ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧି ‘ଭାରତ ନ୍ୟାୟ ଯାତ୍ରା’ ଆରମ୍ଭ କରିବେ। ଆସନ୍ତାବର୍ଷ ଜାନୁଆରି ୧୪ରୁ ଉକ୍ତ ଯାତ୍ରା ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ମଣିପୁରରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ରେ ମୁମ୍ବାଇରେ ଶେଷ ହେବ। ୬୭ ଦିନର ଏହି ଯାତ୍ରାରେ ରାହୁଲ ଦେଶର ୧୪ଟି ରାଜ୍ୟର ୮୫ଟି ଜିଲ୍ଲା ଅନ୍ତର୍ଗତ ୬୨୦୦ କିମି ଯାତ୍ରା କରିବେ। କଂଗ୍ରେସ ଏପର୍ଯ୍ୟନ୍ତ ୧୪ଟି ରାଜ୍ୟ ପାଇଁ ଯଦିଓ ରୋଡ଼ ମ୍ୟାପ ସାର୍ବଜନୀନ କରିନାହିଁ, କିନ୍ତୁ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ଯାତ୍ରାର ରୋଡମ୍ୟାପ ପ୍ରସ୍ତୁତ କରାଯାଇଛି ବୋଲି ଦଳ ସୂତ୍ରରୁ ଜଣାପଡିଛି। କଂଗ୍ରେସ ସୂତ୍ର ଅନୁଯାୟୀ ରାହୁଲ ଗାନ୍ଧୀଙ୍କ ଏହି ଗସ୍ତ ପୂର୍ବଠାରୁ ପଶ୍ଚିମ ଭାରତ ପର୍ଯ୍ୟନ୍ତ ୧୦୦ଟି ଆସନ ଉପରେ ପର୍ଯ୍ୟବେସିତ ରହିବ, ଯେଉଁଠାରେ ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ହାରି ଯାଇଥିଲା।
ଭାରତ ଯୋଡ ଯାତ୍ରା ୩୫୭୦ କିଲୋମିଟର ହୋଇଥିବାବେଳେ ଭାରତ ନ୍ୟାୟ ଯାତ୍ରା ୬୨୦୦ କିଲୋମିଟର ହେବ। ସିଡବ୍ଲ୍ୟୁ ସଦସ୍ୟ ତଥା ଓଡିଶା କଂଗ୍ରେସର ଦାୟିତ୍ୱରେ ଥିବା ଡ. ଅଜୟ କୁମାର ଏକ ସାକ୍ଷାତକାରରେ କହିଛନ୍ତି ଯେ, 'ଏଥର ସମୟ କମ୍ ଏବଂ ଦୂରତା ଅଧିକ। ତେଣୁ ଯାତ୍ରା ଫର୍ମାଟରେ କିଛି ପରିବର୍ତ୍ତନ କରାଯାଇଛି | ଆମର ପ୍ରୟାସ ହେଉଛି ଅଧିକାଂଶ ଜିଲ୍ଲାକୁ କଭର କରିବା | ଯାତ୍ରାରେ ଅଧିକାଂଶ ଦୂରତା ରାହୁଲ ବସ୍ରେ ଯିବେ ଏବଂ ଅଳ୍ପ ଦୂରତା ପାଦରେ ଚାଲିବେ। ରାହୁଲଙ୍କ ଉକ୍ତ ଯାତ୍ରା ୧୪ଟି ରାଜ୍ୟ ଯଥା ମଣିପୁର, ନାଗାଲାଣ୍ଡ, ଆସାମ, ମେଘାଳୟ, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ଓଡ଼ିଶା, ଛତିଶଗଡ଼, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଗୁଜରାଟ ଏବଂ ମହାରାଷ୍ଟ୍ର ରାଜ୍ୟ ଦେଇ ସଂପାଦିତ ହେବ।