତେବେଳେ ଲୋକମାନେ ସ୍ଲୋଗାନ ଦେବା ବନ୍ଦ କରିନଥିଲେ, ରାହୁଲ ଗାନ୍ଧୀ ସେମାନଙ୍କୁ ଏକ ନିଆରା ଢ଼ଙ୍ଗରେ ଉତ୍ତର ଦେଇଥିବା‌ ଦେଖାଯାଇଥିଲା। ରାହୁଲ ମୋଦୀ-ମୋଦୀ ସ୍ଲୋଗାନ ଦେଉଥିବା ଲୋକମାନଙ୍କୁ ଫ୍ଲାଇଙ୍ଗ କିସ୍ ଦେଇଥିଲେ ବୋଲି ଜଣାପଡ଼ିଛି, ଯାହାର ଭିଡିଓ ଏବେ ଭାଇରାଲ ହେଉଛି।

ତେବେ ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ପୁଣି ଥରେ ଲୋକପ୍ରିୟତା ହାସଲ ‌କରିବାକୁ ଚେଷ୍ଟା କରୁଛି କଂଗ୍ରେସ। ଏନେଇ ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରା ଆରମ୍ଭ କରି ବିଭିନ୍ନ ରାଜ୍ୟକୁ ଯାଉଛନ୍ତି। ସିଧାସଳଖ ଭାବେ ଜନତାଙ୍କ ସହ କଥାବାର୍ତ୍ତା କରିବା ପାଇଁ କଂଗ୍ରେସ ଏହି ଯାତ୍ରାର ଆୟୋଜନ କରିଛି। ଏହି ଯାତ୍ରା ପରେ କଂଗ୍ରେସ ‘ହାତ୍ ସେ ହାତ୍ ଯୋଡୋ ଅଭିଯାନ’ ଆରମ୍ଭ କରିବ ବୋଲି କହିଛି। ରବିବାର କଂଗ୍ରେସର ପରିଚାଳନା କମିଟି ବୈଠକରେ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏହି ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର