ଭୋପାଳ: କରୋନା ମୃତ୍ୟୁର ୭୫ ପ୍ରତିଶତ ଗ୍ୟାସ୍‌ ଦୁର୍ଘଟଣା ପୀଡ଼ିତ

ଭୋପାଳ: ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ କରୋନା ଭାଇରସ୍‌ ଯୋଗୁଁ ପ୍ରାଣ ହରାଇଥିବା ପ୍ରାୟ ୭୫ ପ୍ରତିଶତ ରୋଗୀ ୧୯୮୪ ଭୋପାଳ ଗ୍ୟାସ୍‌ ଦୁର୍ଘଟଣାର ଶିକାର ହୋଇଥିଲେ। ୧୯୮୪ ଭୋପାଳ ଗ୍ୟାସ୍‌ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିମାନଙ୍କ ମଙ୍ଗଳ ପାଇଁ କାମ କରୁଥିବା ସ୍ବେଚ୍ଛାସେବୀ ସଂସ୍ଥା ପକ୍ଷରୁ ଏହା କୁହାଯାଇଛି ଯେ, ରୋଗ ପ୍ରତିରୋଧକ ଶକ୍ତି ଖୁବ୍‌ କମ୍‌ ଥିବାରୁ ସେମାନେ କୋଭିଡ୍‌ ଭଳି ମହାମାରୀ ସହ ମୁକାବିଲା କରିପାରୁନାହାନ୍ତି ତେଣୁ ସେମାନଙ୍କର ମୃତ୍ୟୁ ହୋଇଯାଇଛି। ବିଶ୍ବର ସବୁଠୁ ଭୟଙ୍କର ଶିଳ୍ପ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ବ୍ୟକ୍ତିବିଶେଷଙ୍କ ପାଇଁ କାମ କରୁଥିବା ବିଜିଆଇଏ (ଭୋପାଳ ଗ୍ରୁପ୍‌ ଫର ଇନଫ‌ରମେସନ୍‌ ଆଣ୍ଡ୍‌ ଆକ୍ସନ୍‌) ଏବଂ ଅନ୍ୟ ୩ଟି ସ୍ବେଚ୍ଛାସେବୀ ସଂସ୍ଥା ଏନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ପାଖକୁ ଚିଠି ଲେଖିଛନ୍ତି।

ଏହା ଜଣାପଡ଼ିଛି ଯେ, ଜୁନ୍‌ ୧୧ ପର୍ଯ୍ୟନ୍ତ ଭୋପାଳରେ କରୋନା ଯୋଗୁଁ ପ୍ରାଣ ହାରିଥିବା ୬୦ ରୋଗୀଙ୍କ ମଧ୍ୟରୁ ୪୮ ଜଣ ଗ୍ୟାସ୍‌ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଗତ ୩୫ ବର୍ଷ ପୂର୍ବେ ଗ୍ୟାସ୍‌ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ୩ ଜଣ ବାପା ମା’ଙ୍କ ଔ‌ରସରୁ ଜନ୍ମ ହୋଇଥିବା ୩ ଜଣ ବ୍ୟକ୍ତିଙ୍କର ମଧ୍ୟ କରୋନାରେ ମୃତ୍ୟୁ ହୋଇଯାଇଛି। ତେବେ ଗ୍ୟାସ୍‌ ଦୁର୍ଘଟଣାର ଶିକାର ହୋଇଥିବା ପ୍ରାୟ ୮୧ ପ୍ରତିଶତ ରୋଗୀ ଯେଉଁମାନଙ୍କର କରୋନାରେ ମୃତ୍ୟୁ ହୋଇଛି ‌ସେମାନଙ୍କର ପୂର୍ବରୁ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଥିଲା ବୋଲି କୁହାଯାଉଛି। ଗ୍ୟାସ୍‌ ଦୁର୍ଘଟଣା ପାଇଁ ସେମାନେ ପୂର୍ବରୁ ବିଭିନ୍ନ ରୋଗ‌ରେ ପୀଡ଼ିତ ଥିଲେ। ତେଣୁ ଗ୍ୟାସ୍‌ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିମାନଙ୍କ ସ୍ବାସ୍ଥ୍ୟକୁ ନଜରରେ ରଖି ଏକ ସ୍ବତନ୍ତ୍ର ବ୍ୟବସ୍ଥା କରିବାପାଇଁ କୁହାଯାଇଛି।

ସମ୍ବନ୍ଧିତ ଖବର