ନୂଆଦିଲ୍ଲୀ: ବଢୁଛି ପ୍ରଶାନ୍ତ କିଶୋରଙ୍କ ବଳ । ରାଜନୀତି ରଣନୀତିକାର ଭାବେ ଜଣାଶୁଣା ପ୍ରଶାନ୍ତଙ୍କ ନୂଆ ଦଳ ନେତାଙ୍କୁ ଆକୃଷ୍ଟ କରୁଛି । ପ୍ରଶାନ୍ତଙ୍କ ଜନ ସୂରାଜ ପାର୍ଟିରେ ଯୋଗଦେବାକୁ ଏବେ ବିଭିନ୍ନ ବ୍ୟକ୍ତିଙ୍କର ଲମ୍ବା ଲାଗୁଥିବା ସୂଚନା ମିଳିଥିବା ବେଳେ ଏହାରି ଭିତରେ ପ୍ରଶାନ୍ତଙ୍କ ପାର୍ଟିରେ ଯୋଗ ଦେଇପାରନ୍ତି ଚର୍ଚ୍ଚିତ ଭୋଜପୁରୀ କଣ୍ଠଶିଳ୍ପୀ ପବନ ସିଂହ ।

Advertisment

ଚଳିତ ମାସରେ ବିଜେପି ଛାଡ଼ିଥିଲେ ଚର୍ଚ୍ଚିତ ୟୁଟ୍ୟୁବର୍ ମନୀଷ କଶ୍ୟପ । ଏହାର କିଛିଦିନ ପରେ ହିଁ ସେ ଜଣାଶୁଣା ଭୋଜପୁରୀ କଣ୍ଠଶଳ୍ପୀ ପବନ ସିଂହଙ୍କୁ ଭେଟିଥିଲେ । ଏବେ ଚର୍ଚ୍ଚା ହେଉଛି ମନୀଷ ବିଜେପି ଛାଡ଼ିବା ପରେ ରାଜନୀତି ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ଜନ ସୂରାଜ ପାର୍ଟିରେ ଯୋଗଦେବେ । ଖାଲି ସେତିକି ନୁହେଁ, ମନୀଷ କଶ୍ୟପଙ୍କ ସହ ଭୋଜପୁରୀ କଣ୍ଠଶିଳ୍ପୀ ପବନ ସିଂହ ମଧ୍ୟ ଜନ ସୂରାଜ ପାର୍ଟିରେ ଯୋଗ ଦେଇପାରନ୍ତି ।

ଭୋଜପୁରୀ କଣ୍ଠଶିଳ୍ପୀ ପବନ ସିଂଙ୍କ ପାଖରେ ଜନ ସୂରାଜ ପାର୍ଟିରେ ଯୋଗଦେବା ଛଡ଼ା ଅନ୍ୟ କିଛି ବିକଳ୍ପ ନାହିଁ ବୋଲି ବିହାର ରାଜନୀତି ମହଲ ଆଲୋଚନା ହେଉଛି । ଗତବର୍ଷ ଲୋକସଭା ନିର୍ବାଚନ ଫଳାଫଳ ଆସିବାର  ୩ ମାସ ପରେ ପବନ ସିଂହ ଓ ତାଙ୍କ ପତ୍ନୀ ଜ୍ୟୋତି ସିଂହ ପ୍ରଶାନ୍ତ କିଶୋରଙ୍କୁ ଭେଟିଥିଲେ । ଏହାପରେ ପୂର୍ବତନ ଆଇପିଏସ୍ ଅଫିସର ଆନନ୍ଦ ମିଶ୍ରାଙ୍କ ସହ ନଜର ଆସିଥିଲେ ପବନ ସିଂହ । ଏହା ପରଠୁ ହିଁ ଏହି ଜଣାଶୁଣା କଣ୍ଠଶିଳ୍ପୀ ଜନ ସୂରାଜ ପାର୍ଟିରେ ସାମିଲ ହେବେ ବୋଲି ଚର୍ଚ୍ଚା ହୋଇଆସୁଥିଲା । ପୂର୍ବତନ ଆଇପିଏସ୍ ଅଫିସର ଆନନ୍ଦ ମିଶ୍ରାଙ୍କୁ ଜନ ସୂରାଜ ପାର୍ଟିର ଯୁବ ସଂଗଠନର ଅଧ୍ୟକ୍ଷ ନିଯୁକ୍ତ କରାଯାଇଥିଲା । ହେଲେ ଆଇପିଏସ୍ ଅଧିକାରୀରୁ ରାଜନୀତିକୁ ଓହ୍ଲାଇଥିବା ଆନନ୍ଦ ମିଶ୍ରା ଗତମାସରେ ଏହି ପଦରୁ ଇସ୍ତଫା ଦେଇଥିଲେ । ସେ ହିଁ ପବନ ସିଂହଙ୍କୁ ଦଳରେ ସାମିଲ କରାଇବେ ବୋଲି କୁହାଯାଉଥିଲା ।

ସେପଟେ ପବନ ସିଂହଙ୍କ କଥା ଯଦି ବିଚାର କରିବା ତେବେ ତାଙ୍କର ନିଜର ଏକ ପ୍ରଶଂସକ ମହଲ ରହିଛି । ୨୦୨୪ ଲୋକସଭା ନିର୍ବାଚନରେ ସ୍ୱାଧୀନ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଏହି ନିର୍ବାଚନରେ ୨ ଲକ୍ଷ ୭୪ ହଜାର ୭୨୩ ଭୋଟ ପାଇ ରାଜନୀତିରେ ନିଜ ପାୱାର ଦେଖାଇଥିଲେ ପବନ ସିଂହ । ଶାହାବାଦ ଆସନରୁ ନିର୍ଚାଚନ ଲଢ଼ିଥିଲେ ପବନ ସିଂହ । ଏହି ଆସନ ଉପରେ ବିଜେପି, ଆରଜେଡି ଫୋକସରେ ରହିଆସିଛି । 

ବିଜେପି ସହ ଦୀର୍ଘ ବର୍ଷ ହେଲା କାମ କରିଥିଲେ ପବନ ସିଂହ । ଗତ ବର୍ଷ ଲୋକସଭା ନିର୍ବାଚନ ବେଳେ ତାଙ୍କୁ ପଶ୍ଚିମବଙ୍ଗର ଆସାନସୋଲରୁ ଟିକେଟ ବି ଦେଇଥିଲା ଦଳ । ବିହାର କୌଣସି ଏକ ଆସନରୁ ଲଢ଼ିବା ଜିଦରେ ସେ ବିଜେପି ଛାଡ଼ି ଦେଇଥିଲେ । ଏହା ପରେ ପବନଙ୍କ ପାଇଁ ବିଜେପି ବାଟ ବନ୍ଦ ହୋଇଛି । ସେପଟେ ଜନ ସୂରାଜ ଦଳ ମଧ୍ୟ ପବନ ସିଂଙ୍କ ଭଳି ଏକ ଜଣାଶୁଣା ଚେହେରା ଖୋଜୁଛି । ପବନ ସିଂହ ଖୋଦ କେବେ ଅନ୍ୟ କୌଣସି ଦଳ କିମ୍ବା ଦଳୀୟ ନେତାଙ୍କ ବିଷୟରେ ଆଲୋଚନା କରିନାହାନ୍ତି । ଏଣୁ ଆକଳନ ହେଉଛି ଯେ, ପବନ ସିଂହ ମଧ୍ୟ ମନୀଷ କଶ୍ୟପଙ୍କ ସହ ଜନ ସୂରାଜ ପାର୍ଟିରେ ଯୋଗ ଦେବେ ।