ଭର୍ତ୍ତୃହରି ମହତାବ ‘ଲାଇଫ୍‌ ଟାଇମ୍‌ ଆଚିଭ୍‌ମେଣ୍ଟ ଆୱାର୍ଡ’ ପାଇଁ ‌ମନୋନୀତ

ନୂଆଦିଲ୍ଲୀ/କଟକ : କଟକ ସାଂସଦ ଭର୍ତ୍ତୃହରି ମହତାବ ଲୋକମତ ମିଡିଆ ଗ୍ରୁପ ପକ୍ଷରୁ ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ ‘ଲାଇଫଟାଇମ୍‌ ଆଚିଭମେଣ୍ଟ୍ ଆୱାର୍ଡ, ଲୋକସଭା-୨୦୨୨ ପାଇଁ ମନୋନୀତ ହୋଇଛନ୍ତି। ଡିସେମ୍ବର ୨୭ ତାରିଖରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜନ ହେବାକୁ ଥିବା କାର୍ଯ୍ୟକ୍ରମରେ ଶ୍ରୀ ମହତାବଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। କାର୍ଯ୍ୟକ୍ରମର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯୋଗ ଦେଇ ଏହି ସମ୍ମାନ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି।

କୋଭିଡ୍ ମହାମାରୀ ପାଇଁ ଏହି ସମ୍ମାନ ୨୦୨୦ ଓ ୨୦୨୧ରେ ପ୍ରଦାନ କରାଯାଇ ନଥିବା ବେଳେ ତା ପୂର୍ବରୁ ଲାଲକୃଷ୍ଣ ଆଡଭାନୀ, ଡକ୍ଟର ମୁରଲୀ ମନୋହର ଯୋଶୀ ଓ ମୁଲାୟମ ସିଂ ଯାଦବଙ୍କୁ ଯଥାକ୍ରମେ ୨୦୧୭, ୨୦୧୮, ୨୦୧୯ରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ଏନସିପି ମୁଖ୍ୟ ତଥା ବରିଷ୍ଠ ରାଜନେତା ଶରଦ ପାୱାରଙ୍କ ଅଧ୍ୟକ୍ଷତାରେ ଗଠିତ ୧୩ ଜଣିଆ ଜୁରି କମିଟି ଚଳିତ ବର୍ଷ ଏହି ସମ୍ମାନ ପାଇଁ ଶ୍ରୀ ମହତାବଙ୍କୁ ମନୋନୀତ କରିଛନ୍ତି। ଏହି କମିଟିରେ ଗୁଲାମ ନବୀ ଆଜାଦ, ସୁରେଶ ପ୍ରଭୁ, ସୌଗତ ରାୟ, ପୂର୍ବତନ ନିର୍ବାଚନ କମିଶନର ଡଃ ଏସ ୱାଇ କ୍ୟୁରେସୀ, ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ର ପୂର୍ବତନ ସଂପାଦକ ଶେଖର ଗୁପ୍ତା ଓ ରାଜ୍ୟସଭାର ପୂର୍ବତନ ସେକ୍ରେଟାରୀ ଜେନେରାଲ ଯୋଗେନ୍ଦ୍ର ନାରାୟଣ ପ୍ରମୁଖ ସଦସ୍ୟ ଅଛନ୍ତି। ସୂଚନାଯୋଗ୍ୟ ଯେ ସାଂସଦ ଶ୍ରୀ ମହତାବ ୨୦୨୦ରେ ସଂସଦ ରତ୍ନ ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଥିଲେ।

ସମ୍ବନ୍ଧିତ ଖବର