ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ଯାତ୍ରା ଆଜି ପୁଣି ଥରେ ରାଜଧାନୀ ଦିଲ୍ଲୀରୁ ଆରମ୍ଭ ହେବାକୁ ଯାଉଛି। ଶୀତ ପାଇଁ ବିଶ୍ରାମ ପରେ ଆଜି ପୁଣି ଥରେ ଏହି ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି ରାହୁଲ। ରାହୁଲ ଗାନ୍ଧୀ ଦିଲ୍ଳୀର କାଶ୍ମୀର ଗେଟ୍ର ପ୍ରାଚୀନ ହନୁମାନ ମନ୍ଦିରରେ ଦର୍ଶନ କରି ୧୦ଟାରୁ ତାଙ୍କର ଯାତ୍ରା ଆରମ୍ଭ କରିବେ। ରାହୁଲଙ୍କ ସହ ରହିବେ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ। ପ୍ରିୟଙ୍କା ବି ରାହୁଲଙ୍କ ସହ ହନୁମାନ ମନ୍ଦିରରେ ବଜରଙ୍ଗବାଲୀଙ୍କ ଦର୍ଶନ କରି ଯାତ୍ରାରେ ଯୋଗ ଦେବେ।
ରାହୁଲ ଗାନ୍ଧୀଙ୍କ ଏହି ଯାତ୍ରା ଦିଲ୍ଲୀ ଦଙ୍ଗାରେ ପ୍ରଭାବିତ ମୌଜପୁର, ଜାଫରାବାଦ୍, ଗୋକୁଲପୁରିରୁ ହୋଇ ୟୁପିକୁ ପ୍ରବେଶ କରିବ। ୟୁପିର ଲୋନିରୁ ଗଜିଆବାଦ୍ ହୋଇ ବାଗପତରେ ରାତିରେ ରହି ବିଶ୍ରାମ ନେବେ। ଦିଲ୍ଲୀରେ ଭାରତ ଯୋଡ଼ୋ ଯାତ୍ରା ପାଇଁ ପୁଲିସ୍ ପକ୍ଷରୁ ଏକ ଟ୍ରାଫିକ୍ ଆଡ୍ଭାଇଜରି ଜାରି କରାଯାଇଛି।
ଦିଲ୍ଳୀ ପୁଲିସ୍ ପକ୍ଷରୁ ଦିଲ୍ଲୀର ଉତ୍ତର ପୂର୍ବ ଅଞ୍ଚଳରେ ଜାମ୍ ହେବାର ଆଶଙ୍କା ପ୍ରକଟ କରାଯାଇଛି। ପୁରୁଣା ଦିଲ୍ଲୀର କିଛି ଅଞ୍ଚଳ ଲୋହା ପୁଲ୍, ପୁସ୍ତା ରୋଡ୍, ଜାଫରାବାଦ୍, ଗୌଜପୁର ଏବଂ ଗୋକୁଲପୁରରେ ଖୁବ୍ ଅଧିକ ଜାମ ହୋଇପାରେ ପୁଲିସ୍ ପୁଲିସ ଆଶଙ୍କା ପ୍ରକଟ କରିଛି।
ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏବଂ ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀଙ୍କୁ କଂଗ୍ରେସ ‘ଭାରତ ଯୋଡ଼ୋ ଯାତ୍ରା’ ପାଇଁ ନିମନ୍ତ୍ରଣ କରିଛି। ଏଥିପାଇଁ ଉଭୟ ଅଖିଳେଶ ଏବଂ ମାୟାବତୀ ଧନ୍ୟବାଦ ଜଣାଇଛନ୍ତି। ନିମନ୍ତ୍ରଣ ପାଇ ସପା ମୁଖ୍ୟ ଅଖିଳେଶ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ଯାତ୍ରାର ସଫଳତା କାମନା କରିଛନ୍ତି। ତେବେ ଅଖିଳେଶ ଭାରତ ଯୋଡ଼ୋ ଯାତ୍ରାରେ ଯୋଗ ଦେବେନାହିଁ ବୋଲି ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି।