ବିଶ୍ୱବିଦ୍ୟାଳୟରେ ଆରମ୍ଭ ହେବ ‘ଭୂତ ବିଦ୍ୟା’ ସମ୍ପର୍କିତ ପାଠ୍ୟକ୍ରମ, ୬ ମାସିଆ କୋର୍ସ ପଢିବେ ଛାତ୍ରଛାତ୍ରୀ

ବାରଣାସୀ: ଆପଣ ଭୂତ ପ୍ରେତଙ୍କ ଦୁନିଆ, ସେମାନଙ୍କ ଅଲୌକିକ କାରନାମା ବାବଦରେ ଜାଣିବାକୁ ଇଛୁକ କି ? ଯଦି ହଁ ତେବେ ବନାରସ ହିନ୍ଦୁ ୟୁନିଭର୍ସିଟି(ବିଏଚୟୁ)ରେ ଏଥିପାଇଁ ପାଠ୍ୟକ୍ରମ ଆରମ୍ଭ କରାଯାଇଛି | ଭୂତ ବିଦ୍ୟା ବା ସାଇନ୍ସ ଅଫ ପାରାନର୍ମାଲ ନାମରେ ଏହି ୬ ମାସିଆ ସାର୍ଟିଫିକେଟ ପାଠ୍ୟକ୍ରମ ଆରମ୍ଭ କରାଯାଇଛି | ଭୂତ ବିଦ୍ୟା ସମ୍ପର୍କିତ ଏହି ପାଠ୍ୟକ୍ରମରେ ମନୋଚିକିତ୍ସା ସମ୍ବନ୍ଧୀୟ ବିକାରଗ୍ରସ୍ତ ରୋଗୀଙ୍କୁ କିଭଳି ଉପଚାର କରାଯାଇପାରିବ ସେ ନେଇ ପାଠ ପଢ଼ାଯିବ | ଯେଉଁ ଲୋକମାନେ ଭୂତକୁ ନେଇ ନିଜ ମନରେ ଭୟ ରଖୁଛନ୍ତି ସେମାନଙ୍କୁ କିଭଳି ଚିକିତ୍ସା କରାଯିବ ସେ ବାବଦରେ ଛାତ୍ରଛାତ୍ରୀ ପାଠ ପଢିପାରିବେ |

ଏହି ପାଠ୍ୟକ୍ରମ ଆସନ୍ତା ଜାନୁୟାରିରୁ ଆରମ୍ଭ ହେବାକୁ ଯାଉଥିବାବେଳେ ଆୟୁର୍ବେଦ ବିଭାଗ ଦ୍ୱାରା ଏହି ପାଠ୍ୟକ୍ରମକୁ ପରିଚାଳନା କରାଯିବ | ଭୂତ ଯୋଗୁଁ ହେଉଥିବା ମାନସିକ ରୋଗର ଚିକିତ୍ସା ବାବଦରେ ବ୍ୟାଚେଲର ଅଫ ଆୟୁର୍ବେଦିକ ମେଡ଼ିସିନ ଆଣ୍ଡ ସର୍ଜରୀ(ବିଏଏମଏସ) ଓ ବ୍ୟାଚେଲର ଅଫ ମେଡ଼ିସିନ ଆଣ୍ଡ ବ୍ୟାଚଲର ଅଫ ସର୍ଜରୀ(ଏମବିବିଏସ) ଡିଗ୍ରିଧାରୀଙ୍କୁ ଏହି ପାଠ୍ୟକ୍ରମ ପଢ଼ାଯିବ |

ଆୟୁର୍ବେଦ ବିଭାଗର ମୁଖ୍ୟ ଯାମିନୀ ଭୂଷଣ ତ୍ରିପାଠୀ କହିଛନ୍ତି ଯେ ଡାକ୍ତରମାନଙ୍କୁ ଔପଚାରିକ ଶିକ୍ଷା ପ୍ରଦାନ କରିବା ପାଇଁ ଆୟୁର୍ବେଦ ପାଠ୍ୟକ୍ରମରେ ଭୂତବିଦ୍ୟା ସମ୍ପର୍କିତ ଏକ ପାଠ୍ୟକ୍ରମକୁ ସ୍ଥାନ ଦିଆଯାଇଛି |

ସମ୍ବନ୍ଧିତ ଖବର