ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ବିବାଦ : ଧର୍ମଘଟ ସ୍ଥଗିତ ରଖିଲା ଛାତ୍ର ସଂଗଠନ

ବାରାଣାସୀ : ମୁସଲିମ ସଂସ୍କୃତ ପ୍ରଫେସରଙ୍କ ନିଯୁକ୍ତି ପ୍ରତିବାଦରେ ବିଗତ ୧୫ ଦିନ ଧରି ଧର୍ମଘଟ କରୁଥିବା ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଶୁକ୍ରବାରଦିନ ନିଜର ଧର୍ମଘଟକୁ ସାମୟିକ ଭାବେ ସ୍ଥଗିତ ରହିଛନ୍ତି । ସେମାନଙ୍କ ଦାବି ମାନିବା ପାଇଁ ବିଶ୍ୱବିଦ୍ୟାଳୟ ପ୍ରଶାସନ ଓ ସରକାରଙ୍କୁ ୧୦ ଦିନ ସମୟ ଦିଆଯାଇଛି । ପ୍ରଫେସର ଫରୋଜ ଖାଁଙ୍କ ନିଯୁକ୍ତି ସବୁ ନିୟମ ଅନୁସାରେ ହୋଇଛି କି ନା ତାହା ଦର୍ଶାଇବାକୁ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଅଫିସକୁ ୧୦ ଦିନ ସମୟ ଦିଆଯାଇଛି ।

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଏହି ଘଟଣା ସଂପର୍କରେ ରିପୋର୍ଟ ମଗାଯିବା ପରେ ଛାତ୍ରଛାତ୍ରୀମାନେ ଧର୍ମଘଟ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ସେମାନେ କ୍ଲାସକୁ ଫେରିବେ ନାହିଁ ବୋଲି କହିଛନ୍ତି । ଅନ୍ୟପକ୍ଷରେ ଆସନ୍ତା କାଲି ଛାତ୍ରସଂଗଠନର ଏକ ପ୍ରତିନିଧିମଣ୍ଡଳ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ ଏକ ଦାବିପତ୍ର ପ୍ରଦାନ କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବନାରସର ସାଂସଦ ହୋଇଥିବାରୁ ତାଙ୍କର ଏକ କାର୍ଯ୍ୟାଳୟ ବନାରସରେ ରହିଛି । ଏହି ଅଫିସ ମାଧ୍ୟମରେ ସେମାନେ ନିଜର ଦାବି ପତ୍ର ପ୍ରଦାନ କରିବେ ।
ଏହି ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟର ସଂସ୍କୃତ ବିଦ୍ୟାଧର୍ମ ବିଭାଗରେ ମୁସଲିମ ପ୍ରଫେସର ଫିରୋଜ ଖାଁଙ୍କ ନିଯୁକ୍ତିକୁ ବିରୋଧ କରୁଛନ୍ତି ।

ସମ୍ବନ୍ଧିତ ଖବର