ନୂଆଦିଲ୍ଲୀ : ଛତିଶଗଡ଼ ମହାନଦୀ ଉପରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ କରିବା ସମୟରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ମାର୍ଗଦର୍ଶିକାକୁ ଧ୍ୟାନରେ ରଖି ସର୍ବନିମ୍ନ ଜଳପ୍ରବାହର ସର୍ତ୍ତାବଳୀ ପାଳନ କରିଛି ନା ନାହିଁ ତାହାକୁ କେନ୍ଦ୍ର ସରକାର ଅନୁଧ୍ୟାନ କରନ୍ତୁ ବୋଲି ଆଜି ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଲୋକସଭାରେ କହିଛନ୍ତି।
ସେ କହିଲେ ଛତିଶଗଡ଼ ଦ୍ବାରା ୨୦୧୬ ଅଗଷ୍ଟ ୨୭ରେ ଲେଖାଯାଇଥିବା ପତ୍ରରୁ ସ୍ପଷ୍ଟ ହେଉଛି ଯେ ଛତିଶଗଡ଼ ମହାନଦୀ ଜଳର ୨୫.୫ ମିଲିୟନ ଏମ୍ଏଏଫ୍ ବେଆଇନ ଅବରୋଧ ପାଇଁ ଏକତରଫା ଯୋଜନା କରିଛି। ୧୯୪୭ରେ ‘ସେଣ୍ଟ୍ରାଲ ୱାଟରୱେଜ ଇରିଗେସନ ଆଣ୍ଡ ନାଭିଗେସନ କମିସନ’ ଦ୍ବାରା ଜାରି ମହାନଦୀ ଅବବାହିକା ବିକାଶ ଏବଂ ହୀରାକୁଦ ଜଳଭଣ୍ଡାର ସମ୍ପର୍କିତ ରିପୋର୍ଟ ଅନୁସାରେ ମହାନଦୀରେ ସର୍ବନିମ୍ନ ଜଳପ୍ରବାହ ୨୦.୬୧ ଏମ୍ଏଏଫ୍ ରଖିବାକୁ ସ୍ଥିର ହୋଇଥିଲା। ଏଥିରୁ ଓଡ଼ିଶାକୁ ୧୨.୨୭ ଏମ୍ଏଏଫ୍ ଜଳ ଉପଯୋଗ କରିବା ପାଇଁ ଅନୁମତି ଦିଆଯାଇଛି। ବଳକା ଜଳ ଉପର ଅବବାହିକା ରାଜ୍ୟ ପାଇଁ ନିର୍ଦ୍ଧାରଣ ହୋଇଥିଲା।
ତେବେ କେନ୍ଦ୍ର ସରକାର କୌଣସି ପଦକ୍ଷେପ ନ ନେବା ପରେ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ମହାନଦୀ ଟ୍ରିବ୍ୟୁନାଲ ଗଠନ ହୋଇଥିଲା। ଟ୍ରିବ୍ୟୁନାଲ ୩୩ଟି ଶୁଣାଣି କରିସାରିଛନ୍ତି। ଆଗକୁ କେତେ ଶୁଣାଣି ହେବ କହିହେବ ନାହିଁ। ସେ ପ୍ରଶ୍ନ କରିଥିଲେ ଯେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ମାର୍ଗଦର୍ଶିକା ଅନୁସାରେ ଛତିଶଗଡ଼ରେ ବ୍ୟାରେଜ ନିର୍ମାଣ ହୋଇଛି କି ନାହିଁ, ହୀରାକୁଦ ଡ୍ୟାମର ସୁରକ୍ଷା ସକାଶେ ବନ୍ୟା ଜଳକୁ ରୋକିବାକୁ ଛତିଶଗଡ଼ ଜଳ ଭଣ୍ଡାରରେ ବ୍ୟବସ୍ଥା ଅଛି କି ନାହିଁ ତାହାର ଅନୁଧ୍ୟାନ ପାଇଁ ଶ୍ରୀ ମହତାବ ଦାବି କରିଥିଲେ। ସେ କହିଥିଲେ ଛତିଶଗଡ଼ରୁ ମହାନଦୀ ଜଳପ୍ରବାହ ବନ୍ଦ ହୋଇଯାଇଛି। ମହାନଦୀର ଜଳପ୍ରବାହକୁ ସୁନିଶ୍ଚିତ କରିବା ପାଇଁ ସେ କେନ୍ଦ୍ର ସରକାରଙ୍କର ହସ୍ତକ୍ଷେପ ଲୋଡ଼ିଥିଲେ।