ପ୍ରୟାଗରାଜ: ମହାକୁମ୍ଭ ମଧ୍ୟରେ, ହର୍ଷା ରିଚାରିଆ ନାମକ ଜଣେ ମହିଳାଙ୍କ ସାଧ୍ୱୀ ବେଶ ଚର୍ଚ୍ଚାରେ ରହିଛି। ତାଙ୍କ ସୌନ୍ଦର୍ଯ୍ୟ ଯୋଗୁଁ ତାଙ୍କର ଅନେକ ଫଟୋ ଭାଇରାଲ ହେଉଛି। କିଛି ଦିନ ତଳେ ତାଙ୍କୁ ସାଧ୍ବୀ ନକହିବାକୁ କହିଥିଲେ ହର୍ଷା । 'ମୁଁ ଏପର୍ଯ୍ୟନ୍ତ ସନ୍ନ୍ୟାସ ନେବି କି ନାହିଁ ସ୍ଥିର କରିନାହିଁ। କାରଣ ସନ୍ନ୍ୟାସ ନେଲେ ବିବାହ କରିପାରିବି ନାହିଁ। ତେଣୁ ମୋତେ ସାଧ୍ବୀ କୁହନ୍ତୁ ନାହିଁ' ବୋଲି ହର୍ଷା କହିଥିଲେ। ଏବେ ତାଙ୍କ ମାତାପିତା ଝିଅର ବିବାହ ପ୍ରସ୍ତୁତି ଆରମ୍ଭ ହୋଇସାରିଛି ବୋଲି କହିଛନ୍ତି।
ସେମାନେ କହିଛନ୍ତି ଯେ, "ଆମେ ହର୍ଷାଙ୍କ ପାଇଁ ୨ଟି ପୁଅ ଦେଖିଛୁ। ସେ ଯେଉଁଠି କହିବେ ସେଇଠି ବିବାହ ହେବ। ହର୍ଷା ସାଧ୍ୱୀ ହୋଇନାହାଁନ୍ତି। ସେ କେବଳ ଧର୍ମ ଏବଂ ଆଧ୍ୟାତ୍ମିକତା ପ୍ରତି ଆକର୍ଷିତ ହୋଇଛନ୍ତି। ଆମେ ଆମର ଝିଅର ପସନ୍ଦକୁ ସମ୍ମାନ ଦେଉଛୁ ଏବଂ ତାଙ୍କୁ ଟ୍ରୋଲ୍ ନ କରିବାକୁ ମଧ୍ୟ ନିବେଦନ କରୁଛୁ।"
ହର୍ଷାଙ୍କ ମା’ଙ୍କ କହିବା ମୁତାବକ, "ଆମେ ବହୁତ ସଂଘର୍ଷ କରିଛୁ। ମୁଁ ଚାହୁଛି ମୋ ଝିଅ ଖୁସିରେ ରହୁ। ତାକୁ ମହାକୁମ୍ଭରେ ସାଧ୍ବୀ ବେଶରେ ଦେଖି ମୁଁ କାନ୍ଦି ପକାଇଥିଲି। ଭାବିଲି ସେ ସନ୍ନ୍ୟାସ ଗ୍ରହଣ କରିନେଇଛି। କିନ୍ତୁ ସେ ସେଭଳି କିଛି କରିନଥିବା କହିବା ପରେ ମୁଁ ଶାନ୍ତ ହେଲି। ଆମେ ଡେରାଡୁନ ଓ ନାସିକରେ ୨ଜଣ ପୁଅଙ୍କୁ ବାଛିଛୁ। ସେ ଯେଉଁଠି କହିବେ ସେଇଠି ବିବାହ କରାଇବୁ।"
ଏହା ପୂର୍ବରୁ ହର୍ଷା କହିଥିଲେ ଯେ, "ମୋତେ ସାଧ୍ବୀ କୁହନାହିଁ। ମୁଁ ପ୍ରାୟ ଅଢ଼େଇ ବର୍ଷ ପୂର୍ବରୁ ମୋ ଗୁରୁଙ୍କଠାରୁ ଦୀକ୍ଷା ନେଇଥିଲି। କିନ୍ତୁ ବର୍ତ୍ତମାନ ମୁଁ ସନ୍ନ୍ୟାସ ଗ୍ରହଣ କରିବା ବିଷୟରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ଚାହୁଁନାହିଁ। ସନ୍ନ୍ୟାସ ନେବା ପରେ ବିବାହ କରିପାରିବି ନାହିଁ। ତେଣୁ ମୁଁ ଏବେ ବି ଦ୍ୱନ୍ଦ୍ୱରେ ଅଛି ଏବଂ ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରି ନାହିଁ। ଏବେ ମୁଁ କେବଳ ଯୁବପିଢ଼ିଙ୍କୁ ସନାତନ ଧର୍ମ ବିଷୟରେ ଅଧିକ ସୂଚନା ଦେବାକୁ ଚାହୁଁଛି।"