ନୂଆଦିଲ୍ଲୀ: ସେପ୍ଟେମ୍ବର ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସଂସଦର ଆଗାମୀ ସ୍ୱତନ୍ତ୍ର ଅଧିବେଶନରେ କେନ୍ଦ୍ର ସରକାର ଦେଶର ନାମ ଇଣ୍ଡିଆରୁ ପରିବର୍ତ୍ତନ କରି ଭାରତ ରଖିବା ପାଇଁ ଏକ ସଂକଳ୍ପ ଆଣିପାରନ୍ତି! ଭାରତୀୟ ସମ୍ବିଧାନରେ ବର୍ତ୍ତମାନ ଦେଶକୁ ‘ଇଣ୍ଡିଆ, ଯାହା ଭାରତ’...ବୋଲି ଦର୍ଶାଯାଉଛି। କିନ୍ତୁ ଏହାକୁ ସଂଶୋଧନ କରି କେବଳ ଭାରତ କରିବାକୁ ଦାବି ଜୋର ଧରିଛି।
ସମ୍ବିଧାନରେ ସଂଶୋଧନ କରି ଇଣ୍ଡିଆ ନାମ ପରିବର୍ତ୍ତନ କରି କେବଳ ଭାରତ କରିବାକୁ ଦାବି ଜୋର ଧରିଛି ଏବଂ ସୂତ୍ରରୁ ପ୍ରକାଶ ଯେ କେନ୍ଦ୍ର ସରକାର ଭାରତର ନାମ ପରିବର୍ତ୍ତନ ପାଇଁ ଏକ ସଂକଳ୍ପ ଆଣିପାରନ୍ତି।
ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସ୍ଏସ୍) ମୁଖ୍ୟ ମୋହନ ଭାଗବତଙ୍କ ଭଳି ବିଶିଷ୍ଟ ବ୍ୟକ୍ତିମାନେ ଏହି ପରିବର୍ତ୍ତନକୁ ସମର୍ଥନ ଜଣାଇଛନ୍ତି। ଭାଗବତ ପୂର୍ବରୁ ଲୋକମାନଙ୍କୁ ଇଣ୍ଡିଆ ପରିବର୍ତ୍ତେ ଭାରତ ଶବ୍ଦ ବ୍ୟବହାର କରିବାକୁ ଅନୁରୋଧ କରିଥିଲେ ଏବଂ କହିଥିଲେ ଯେ ଦେଶ ଶତାବ୍ଦୀ ଧରି ଭାରତ ନାମରେ ପରିଚିତ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସମାନ ଭାବନା ପ୍ରକାଶ କରିଛନ୍ତି। ୨୦୨୨ ମସିହା ଅଗଷ୍ଟ ୧୫ ତାରିଖରେ ଲାଲକିଲ୍ଲା ପ୍ରାଚୀରରୁ ସେ ଦେଶର ନାଗରିକମାନଙ୍କୁ ପାଞ୍ଚଟି ଶପଥ ନେବାକୁ ନିବେଦନ କରିଥିଲେ। ଯେଉଁଥିମଧ୍ୟରୁ ଗୋଟିଏ ଥିଲା ଦାସତ୍ୱର ପ୍ରତ୍ୟେକ ଚିହ୍ନରୁ ମୁକ୍ତି। ଦେଶର ସ୍ୱଦେଶୀ ପରିଚୟକୁ ଗ୍ରହଣ କରିବା ଦିଗରେ ଏହା ଏକ ପ୍ରତୀକାତ୍ମକ ପଦକ୍ଷେପ ଭାବରେ ଦେଖାଯାଉଥିଲା।
ଉଲ୍ଲେଖଯୋଗ୍ୟ, ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବ୍ୟବହୃତ ହେଉଥିବା ସ୍ୱତନ୍ତ୍ର ବିମାନରେ ‘ଭାରତ’ ନାମ ଲେଖାଯାଇଛି।
ନିକଟରେ ଶେଷ ହୋଇଥିବା ସଂସଦର ମୌସୁମୀ ଅଧିବେଶନରେ ବିଜେପି ରାଜ୍ୟସଭା ସାଂସଦ ନରେଶ ବଂଶଲ ‘ଇଣ୍ଡିଆ’କୁ ସମ୍ବିଧାନରୁ ହଟାଇବାକୁ ଦାବି କରିଥିଲେ। ବିଜେପି ସାଂସଦ ହରନାଥ ସିଂହ ଯାଦବ ତାଙ୍କ ମତକୁ ସମର୍ଥନ କରି ‘ଇଣ୍ଡିଆ’କୁ ବଦଳାଇ ‘ଭାରତ’ ନାମ ରଖାଯିବା ଲାଗି ସମ୍ବିଧାନ ସଂଶୋଧନ କରିବାକୁ ଦାବି କରିଥିଲେ।
ସେପ୍ଟେମ୍ବର ୧୮ ତାରିଖରୁ ସଂସଦର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେଉଥିବାରୁ ଏହି ପରିବର୍ତ୍ତନ ପାଇଁ ସମ୍ବିଧାନ ସଂଶୋଧନ ବିଲ୍ ଆଗତ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଅଧିବେଶନର କାର୍ଯ୍ୟସୂଚୀ ଏପର୍ଯ୍ୟନ୍ତ ପ୍ରକାଶ ପାଇ ନଥିବା ବେଳେ ଏଭଳି ବିଲ୍ ଆସିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ। ନାମ ପରିବର୍ତ୍ତନ ପାଇଁ ସମର୍ଥକମାନେ ବିଶ୍ୱାସ କରନ୍ତି ଯେ ଦେଶ ପାଇଁ ଏକକ, ସ୍ୱଦେଶୀ ନାମ ରହିବା ଦ୍ୱାରା ଜାତୀୟ ଗୌରବର ଭାବନା ଜାଗ୍ରତ ହେବା ସହ ଦେଶର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ସୁଦୃଢ଼ କରିବ।
/sambad/media/post_attachments/wp-content/uploads/2023/09/A2-2.jpg)
‘ଦ୍ରୌପଦୀ ମୁର୍ମୁ- ପ୍ରେସିଡେଣ୍ଟ୍ ଅଫ୍ ଭାରତ’
ଇତିମଧ୍ୟରେ ରାଷ୍ଟ୍ରପତି ଭବନରୁ ଜି-୨୦ ପ୍ରତିନିଧିଙ୍କୁ ସରକାରୀ ରାତ୍ରିଭୋଜନ ପାଇଁ ପ୍ରଦାନ କରାଯାଇଥିବା ନିମନ୍ତ୍ରଣ ପତ୍ର ମଙ୍ଗଳବାର ସାମ୍ନାକୁ ଆସିଛି। ଏହି ନିମନ୍ତ୍ରଣ ପତ୍ରରେ ‘ରାଷ୍ଟ୍ରପତି’ ପରିବର୍ତ୍ତେ ‘ଭାରତର ରାଷ୍ଟ୍ରପତି’ ବୋଲି ଲେଖା ଯାଇଛି।
କଂଗ୍ରେସ ନେତା ଜୟରାମ ରମେଶ ପ୍ରଥମେ ଏହା ଦର୍ଶାଇଥିଲେ। ରମେଶ କହିଥିଲେ, ‘ତେଣୁ ଏହି ଖବର ବାସ୍ତବରେ ସତ। ରାଷ୍ଟ୍ରପତି ଭବନ ପକ୍ଷରୁ ସେପ୍ଟେମ୍ବର ୯ ତାରିଖରେ ସାଧାରଣ ଭାବେ ‘ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ’ ପରିବର୍ତ୍ତେ ‘ପ୍ରେସିଡେଣ୍ଟ ଅଫ୍ ଭାରତ’ ନାମରେ ଜି-୨୦ ରାତ୍ରିଭୋଜନ ପାଇଁ ନିମନ୍ତ୍ରଣ ପଠାଯାଇଛି। ବର୍ତ୍ତମାନ ସମ୍ବିଧାନର ଧାରା ୧ରେ ଲେଖାଯାଇଛି : ଇଣ୍ଡିଆ, ଅର୍ଥାତ୍ ଭାରତ, ଏକ ରାଜ୍ୟ ସଂଘ ହେବ’। କିନ୍ତୁ, ଏବେ ଏହି ‘ୟୁନିୟନ ଅଫ୍ ଷ୍ଟେଟ୍ସ’ ଉପରେ ମଧ୍ୟ ଆକ୍ରମଣ ହେଉଛି’ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/Bharat.jpg)