ନୂଆଦିଲ୍ଲୀ: ହନୁମାନ ଜୟନ୍ତୀରେ ଦିଲ୍ଲୀର ଜାହାଙ୍ଗୀରପୁରୀ ଅଞ୍ଚଳରେ ହୋଇଥିବା ଶୋଭାଯାତ୍ରା ପାଇଁ ପୁଲିସ ଅନୁମତି ନିଆଯାଇ ନଥିଲା। ଏଥିପାଇଁ ବଜରଙ୍ଗ ଦଳ ଦିଲ୍ଲୀ ଶାଖା ଏବଂ ବିଶ୍ବ ହିନ୍ଦୁ ପରିଷଦ ବିରୋଧରେ ପୁଲିସରେ ମାମଲା ରୁଜୁ ହୋଇଛି ଏବଂ ଜଣକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ବିଏଚପିର ଜିଲ୍ଲା ସେବା ପ୍ରମୁଖ ପ୍ରେମ ଶର୍ମା। ଏଥିସହିତ ଏହି ମାମଲାରେ ପୂର୍ବରୁ ଗିରଫ ହୋଇଥିବା ଅଭିଯୁକ୍ତ ଅସଲାମ ଏବଂ ଅନସାରକୁ ପୁଲିସ ଆଉ ୨ ଦିନ ନିଜ ହେପାଜତକୁ ନେଇଛି। ଉକ୍ତ ହିଂସା ମାମଲାର ତଦନ୍ତ ବେଳେ ୩୬ ବର୍ଷୀୟ ଶେଖ ହମିଦ ନାମକ ଆଉ ଜଣେ ବ୍ୟକ୍ତିକୁ ଆଜି ଗିରଫ କରାଯାଇଛି। ସେ ଜଣେ ସ୍କ୍ରାପ ବ୍ୟବସାୟୀ। ପଚରାଉଚରା ସମୟରେ ସେ ଟେକାପଥର ଫିଙ୍ଗିବା ପାଇଁ ସେ ବୋତଲ ଯୋଗାଇ ଦେଇଥିବା ସ୍ବୀକାର କରିଛି। ଦିଲ୍ଲୀ ଉତ୍ତର ପଶ୍ଚିମ ଜିଲ୍ଲା ଡିସିପି ଉଷା ରଙ୍ଗନାନୀ ଏହି ସୂଚନା ଦେଇଛନ୍ତି। ଫଳରେ ଗିରଫଙ୍କ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି। ଜାହାଙ୍ଗୀରପୁର ମସଜିଦରେ ଗେରୁଆ ପତାକା ଉଡ଼ାଯିବା ଦ୍ବାରା ଶନିବାର ରାତିରେ ହିଂସା ହୋଇଥିଲା ବୋଲି ଯାହା କୁହାଯାଉଛି ପୁଲିସ କମିସନର ରାକେଶ ଆସ୍ଥାନା ତାହାକୁ ଅସ୍ବୀକାର କରିଛନ୍ତି।
ତେବେ ଛୋଟ ବଚସାରୁ ଦୁଇ ଗୋଷ୍ଠୀ ମଧ୍ୟରେ ଉଚ୍ଚ ପାଟିତୁଣ୍ଡ ହୋଇଥିଲା। ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ପାଟିତୁଣ୍ଡର କାରଣ ସଂପର୍କରେ କହିବା ଠିକ୍ ହେବନାହିଁ ବୋଲି ଆସ୍ଥାନା କହିଛନ୍ତି। ୩ଟି ଗୁଳିଗୋଳା ଏବଂ ୫ଟି ଖଣ୍ଡା ଜବତ କରାଯାଇଛି। ଶାନ୍ତି ବଜାୟ ରଖିବା ପାଇଁ ଅପରାହ୍ଣ ୧ଟା ୩୦ରେ ଶାନ୍ତି କମିଟିର ବୈଠକ ଜାହାଙ୍ଗୀରପୁରୀ ଥାନରେ ଅନୁଷ୍ଠିତ ହୋଇଛି। ପ୍ରତ୍ୟେକ ଗୋଷ୍ଠୀ ସେମାନଙ୍କ ଲୋକମାନଙ୍କୁ ଶାନ୍ତି ରକ୍ଷା କରିବା ପାଇଁ ଆହ୍ବାନ ଦେବା ସହିତ ଗୁଜବ ପ୍ରତି ଧ୍ୟାନ ନଦେବାକୁ ନିବେଦନ କରାଯାଇଛି ବୋଲି ଡିସିପି ସୂଚନା ଦେଇଛନ୍ତି। ଘଟଣାସ୍ଥଳରେ ଆଜି ୪ଟି ଫରେନସିକ ଟିମ ଯାଞ୍ଚ କରିଛି। ପୁଲିସର ୧୪ଟି ଟିମ୍ ଘଟଣାର ତଦନ୍ତ ଭିନ୍ନ ଭିନ୍ନ ଦିଗରୁ କରୁଛି। ତଦନ୍ତ ଏକପାଖିଆ ହେଉଛି ବୋଲି ଅଭିଯୋଗ ହେବା ପରେ ପୁଲିସ ଏହାକୁ ଅସ୍ବୀକାର କରିଛି। ତେବେ ଆଜି ପୁନର୍ବାର ଟେକାପଥର ମାଡ଼ ହୋଇଛି। ଏହି ଘଟଣାରେ ଜଣକୁ ଅଟକ ରଖାଯାଇଛି ବୋଲି ଦିଲ୍ଲୀ ପୁଲିସ କହିଛି। ଧାର୍ମିକ ଶୋଭାଯାତ୍ରା ବେଳେ ମାରଣାସ୍ତ୍ର ନିଆଯାଇଥିବା ବୋଲି ଯାହା କୁହାଯାଉଛି ତାହା ଉପରେ ପ୍ରଶ୍ନ ଉଠାଇଛନ୍ତି ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଅୱେସି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/bajaranga-dal.jpg)