ରାଷ୍ଟ୍ରପତି ନିର୍ବାଚନରେ ପଞ୍ଚମ ଥର ପାଇଁ ଭୋଟ ଦେବେ ଭର୍ତ୍ତୃହରି

ନୂଆଦିଲ୍ଲୀ : ଚଳିତ ମାସ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବ। ବର୍ତ୍ତମାନ ରାଜ୍ୟସଭାରେ ଓଡ଼ିଶାରୁ ୧୦ ଜଣ ସାଂସଦ ପ୍ରତିନିଧିତ୍ବ କରୁଥିବାବେ‌ଳେ ଲୋକସଭାରେ ଅଛନ୍ତି ୨୧ ସାଂସଦ। ସଂସଦର ଉଭୟ ସଦନରେ ଥିବା ସାଂସଦମାନଙ୍କ ମଧ୍ୟରୁ ବିଜେଡିର ୨୧, ବିଜେପିର ୯ ଏବଂ କଂଗ୍ରେସର ଜଣେ ସାଂସଦ ଅଛନ୍ତି। ଓଡ଼ିଶାର ମୋଟ ୩୧ ସାଂସଦଙ୍କ ମଧ୍ୟରୁ ପୂର୍ବରୁ ରାଷ୍ଟ୍ରପତି ନିର୍ବାଚନରେ ୭ ଜଣ ଭୋଟ ଦାନ କରିଛନ୍ତି। ବିଜେଡିର ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ସର୍ବାଧିକ ୪ ଥର ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେଇଛନ୍ତି। ଏଥର ସେ ପଞ୍ଚମ ଥର ପାଇଁ ଭୋଟ ଦେ‌ବେ।

ଭର୍ତ୍ତୃହରିଙ୍କ ପରେ ପୂର୍ବରୁ ବିଜେଡି ସଂସଦୀୟ ଦଳ ନେତା ପିନାକୀ ମିଶ୍ର ୩ ଥର ଭୋଟ ଦେଇଛନ୍ତି। ଏଥର ଶ୍ରୀ ମିଶ୍ର ଚତୁର୍ଥ ଥର ପାଇଁ, ଚନ୍ଦ୍ରଶେଖର ସାହୁ ଏବଂ ଅନୁଭବ ମହାନ୍ତି ଦ୍ବିତୀୟ ଥର ପାଇଁ ଭୋଟ ଦେବେ। ପୂର୍ବରୁ ବିଧାୟକ ଭାବେ ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେଇଥିବା ବିଜେଡିର ମହେଶ ସାହୁ, ରାଜଶ୍ରୀ ମଲିକ ଓ ରମେଶ ମାଝି ଏଥିର ସାଂସଦ ଭାବେ ଭୋଟ ଦେବେ। ସାଂସଦ ପ୍ରମିଳା ବିଶୋୟୀ, ମଂଜୁଲତା ମଣ୍ଡଳ, ଶର୍ମିଷ୍ଠା ସେଠି, ଅଚ୍ୟୁତାନନ୍ଦ ସାମନ୍ତ, ଚନ୍ଦ୍ରାଣୀ ମୁର୍ମୁ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେବେ। ସେହି ଭଳି ରାଜ୍ୟସଭାରେ ପ୍ରତିନିଧିତ୍ବ କରୁଥିବା ବି‌ଜେଡିର ୯ ଜଣ ସାଂସଦ ରାଷ୍ଟ୍ରପତି ନିର୍ବାଚନରେ ପ୍ରଥମଥର ପାଇଁ ନିଜ ସାମ୍ବିଧାନିକ ଅଧିକାର ସ‌ାବ୍ୟସ୍ତ କରିବେ । ଏମାନଙ୍କୁ ମଧ୍ୟରୁ କେବଳ ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୂର୍ବରୁ ବିଧାୟକ ଭାବେ ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେବାର ଅନୁଭବ ରହିଛି।

ବିଜେପି ଲୋକସଭା ସାଂସଦମାନଙ୍କ ମଧ୍ୟରୁ ଜୁଏଲ ଓରାମ ଏଥର ଚତୁର୍ଥ ଥର ପାଇଁ ଓ ସଙ୍ଗୀତା କୁମାରୀ ସିଂହଦେଓ ତୃତୀୟ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେବେ। ସାଂସଦ ସୁରେଶ ପୂଜାରୀ, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଅପରାଜିତା ଷଡ଼ଙ୍ଗୀ, ବସନ୍ତ କୁମାର ପଣ୍ଡା, ବିଶ୍ବେଶ୍ବର ଟୁଡୁ ଓ ନୀତେଶ ଗଙ୍ଗଦେବ ପ୍ରଥମ ଥର ପାଇଁ ରା‌ଷ୍ଟ୍ରପତି ନିର୍ବାଚନରେ ମତାଧିକାର ସାବ୍ୟସ୍ତ କରିବେ। ଏମାନଙ୍କ ମଧ୍ୟରୁ ପ୍ରତାପ ଷଡ଼ଙ୍ଗୀ, ନୀତେଶ ଗଙ୍ଗଦେବ, ବସନ୍ତ କୁମାର ପଣ୍ଡା ବିଧାୟକ ଭାବେ ପୂର୍ବରୁ ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦାନ କରିଥିଲେ। ବିଜେପି ରାଜ୍ୟସଭା ସଦସ୍ୟ ଅଶ୍ବିନୀ ବୈଷ୍ଣବ ମଧ୍ୟ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେବେ।‌ ରାଜ୍ୟସଭାକୁ ଓଡ଼ିଶାରୁ ପ୍ରତିନିଧିତ୍ବ କରୁଥିବା ସମସ୍ତ ୧୦ ସାଂସଦ ରାଜ୍ୟସଭା ନିର୍ବାଚନରେ ପ୍ରଥମ ଥର ପାଇଁ ଭୋଟଦାନ କରିବେ। ମଧ୍ୟ ପ୍ରଦେଶରୁ ରାଜ୍ୟସଭାକୁ ପ୍ରତିନିଧିତ୍ବ କରୁଥିବା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚତୁର୍ଥ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେବେ। ଲୋକସଭାରେ କୋରାପୁଟ ସଂସଦୀୟ କ୍ଷେତ୍ରରୁ ପ୍ରତିନିଧିତ୍ବ କରୁଥିବା କଂଗ୍ରେସ ସାଂସଦ ସପ୍ତଗିରି ଉଲାକା‌ ମଧ୍ୟ ରାଷ୍ଟ୍ରପତି ନିର୍ବାଚନରେ ପ୍ରଥମ ଥର ନିଜ ମତାଧିକାର ସାବ୍ୟସ୍ତ କରିବେ। ରାଷ୍ଟ୍ରପତି ନିର୍ବାଚନରେ ସାଂସଦମାନେ ଦିଲ୍ଲୀରେ ଭୋଟଦାନ କରିବେ। ନିର୍ବାଚନ କମିସନ ଦେଇଥିବା କଲମରେ ହିଁ ଭୋଟ ଦିଆଯିବ।

ସମ୍ବନ୍ଧିତ ଖବର