ନୂଆଦିଲ୍ଲୀ: ସାଧାରଣ ଲୋକ ଯେକୌଣସି ସ୍ଥାନରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିପାରିବେ। ଧାର୍ମିକ ଅନୁଷ୍ଠାନ ପରିସର ବାହାରେ ମଧ୍ୟ ଆନ୍ଦୋଳନ କରିହେବ। ଆନ୍ଦୋଳନ ଜଣେ ବ୍ୟକ୍ତିର ସାମ୍ବିଧାନିକ ଅଧିକାର । ଏଥିରେ କିଛି ଭୁଲ୍ ନାହିଁ ବୋଲି ଦିଲ୍ଲୀର ତିସ୍ ହଜାରୀ କୋର୍ଟ ଆଜି ଭୀମ ସେନା ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କ ଜାମିନ ଆବେଦନର ଶୁଣାଣି କରି କହିଛନ୍ତି। କୋର୍ଟ ଆଜି ଦିଲ୍ଲୀ ପୁଲିସ ବିରୋଧରେ ପ୍ରବଳ ବର୍ଷିଛନ୍ତି। କୋର୍ଟ କହିଛନ୍ତି, ଜାମା ମସଜିଦ୍ ପାକିସ୍ତାନରେ ନାହିଁ ଯେ ଆନ୍ଦୋଳନ ପାଇଁ ଅନୁମତି ମିଳିବନି। ପାକିସ୍ତାନରେ ମଧ୍ୟ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ହୋଇପାରୁଥିବା କୋର୍ଟ କହିଛନ୍ତି।
ଉଲ୍ଲେଖଯୋଗ୍ୟ ଭୀମ ସେନା ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ଜାମା ମସଜିଦ୍ ନିକଟରେ ସିଏଏ ବିରୋଧରେ ଆନ୍ଦୋଳନ କରିଥିଲେ। ତାଙ୍କୁ ଦରିୟାଗଂଜରୁ ଗିରଫ କରାଯାଇଥିଲା। ତେବେ କୋର୍ଟ ଆଜି ଆଜାଦଙ୍କ ଜାମିନ ଆବେଦନର ଶୁଣାଣି ସମୟରେ ଆରମ୍ଭରୁ ଦିଲ୍ଲୀ ପୁଲିସ ଉପରେ ବିରକ୍ତ ହୋଇଥିଲେ। ଚନ୍ଦ୍ରଶେଖର ଆଜାଦଙ୍କ ବିରୋଧରେ କେଉଁ ଅଭିଯୋଗ ଅଛି ବୋଲି ବିଚାରପତି କାମିନି ଲଉ ପଚାରିବାରୁ ଦିଲ୍ଲୀ ପୁଲିସ ପକ୍ଷରୁ କୋର୍ଟରେ ଉପସ୍ଥିତ ଥିବା ଓକିଲ ଏଥିରେ ଅଜ୍ଞତା ପ୍ରକାଶ କରିଥିଲେ। କୋର୍ଟ ଏଥିରେ ଖୁବ୍ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ପରେ ସରକାରୀ ଓକିଲ ଆଜାଦଙ୍କ ସୋସିଆଲ ମିଡିଆ ପୋଷ୍ଟ୍କୁ ଦର୍ଶାଇ ସେ ହିଂସା ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ ବୋଲି ଯୁକ୍ତି କରିଥିଲେ। ତେବେ ବିଚାରପତି ଆଜାଦଙ୍କ ସୋସିଆଲ ମିଡିଆ ପୋଷ୍ଟ୍ ପଢ଼ିଥିଲେ। ଏଥିରେ ସେ ଜାମା ମସଜିଦ୍ ନିକଟକୁ ଧାରଣା ପାଇଁ ଯାଉଥିବା କହିଥିଲେ। ତେବେ ବିଚାରପତି ଏଥିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଧାରଣା ଏବଂ ଆନ୍ଦୋଳନରେ ଭୁଲ୍ କ’ଣ। ଜଣେ ବ୍ୟକ୍ତିର ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ପାଇଁ ସାମ୍ବିଧାନିକ ଅଧିକାର ରହିଛି। ଆଜାଦଙ୍କ ଦ୍ବାରା ସୋସିଆଲ ମିଡିଆରେ ଯେଉଁ ପୋଷ୍ଟ୍ କରାଯାଇଥିଲା ତାହା ଅସାମ୍ବିଧାନିକ ନୁହେଁ ବୋଲି ବିଚାରପତି କହିଛନ୍ତି। ପରେ ଓକିଲ ଧାରା ୧୪୪ କଥା ଉଠାଇଥିଲେ। କିନ୍ତୁ ବିଚାରପତି ପୁଣିଥରେ କହିଥିଲେ ଯେ ବାରମ୍ବାର ୧୪୪ ର ବ୍ୟବହାର ହେଉଛି ଅପବ୍ୟବହାର। ଏହା ସୁପ୍ରିମକୋର୍ଟ କହି ସାରିଛନ୍ତି। ତେବେ କେଉଁ ଆଇନ ଜନସାଧାରଣଙ୍କୁ ଧାର୍ମିକ ଅନୁଷ୍ଠାନକୁ ପ୍ରବେଶ କରିବାରୁ ବାରଣ କରିଛି ବୋଲି ବିଚାରପତି ପ୍ରଶ୍ନ କରିଛନ୍ତି। କୋର୍ଟ ଆସନ୍ତାକାଲି ପର୍ଯ୍ୟନ୍ତ ଆଜାଦଙ୍କ ଜାମିନ ଆବେଦନ ଶୁଣାଣିକୁ ସ୍ଥଗିତ ରଖିଛନ୍ତି।