ଭୋପାଳ: ଜାତୀୟ ତଦନ୍ତ ସଂସ୍ଥା (ଏନ୍ଆଇଏ)ର ଏକ କୋର୍ଟ ମଙ୍ଗଳବାର ଆଇଏସ୍ଆଇଏସ୍ ସଂଗଠନ ସହ ସମ୍ପୃକ୍ତ ଥିବା ୭ ଜଣ ଆତଙ୍କବାଦୀଙ୍କୁ ୨୦୧୭ ଭୋପାଳ-ଉଜ୍ଜୟିନୀ ଯାତ୍ରୀବାହୀ ଟ୍ରେନ୍ ବିସ୍ଫୋରଣ ମାମଲାରେ ମୃତ୍ୟୁଦଣ୍ଡାଦେଶ ପ୍ରଦାନ କରିଛନ୍ତି।
ତଦନ୍ତରୁ ଜଣାପଡ଼ିଥିଲା ଯେ ଉକ୍ତ ଆତଙ୍କବାଦୀମାନେ ଉତ୍ତରପ୍ରଦେଶ କାନପୁର ଅଞ୍ଚଳର। ସେମାନେ ଟ୍ରେନରେ ବୋମା ଖଞ୍ଜିବା ପାଇଁ ମଧ୍ୟପ୍ରଦେଶ ଯାଇଥିଲେ। ଯୋଜନା କାର୍ଯ୍ୟକାରୀ କରିବା ସମୟରେ ସେମାନେ ଇସଲାମିକ ଷ୍ଟେଟ୍ ୱେବ୍ସାଇଟ୍ ସର୍ଚ୍ଚ କରିଥିଲେ।
ଦୋଷୀମାନଙ୍କ ମଧ୍ୟରୁ କାନପୁରର ଅତିଫ ମୁଜାଫର ଆଲିଗଡ଼ ମୁସଲିମ ବିଶ୍ବବିଦ୍ୟାଳୟର ଛାତ୍ର ଥିଲା। ଆଇଏସ୍ ମାଗାଜିନ ପଢ଼ି ସେ ଉଗ୍ରବାଦ ଆଡ଼କୁ ଢଳିଥିଲା। ତା’ ପାଖରୁ ଲାପଟପ, କମ୍ପ୍ୟୁଟର ଓ ମୋବାଇଲ ଜବତ କରାଯାଇଥିଲା। ତା’ ଦଳର ମୁଖ୍ୟ ଥିଲା ଜଣେ ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ଗୌସ ମହମ୍ମଦ। ଅତିଫ ଓ ଗୌସ ଅନ୍ୟ ସହଯୋଗୀମାନଙ୍କ ସହ ଜମ୍ମୁ-କାଶ୍ମୀର ଦେଇ ସୀମା ପାର ହେବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ତା’ପରେ ଅତିଫ ରାଜସ୍ଥାନର ଜୟସାଲମରକୁ ଯାଇଥିଲା। ସୁନ୍ଦରବନ ଦେଇ ବାଂଲାଦେଶରେ ଅନୁପ୍ରବେଶ କରିବାକୁ ବି ଉଦ୍ୟମ କରି ସେ ବିଫଳ ହୋଇଥିଲା। ଗୌସ ମହମ୍ମଦ ମଧ୍ୟ କାନପୁର ବାସିନ୍ଦା। ସେ ଲୋକଙ୍କ ବ୍ରେନ୍ୱାସ୍ କରି ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଉସ୍କାଉଥିଲା। ତା’ର ପିଲାପିଲି ଅଛନ୍ତି ମାତ୍ର ସେମାନଙ୍କ ସହ ତା’ର କୌଣସି ସମ୍ପର୍କ ନ ଥିଲା। ଏ ବିଷୟରେ ପଚାରିବାରୁ ସେ ଉତ୍ତର ଦେଇଥିଲା, ସେ ଭାଗ୍ୟ ସମସ୍ତଙ୍କର ନ ଥାଏ।