ନୂଆଦିଲ୍ଲୀ: ରିଲାଏନ୍ସ ଜିଓ, ଭାରତୀ ଏୟାରଟେଲ୍ ଏବଂ ଭୋଡାଫୋନ୍ ଆଇଡିଆ (ଭିଆଇ) ଭଳି ଭାରତୀୟ ଟେଲିକମ୍ କମ୍ପାନିମାନେ ଫିନଲାଣ୍ଡର ନୋକିଆ ଏବଂ ସ୍ୱିଡେନର ଏରିକ୍ସନ୍ ଠାରୁ ନେଟୱାର୍କ ଉପକରଣ  ଖରିଦ ପାଇଁ କୋଟି କୋଟି ଡଲାରର ଚୁକ୍ତି ସ୍ୱାକ୍ଷର କରିଛନ୍ତି। ଏହି ଡିଲ୍ ବିଶ୍ୱ ବଜାର ତୁଳନାରେ ୩୦-୪୦% ଶସ୍ତାରେ କରାଯାଇଛି। ଟେଲିକମ ଅପରେଟରମାନେ ଏହି ଶସ୍ତା ଡିଲ୍ ର ସୁଫଳ ଉପଭୋକ୍ତାଙ୍କୁ ଦେବାର ସମ୍ଭାବନା ରହିଛି । ଅର୍ଥାତ୍ ଅପରେଟରମାନେ ମୋବାଇଲ ସେବା ତାରିଫ ଶସ୍ତା କରିପାରନ୍ତି ।

Advertisment

ମେସନର ଏକ ବିଶ୍ଳେଷଣ ଅନୁଯାୟୀ, ଭାରତରେ ଟେଲିକମ ନେଟଓ୍ଵାର୍କର ବିଶାଳ ସଂପ୍ରସାରଣ ଯୋଗୁଁ ଉପକରଣ ଖର୍ଚ୍ଚର ବ୍ୟୟ ୪୦ ପ୍ରତିଶତ ହ୍ରାସ ପାଇଛି । କମ୍ପାନିର ବିଶେଷଜ୍ଞ ଅଶ୍ବିନ୍ଦର ସେଟ୍ଟୀ କହିଛନ୍ତି ଯେ ଭାରତ ଏବଂ ଚୀନରେ ଉପକରଣର ମୂଲ୍ୟ ମଧ୍ୟପ୍ରାଚ୍ୟ, ୟୁରୋପ ଏବଂ ଉତ୍ତର ଆମେରିକା ତୁଳନାରେ କମ୍ ।  ଏହା ସତ୍ତ୍ବେ ବିକାଶଶୀଳ ବଜାରଗୁଡ଼ିକ ବୃହତ ବଜାର ହୋଇଥିବାରୁ ଏଗୁଡ଼ିକରୁ  ଉପକରଣ ବିକ୍ରେତାମାନେ ନିଜର ରାଜସ୍ୱ ବଜାୟ ରଖିବା ଉପରେ ଗୁରୁତ୍ବ ଦେଉଛନ୍ତି । କାରଣ ନୋକିଆ, ସାମସଙ୍ଗ, ଏରିକ୍ସନ ପ୍ରଭୃତି ଉପକରଣ କମ୍ପାନିଗୁଡ଼ିକର ରାଜସ୍ବ ଅଭିବୃଦ୍ଧି ଆମେରିକା ଓ ୟୁରୋପରେ କମୁଥିବାବେଳେ ଭାରତ ଓ ଚୀନରେ ବଢୁଛି । 

ଭୋଡାଫୋନ-ଆଇଡିଆର ମୁଖ୍ୟ ପ୍ରଯୁକ୍ତି ବିଦ୍ୟା ଅଧିକାରୀ ଜଗବୀର ସିଂହ କହିଛନ୍ତି ଯେ ଭାରତରେ ହାରାହାରି ଏଆରପିୟୁ (ଉପଭୋକ୍ତା ପିଛା ହାରାହାରି ରାଜସ୍ୱ) ବହୁତ କମ୍ ଯେଉଁଥିପାଇଁ ବ୍ୟାପକ ନେଟୱାର୍କ ନିବେଶ ଆବଶ୍ୟକ । ସେ କହିଛନ୍ତି, ଯଦି ଆପଣ ୨ ଡଲାର ଏଆରପିୟୁ ସହ ବଜାରରେ ଅଛନ୍ତି, ତେବେ ନିଶ୍ଚିତ ଭାବେ ଦର ହ୍ରାସ ପାଇବା ଉଚିତ।