ଭୋପାଳ: ମଧ୍ୟ ଓ ଉତ୍ତର ଭାରତରେ ଏବେ ଶୀତର ପ୍ରକୋପ ଜୋର୍‌ ଧରିଛି। ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ୧୭ ନଭେମ୍ବର ସକାଳେ ସର୍ବନିମ୍ନ ତାପମାତ୍ରା ୫.୨ ଡିଗ୍ରି ସେଲସିୟସ ରେକର୍ଡ ହୋଇଛି।  ୧୯୪୧ ନଭେମ୍ବରର (୬.୨ ଡିଗ୍ରି ସେଲସିୟସ ) ପୁରୁଣା ରେକର୍ଡକୁ ଭାଙ୍ଗି ୮୪ ବର୍ଷ ପରେ ଚଳିତ ଶୀତ ନୂଆ ରେକର୍ଡ ସୃଷ୍ଟି କରିଛି। ମାସର ସ୍ବାଭାବିକ ତାମାମାତ୍ରା ୯.୨  ଡିଗ୍ରି ସେଲସିୟସ କମ୍ ହେବାରୁ ସହର ଘନ କୁହୁଡ଼ି ଓ ପ୍ରବଳ ଶୀତର କବଳିତ ହୋଇଛି।  ମୁଖ୍ୟ ରାସ୍ତାରେ ଦୃଶ୍ୟମାନତା ୨୦୦ ମିଟରରୁ କମ୍ ହୋଇଯାଇଛି, ବିମାନ ଉଡ଼ାଣ ଓ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହେଉଛି।

Advertisment

ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) କହିଛି ଯେ ହିମାଳୟରେ ସଂପ୍ରତି ତୁଷାରପାତ (ହିମାଚଳ, ଜମ୍ମୁ-କାଶ୍ମୀର, ଉତ୍ତରାଖଣ୍ଡ) ଓ ଉତ୍ତର-ପଶ୍ଚିମରୁ ଆସୁଥିବା ହିମଶୀତଳ ବାୟୁ ଏହି ପ୍ରବଳ ଶୀତର ମୁଖ୍ୟ କାରଣ। ମଧ୍ୟପ୍ରଦେଶରେ ଏବେ ୨୫ରୁ ଅଧିକ ଜିଲ୍ଲାରେ ଶୀତ ଲହର ଚାଲିଛି। ଅନ୍ୟପକ୍ଷରେ ରାଜସ୍ଥାନର ବିଭିନ୍ନ ଜିଲ୍ଲାରେ ତାପମାତ୍ରା ୫ ଡିଗ୍ରି ତଳେ ରହିଛି। ମାଉଣ୍ଟ ଆବୁ ରାଜ୍ୟର ସର୍ବାଧିକ ଶୀତଳତମ ସ୍ଥାନ ଥିବା ବେଳେ  ଚୁରୁ, ଶ୍ରୀଗଙ୍ଗାନଗରରେ  ତାପାମତ୍ରା ୭ ଡିଗ୍ରି ସେଲସିୟସ ରହିଛି। ସମଗ୍ର ଛତିଶଗଡ଼ ମଧ୍ୟ ଶୀତ ଲହରକୁ ସାମ୍ନା କରୁଛି।   ଦିଲ୍ଲୀରେ ଶୀତ ବଢ଼ିବା ସହ  ଘନ କୁହୁଡ଼ି ଓ ପ୍ରଦୂଷଣ ବଢ଼ିଛି।