ଜମ୍ମୁ : ଭାରତ ଯୋଡ଼ୋ ଯାତ୍ରାରେ ଜମ୍ମୁ ପହଞ୍ଚିଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ଆଦି ଶଙ୍କରାଚାର୍ଯ୍ୟଙ୍କ ସହ ତୁଳନା କରିଛନ୍ତି ନ୍ୟାସନାଲ କନ୍ଫରେନ୍ସ ନେତା ଫାରୁକ୍ ଅବଦଲ୍ଲା। ଆଜି ଜମ୍ମୁର କଠୁଆ ଅଞ୍ଚଳରେ ଏକ ଜନସଭାରେ ରାହୁଲଙ୍କୁ ଫାରୁକ୍ ଭୂୟସୀ ପ୍ରଶଂସା କରିଥିଲେ ଏବଂ ତାଙ୍କୁ ହିନ୍ଦୁ ଧର୍ମର ମହାନ ସାଧକ ଆଦି ଶଙ୍କରାଚାର୍ଯ୍ୟଙ୍କ ସହ ତୁଳନା କରିଥିଲେ। ଫାରୁକ୍ କହିଥିଲେ, ଆଦି ଶଙ୍କରାଚାର୍ଯ୍ୟଙ୍କ ପରେ ରାହୁଲ ପ୍ରଥମ ବ୍ୟକ୍ତି ଭାବେ କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ଯାତ୍ରା କରିଛନ୍ତି। ଶଙ୍କରାଚାର୍ଯ୍ୟ ସେତେବେଳେ ଜଙ୍ଗଲ ପଥ ଦେଇ କାଶ୍ମୀର ଆସିଥିଲେ, ଏବେ ରାହୁଲ ସଡ଼କ ପଥ ଦେଇ ଆସିଛନ୍ତି ବୋଲି ସେ କହିଛନ୍ତି। ରାହୁଲ ଆଜି ପ୍ରଥମ ଥର ପାଇଁ ଭାରତ ଯୋଡ଼ୋ ଯାତ୍ରାରେ ଜ୍ୟାକେଟ୍ ପିନ୍ଧିଥିବା ଦେଖିବାକୁ ମିଳିଛି।
ଉତ୍ତର ଭାରତରେ ପ୍ରବଳ ଶୀତ ଲହରି ସତ୍ତ୍ବେ ରାହୁଲ ଗାନ୍ଧିଙ୍କୁ କେବଳ ଟି ସାର୍ଟ ପିନ୍ଧି ଭାରତ ଯୋଡ଼ୋ ଯାତ୍ରାରେ ଚାଲିଥିବା ଦେଖିବାକୁ ମିଳିଥିଲା। ରାହୁଲଙ୍କୁ ଏନେଇ ପ୍ରଶ୍ନ କରାଯିବାରୁ ସେତେବେଳେ ସେ କହିଥିଲେ, ଗରିବ ପିଲାମାନେ ଚିରା ପୋଷାକରେ ଥଣ୍ଡାରେ ଥରୁଥିବାରୁ ସେ ତାଙ୍କ ଯାତ୍ରା ସମୟରେ କେବଳ ଟି-ସାର୍ଟ ପିନ୍ଧିବାପାଇଁ ନିଷ୍ପତ୍ତି ନେଇଛନ୍ତି।