ଜୀବନ ତମାମ ସଂସ୍କୃତ ଅଧ୍ୟୟନ କରିଛି , ମୁସଲିମ୍ ବୋଲି କେବେ ବି ଅନୁଭବ କରିବାକୁ ଦିଆଯାଇନି: ପ୍ରଫେସର ଫିରୋଜ୍ ଖାନ୍
ଫିରୋଜଙ୍କୁ ପରେଶ ରାୱଲ୍ଙ୍କ ଦୃଢ଼ ସମର୍ଥନ
ନୂଆଦିଲ୍ଲୀ: ଗତ ନଭେମ୍ବର ୭ ତାରିଖରେ ବିଏଚ୍ୟୁର ସଂସ୍କୃତ ବିଭାଗରେ ସହକାରୀ ପ୍ରଫେସର ଭାବେ ଯୋଗ ଦେଇଥିବା ପ୍ରଫେସର ଫିରୋଜ୍ ଖାନ୍ ସଂସ୍କୃତରେ ଡକ୍ଟରେଟ୍ କରିଛନ୍ତି। କିନ୍ତୁ ତାଙ୍କୁ ବହିଷ୍କାର ଦାବିରେ ଛାତ୍ରମାନେ ଯେଉଁଭଳି ଆନ୍ଦୋଳନ କରିଛନ୍ତି ସେଥିଲାଗି ଫିରୋଜ୍ଙ୍କୁ ଖୁବ୍ ଅପମାନିତ ଲାଗିଥିବା ସେ କହିଛନ୍ତି। ଖାନ୍ କହିଛନ୍ତି, ଜୀବନ ତମାମ ମୁଁ ସଂସ୍କୃତ ଅଧ୍ୟୟନ କରିଛି, କିନ୍ତୁ କେବେ ବି ମତେ ମୁସଲିମ୍ ବୋଲି ଅନୁଭବ ହେବାକୁ ଦିଆଯାଇ ନାହିଁ। କିନ୍ତୁ ବିଏଚ୍ୟୁରେ ଯୋଗ ଦେବାପରେ ଏହା ଏବେ ଏକ ବିବାଦୀୟ ବିଷୟ ହୋଇଯାଇଛି। ଖାନ୍ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନରୁ ୨୦୧୮ରେ ପିଏଚ୍ଡି ହାସଲ କରିଛନ୍ତି। ଦ୍ବିତୀୟ ଶ୍ରେଣୀରୁ ସେ ସଂସ୍କୃତ ଅଧ୍ୟୟନ କରିଥିବା କହିଛନ୍ତି। କିନ୍ତୁ ଏ ପ୍ରସଙ୍ଗରେ ସ୍ଥାନୀୟ ମୌଲବୀ କି ସମାଜ ବି କିଛି ପ୍ରଶ୍ନ ଉଠାଇନାହାନ୍ତି। ଫିରୋଜ୍ଙ୍କର କୋରାନ୍ ଅପେକ୍ଷା ସଂସ୍କୃତ ସାହିତ୍ୟରେ ଅଗାଧ ଜ୍ଞାନ ରହିଛି। ତାଙ୍କର ଏହି ଜ୍ଞାନ ପାଇଁ ତାଙ୍କୁ ପ୍ରଖ୍ୟାତ ହିନ୍ଦୁମାନେ ମଧ୍ୟ ପ୍ରଶଂସା କରିଛନ୍ତି। ଫିରୋଜ୍ ଖାନ୍ଙ୍କଙ୍କ ଘର ରାଜସ୍ଥାନରେ। ତାଙ୍କ ବାପା ରମଜାନ୍ ଖାନ୍ ମଧ୍ୟ ଜଣେ ସଂସ୍କୃତ ଗ୍ରାଜୁଏଟ୍। ଫିରୋଜ୍ଙ୍କ ବାପା ତାଙ୍କ ଅଞ୍ଚଳରେ ଏକ ମନ୍ଦିର ନିକଟରେ ଭଜନ ଗାଉଥିବା ଜଣାପଡ଼ିଛି।
ଫିରୋଜଙ୍କୁ ପରେଶ ରାୱଲ୍ଙ୍କ ଦୃଢ଼ ସମର୍ଥନ
ନୂଆଦିଲ୍ଲୀ : ବିଏଚ୍ୟୁରେ ସଂସ୍କୃତ ପ୍ରଫେସର ଫିରୋଜ୍ ଖାନ୍ଙ୍କ ବହିଷ୍କାର ଦାବିରେ ଯେଉଁଭଳି ଆନ୍ଦୋଳନ ହୋଉଛି ସେଥିରେ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି ଅଭିନେତା ତଥା ପୂର୍ବତନ ବିଜେପି ସାଂସଦ ପରେଶ ରାୱଲ। ଫିରୋଜ୍ ଖାନ୍ଙ୍କ ବିରୋଧରେ ହୋଇଥିବା ଆନ୍ଦୋଳନ ତାଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିବା ସେ କହିଛନ୍ତି। ଧର୍ମ ସହ ଭାଷାର କ’ଣ ସମ୍ବନ୍ଧ ଅଛି। ଫିରୋଜ୍ ସଂସ୍କୃତରେ ପିଏଚ୍ଡି କରିଛନ୍ତି। ସଂସ୍କୃତରେ ତାଙ୍କର ଅଗାଧ ଜ୍ଞାନ ରହିଛି। ତେଣୁ ତାଙ୍କ ବହିଷ୍କାର ପାଇଁ ଯେଉଁ ଦାବି ହେଉଛି ତାହା ନିରର୍ଥକ। ଯଦି ସେମିତି ହୋଇଥାନ୍ତା ପ୍ରଖ୍ୟାତ ଗାୟକ ସ୍ବର୍ଗତ ମହମ୍ମଦ ରଫି ମଧ୍ୟ ଭଜନ ଗାଇ ନଥାନ୍ତେ କି ନୌଦାସ ମଧ୍ୟ ସଂଗୀତ ନିର୍ଦ୍ଦେଶନା ଦେଇନଥାନ୍ତେ ବୋଲି ପରେଶ କହିଛନ୍ତି।