ଭୁବନେଶ୍ବର ଜିଲ୍ଲା କଂଗ୍ରେସର ଜନ ଜାଗରଣ ଯାତ୍ରା, ଆଇଗିଣିଆ ଛକରେ ଓଭରବ୍ରିଜ୍‌ ନିର୍ମାଣ ଦାବିରେ ବିକ୍ଷୋଭ

ଭୁବନେଶ୍ବର: ଦେଶରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ବିରୋଧରେ ନିଖିଳ ଭାରତ କଂଗ୍ରେସ କମିଟିର ନିଷ୍ପତ୍ତିକ୍ରମେ ଗତକାଲିଠାରୁ ସପ୍ତାହବ୍ୟାପୀ ଜନ ଜାଗରଣ ଯାତ୍ରା ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ବର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏହାର ଶୁଭାରମ୍ଭ ହୋଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ବାନକ୍ରମେ ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାଶଙ୍କ ନେତୃତ୍ବରେ ଆଇଗିଣିଆ ଛକଠାରୁ ଏକ ପଦଯାତ୍ରା ବାହାରି ଯଦୁପୁର ପର୍ଯ୍ୟନ୍ତ ଯାଇଥିଲା। ଶୋଭାଯାତ୍ରାକାରୀ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅପରାଗତା ସଂପର୍କରେ ସଚେତନ କରାଇଥିଲେ।

ପରେ ଆଇଗିଣିଆ ଛକଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଖଣ୍ଡଗିରିଠାରୁ ଏମ୍‌ସ ରାସ୍ତା ଦେଇ ପ୍ରତ୍ୟେକ ଦିନ ଲକ୍ଷାଧିକ ଲୋକ ଯିବା ଆସିବା କରୁଛନ୍ତି। ଯଦୁପୁର, ଡୁମୁଡୁମା, ସରକନ୍ତରା, ରଣସିଂପୁର, ଘାଟିକିଆ, ବରମୁଣ୍ଡା, ଜାଗମରା ଓ ଧର୍ମବିହାର ଆଦି ଅଞ୍ଚଳର ଲୋକ ଏହି ରାସ୍ତା ଉପରେ ନିର୍ଭରଶୀଳ। ଦୀର୍ଘ ଦିନ ଧରି ଏଠାରେ ଏକ ଓଭରବ୍ରିଜ୍ ନିର୍ମାଣ ପାଇଁ ଦାବି ହୋଇଆସୁଛି। ମାତ୍ର ରାଜ୍ୟ ସରକାର ଏହାର କର୍ଣ୍ଣପାତ କରୁନାହାନ୍ତି। ଏହାର ବିରୋଧରେ କର୍ମୀମାନେ ପ୍ରତିବାଦ ଜଣାଇଥିଲେ। ଉଭୟ କାର୍ଯ୍ୟକ୍ରମରେ କଂଗ୍ରେସ ନେତା ଶିବାନନ୍ଦ ରାୟ, ୟାସିର ନୱାଜ, ରଶ୍ମି ମହାପାତ୍ର, ଗୀତାଞ୍ଜଳି ମହାନ୍ତି, ମୋହନ ଜେନା, ଆଶିଷ ମଲ୍ଲିକ, ଜୟକୃଷ୍ଣ ସୁବୁଦ୍ଧି, ଅଶୋକ ଦାସ, ସେଖ୍ ଅପତାବ ଅଲ୍ଲୀ, ଇନ୍ଦ୍ରଜିତ ପରିଡ଼ା, ଦେବରାଜ ମିଶ୍ର, ମିହିର ଆଚାର୍ଯ୍ୟ, ଶିବାନ ମୁସାରଫ, କୁସୁମ ପ୍ରଧାନ, ପ୍ରଭାବତୀ ପଟ୍ଟନାୟକ, ଏମ୍‌ଏ ପରୱିନ୍, ଶଙ୍କର ନାୟକ, ପ୍ରସନ୍ନ ପୁରୋହିତ, ନଳିନୀ ମହାନ୍ତି, ଏମ୍‌ସି ସାହାଦୁଲ୍ଲା, ସମିଉଲ ଜାକିର, କୁଳମଣି ସାହୁ ଓ ଜାକିର ଆଦ୍‌ମୀ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର