ମୁସଲିମ୍‌ ପ୍ରଫେସରଙ୍କୁ ନେଇ ଝଡ଼ : ବିଏଚ୍‌ୟୁରେ ଛାତ୍ର ଆନ୍ଦୋଳନ

ପ୍ରଫେସର ଫିରୋଜ୍‌ ଖାନ୍‌ଙ୍କ ବହିଷ୍କାର ଦାବିରେ ଯଜ୍ଞ ଓ ମନ୍ତ୍ରପାଠ

ନୂଆଦିଲ୍ଲୀ : ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟ (ବିଏଚ୍‌ୟୁ)ର ସଂସ୍କୃତ ବିଭାଗରେ ଜଣେ ସହକାରୀ ପ୍ରଫେସର୍‌ ଭାବେ ଯୋଗ ଦେଇଥିବା ମୁସଲିମ୍‌ ପ୍ରଫେସର ଫିରୋଜ୍‌ ଖାନ୍‌ଙ୍କ ବହିଷ୍କାର ଦାବିରେ ଛାତ୍ରଗୋଷ୍ଠୀଙ୍କ ଆନ୍ଦୋଳନ ଜୋରଦାର ହୋଇଛି। ପ୍ରାୟ ୩୦ ଜଣ ସଂସ୍କୃତ ଛାତ୍ର ବିଏଚ୍‌ୟୁର କୁଳପତି ରାକେଶ ଭଟ୍ଟନାଗରଙ୍କ ଅଫିସ୍‌ ବାହାରେ ଦୀର୍ଘ ୧୩ ଦିନ ଧରି ଆନ୍ଦୋଳନ କରୁଛନ୍ତି। ଛାତ୍ରମାନେ ହନୁମାନ ଚାଳିଶା ପାଠ କରିବା ସହ ଯଜ୍ଞ ମଧ୍ୟ କରିଛନ୍ତି। ଦାବି ପୁରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ସେମାନେ ଅଡ଼ି ବସିଛନ୍ତି। ଛାତ୍ରଗୋ‌ଷ୍ଠୀଙ୍କ ଏଭଳି କାର୍ଯ୍ୟରେ ପ୍ରଫେସର ଫିରୋଜ୍‌ ଖାନ୍‌ ଭାଙ୍ଗି ପଡ଼ିଛନ୍ତି। ତାଙ୍କ ନିଯୁକ୍ତି ପରଠାରୁ ତାଙ୍କୁ ବିଶ୍ବବିଦ୍ୟାଳୟରେ ଦେଖିବାକୁ ମିଳିନାହିଁ।। ତାଙ୍କ ଫୋନ୍‌କୁ ଅନେକ କଲ୍‌ ଏବଂ ମେସେଜ୍‌ ଯାଉଥିଲେ ମଧ୍ୟ ସେ ଏହାର ଉତ୍ତର ରଖିନାହାନ୍ତି। କିନ୍ତୁ ଫିରୋଜ୍‌ ଖାନ୍‌ଙ୍କ ନିଯୁକ୍ତି ସମ୍ପୂର୍ଣ୍ଣ ନୀତିଗତ ଭାବେ କରାଯାଇଛି ଏବଂ ତାଙ୍କୁ ବହିଷ୍କାର କରିବାର ପ୍ରଶ୍ନ ଉଠୁନାହିଁ ବୋଲି ବିଏଚ୍‌ୟୁ ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ପ୍ରଶାସନ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି ବିନା କୌଣସି ଜାତି , ଧର୍ମ, ଲିଙ୍ଗ ଏବଂ ସମ୍ପ୍ରଦାୟ ନିର୍ବିଶେଷରେ ସମସ୍ତଙ୍କୁ ପଢ଼ିବାର ସମାନ ସୁଯୋଗ ଦେବାପାଇଁ ବିଶ୍ବବିଦ୍ୟାଳୟ ଗଠନ ହୋଇଛି। ଖାନ୍‌ଙ୍କ ନିଯୁକ୍ତି ମଧ୍ୟ ଏକ ନିଯୁକ୍ତି କମିଟିର ସର୍ବସମ୍ମତି ନିଷ୍ପତ୍ତିକ୍ରମେ ହୋଇଛି ବୋଲି ବିଏଚ୍‌ୟୁ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ଅନ୍ୟପକ୍ଷେ ମୁସଲିମ୍‌ ପ୍ରଫେସର ଫିରୋଜ୍‌ ଖାନ୍‌ କହିଛନ୍ତି, ଏଭଳି ଘଟଣାରେ ସେ ଖୁବ୍‌ ଅପମାନିତ ଅନୁଭବ କରୁଛନ୍ତି। ଯଦି ବିଶ୍ବବିଦ୍ୟାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ ମୁସଲିମ ପ୍ରାର୍ଥୀ ଦରକାର ନାହାନ୍ତି ବୋଲି ଦର୍ଶାଯାଇ ଥାନ୍ତା ତେବେ ସେ କେବେ ବି ଏହି ଚାକିରି ପାଇଁ ଆବେଦନ କରିନଥାନ୍ତେ ବୋଲି କହିଛନ୍ତି। ଗତ ନଭେମ୍ବର ୭ ତାରିଖରୁ ଚକ୍ରପାଣି ଓଝା ନାମକ ଜଣେ ଛାତ୍ର ନେତାଙ୍କ ନେତୃତ୍ବରେ ଆନ୍ଦୋଳନ ହୋଇଛି।

ସମ୍ବନ୍ଧିତ ଖବର