ନୂଆଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ ସୋମବାର ଭୟଙ୍କର ବିସ୍ଫୋରଣ ପରେ ସାରା ରାଜ୍ୟରେ ହାଇଆଲର୍ଟ ଜାରି କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ସମସ୍ତ ରେଳଷ୍ଟେସନ, ବିମାନବନ୍ଦର ଓ ସମ୍ବେଦନଶୀଳ ପ୍ରତିଷ୍ଠାନଗୁଡ଼ିକ ଉପରେ ସତର୍କ ନଜର ରଖାଯାଇଥିବା ପୁଲିସ ପକ୍ଷରୁ କୁହାଯାଇଛି। ଆତଙ୍କବାଦୀ କାର୍ଯ୍ୟକଳାପ ରୋକିବାକୁ ସିଆଇଏସ୍‌ଏଫ୍‌, ସିଆର୍‌ପିଏଫ୍‌, ବିଏସ୍‌ଏଫ୍‌, ଆର୍‌ପିଏଫ୍‌, ଜିଆର୍‌ପି ସମେତ ଓଡ଼ିଶା ପୁଲିସକୁ ସଜାଗ କରାଯାଇଛି। ଗତକାଲି ରାତିରେ ସହରର ବିଭିନ୍ନ ସ୍ଥାନରେ ପୁଲିସ ପଇଁତରା ମାରିବା ସହ କଡ଼ା ଯାଞ୍ଚ କରୁଥିବାର ଦୃଶ୍ୟ ସାମ୍ନାକୁ ଆସିଥିଲା। କୁହାଯାଇଥିଲା ଯେ ଯେକୌଣସି ଆତଙ୍କୀ କାର୍ଯ୍ୟକଳାପ ରୋକିବାକୁ ଆମେ ପ୍ରସ୍ତୁତ। ତେବେ ସହରର ପ୍ରମୁଖ ଗନ୍ତବ୍ୟସ୍ଥଳ, ପର୍ଯ୍ୟଟନସ୍ଥଳୀରେ ଆଜି କିଭଳି ଥିଲା ସ୍ଥିତି ତାହା ଜାଣିବାକୁ ପ୍ରୟାସ କରିଥିଲା ‘ସମ୍ବାଦ ଟିମ୍‌’। ଆଉ ଯାହା ଦେଖିବାକୁ ମିଳିଥିଲା ସେଥିରୁ ସ୍ପଷ୍ଟ ହୋଇଥିଲା ଯେ ଭଗବାନଙ୍କ ଭରସାରେ ଭୁବନେଶ୍ବର।

Advertisment

ଭୁବନେଶ୍ବର: ଭୁବନେଶ୍ବର ରେଳଷ୍ଟେସନ। ଯେଉଁଠି ରାଜ୍ୟ ଓ ରାଜ୍ୟ ବାହାରର ଲକ୍ଷାଧିକ ଲୋକ ପ୍ରତିଦିନ ଚଳପ୍ରଚଳ କରୁଛନ୍ତି। ମାତ୍ର ସୁରକ୍ଷା ବ୍ୟବସ୍ଥା ସେଭଳି କଡ଼ାକଡ଼ି ହୋଇପାରି ନାହିଁ। ଷ୍ଟେସନ ନବୀକରଣ ସରି ନ ଥିବାରୁ ଏଠାରେ ସମସ୍ତ ପ୍ରକାର ଅବ୍ୟବସ୍ଥା ଦେଖିବାକୁ ମିଳୁଛି। ମେଟାଲ୍‌ଡିଟେକ୍ଟର ନ ଥିବାରୁ ଯିଏ ଯୁଆଡ଼େ ପାରିଲା ଚାଲିଲା। ମଝିରେ ମଝିରେ ଆର୍‌ପିଏଫ୍‌ପକ୍ଷରୁ ଲୋକଙ୍କ ଲଗେଜ୍‌ଯାଞ୍ଚ ହେଉଥିବା ‌ରେଳବାଇ ପକ୍ଷରୁ କୁହାଯାଉଥିଲେ ମଧ୍ୟ ଆମେ ଯିବା ସମୟରେ ସେଭଳି କିଛି ଦେଖିବାକୁ ମିଳି ନଥିଲା। ଜିନିଷ ରଖିବା ଘରେ ଲୋକେ ବ୍ୟାଗ୍‌ରଖୁଥିଲେ ମଧ୍ୟ ତାହାକୁ ଯାଞ୍ଚ କରାଯାଉ ନଥିଲା। ହଜାର ହଜାର ଲୋକ ଏକ ନମ୍ବର ପ୍ଲାଟଫର୍ମରେ ବସୁଥିଲେ ମଧ୍ୟ ପୁଲିସ ସୁରକ୍ଷା ନଥିବା ନଜରକୁ ଆସିଥିଲା। ତେବେ ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି ଯେ ଷ୍ଟେସନ ଉପରେ କଡ଼ା ନଜର ରହିଛି। ଗତକାଲି ରାତିରେ ସନ୍ଧାନୀକୁକୁର ସହାୟତାରେ ଯାଞ୍ଚ ହୋଇଛି। ସମ୍ବେଦନଶୀଳ ଅଞ୍ଚଳରେ ସିସିଟିଭି ଦ୍ବାରା ନଜର ରଖାଯାଇଛି। ପ୍ଲାଟ୍‌ଫର୍ମ, ଟ୍ରେନ୍‌ଓ ପାର୍କିଂ ଅଞ୍ଚଳରେ ଯାଞ୍ଚ ହେଉଛି। ଫୁଟ୍‌ପାଟ୍ରୋଲିଂ ବୃଦ୍ଧି, ଅଧିକ ସଂଖ୍ୟକ ଆର୍‌ପିଏଫ୍‌/ଜିଆର୍‌ପି ନିୟୋଜିତ ହୋଇଛନ୍ତି। କୌଣସି ବ୍ୟକ୍ତି କିମ୍ବା ସାମଗ୍ରୀ ଉପରେ ସନ୍ଦେହ ହେଲେ ତୁରନ୍ତ ଜଣାଇବାକୁ ଜନସାଧାରଣଙ୍କୁ ସଚେତନ କରାଯାଉଛି।

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ମଧ୍ୟ କୌଣସି ଖାସ୍‌ସୁରକ୍ଷା ବ୍ୟବସ୍ଥା ଦେଖିବାକୁ ମିଳି ନଥିଲା। ବରଂ ପ୍ରତିଦିନ ପରି ଆଜି ମଧ୍ୟ ସିଆଇଏସ୍‌ଏଫ୍‌ଯବାନମାନେ ୨୪ ଘଣ୍ଟିଆ ପ୍ରହରା ଦେବା ସହ ଯାତ୍ରୀଙ୍କୁ ତନ୍ନତନ୍ନ କରି ଯାଞ୍ଚ କରିଥିଲେ। ଯେଉଁମାନେ ପ୍ରବେଶ କରୁଥିଲେ ସେମାନଙ୍କ ସମସ୍ତ କାଗଜପତ୍ର ଯାଞ୍ଚ ହେଉଥିଲା। ସମ୍ବେଦନଶୀଳ ସାମଗ୍ରୀ ଉପରେ କିନ୍ତୁ କଡ଼ା ନଜର ଥିଲା। କୌଣସି ବି ଗାଡ଼ିକୁ ବେଶି ସମୟ ବିମାନବନ୍ଦର ନିକଟରେ ରହିବାକୁ ଦିଆଯାଉ ନଥିଲା। ପ୍ରବେଶ ଓ ପ୍ରସ୍ଥାନ ଫାଟକ ନିକଟରେ ୪ରୁ ୫ ଜଣ ସିଆଇଏସ୍‌ଏଫ୍‌ଯବାନ ରହିଥିଲେ। ଏଥିସହ ମଝିରେ ମଝିରେ ସନ୍ଧାନୀକୁକୁର ମଧ୍ୟ ବିମାନବନ୍ଦରର ଉଭୟ ଟର୍ମିନାଲରେ ବୁଲୁଥିବା ଦେଖିବାକୁ ମିଳିଥିଲା।

ପୁରୁଣା ଭୁବନେଶ୍ବର: ଶ୍ରୀଲିଙ୍ଗରାଜ ମନ୍ଦିର ଚାରିପଟେ ସୌନ୍ଦର୍ଯ୍ୟୀକରଣ କାମ ଅଧାପାନ୍ତରିଆ ପଡ଼ି ରହିଛି। କାମ ଆଗଉ ନଥିବା ବେଳେ ସୁରକ୍ଷା ସମ୍ପୂର୍ଣ୍ଣ ଢିଲା। ମନ୍ଦିରରେ ମେଟାଲ ଡିଟେକ୍ଟର ନାହିଁ। ୭ ବର୍ଷ ପୂର୍ବରୁ ଏହା ଅଚଳ ହୋଇପଡ଼ିଛି। ପୁଲିସ ମଧ୍ୟ ଚୁପ୍‌ ବସିଛି। ୧୦ ବର୍ଷ ପୂର୍ବେ ଏଠାରେ ଏକ ୱାଚ୍‌ ଟାୱାର ରହିବ ବୋଲି କମିସନରେଟ୍‌ ପୁଲିସ ଘୋଷଣା କରିଥିଲା। ଅଥଚ ଏହା ପାଣିର ଗାର ହୋଇଛି। ସେହିଭଳି ମନ୍ଦିରରେ ଲାଗିଥିବା ସିସିଟିଭିଗୁଡ଼ିକ ଭଲରେ କାମ କରୁନି। ବଜ୍ରପାତରେ ୨୦ରୁ ଅଧିକ ସିସିଟିଭି ଅଚଳ ହୋଇଯାଇଛି। ତେବେ ଯେଉଁ ସବୁ ସିସିଟିଭି ଚାଲୁଛି ସେଥିରେ ସ୍ପଷ୍ଟ ଚିତ୍ର ଆସୁନି। ମନ୍ଦିର ଭିତରକୁ ଅବାଧ ମୋବାଇଲ୍‌ ଯିବା ସହ ଫଟୋ ଭାଇରାଲ ହେଉଛି।  ମନ୍ଦିର ସିଂହଦ୍ବାର ସମ୍ମୁଖରେ ଥିବା ପୁଲିସ କେବଳ ମୋବାଇଲ୍‌ ଚେକିଂ କରି ଭିତରକୁ ଛାଡ଼ୁଛି। ସନ୍ଧ୍ୟା ସମୟରେ ଶ୍ରଦ୍ଧାଳୁ ମନ୍ଦିର ଭିତରକୁ ଯିବାକୁ ସୁରକ୍ଷିତ ମଣୁନାହାନ୍ତି। ମନ୍ଦିର ଭିତରେ ନୂତନ ଫାଣ୍ଡି ତିଆରି ହୋଇଥିବା ସତ୍ତ୍ବେ ତାହା ବ୍ୟବହାର ହେଉନାହିଁ। ପୂର୍ବରୁ ମନ୍ଦିରର ସୁରକ୍ଷା ବ୍ୟବସ୍ଥାର ଅପରେଟିଙ୍ଗ୍‌ ୨ଟି କଣ୍ଟ୍ରୋଲ ରୁମ୍ ଶ୍ରୀଲିଙ୍ଗରାଜ ଥାନା ଓ ମନ୍ଦିର କାର୍ଯ୍ୟାଳୟରେ ରହିଥିଲା। ତେବେ ପୁରୁଣା ଥାନା ଭଙ୍ଗା ପରେ ନୂଆ ଥାନାରେ ଆଉ ସଂଯୋଗ କରାଯାଇନାହିଁ। ଏସମ୍ପର୍କରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ରୁଦ୍ର ପ୍ରସାଦ ମହାନ୍ତି କୁହନ୍ତି ସୁରକ୍ଷା ବ୍ୟବସ୍ଥା ପୁଲିସର। ମନ୍ଦିରର ଅଚଳ ସିସିଟିଭି ମରାମତି ହେଉଛି। ଲିଙ୍ଗରାଜ ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ କୁହନ୍ତି ମନ୍ଦିର ସିଂହଦ୍ବାର ପାଖରେ ପୁଲିସ ରହିଛି। ତେବେ ମେଟାଲ୍‌ ଡିଟେକ୍ଟର ରହିବା ପାଇଁ ପୁଲିସ କମିସନର ଓ ଡିସିପି ଆଲୋଚନା କରିଛନ୍ତି। ଆବଶ୍ୟକ ହେଲେ ଅଧିକ ପୁଲିସ ରହିବେ।

ଶାନ୍ତିସ୍ତୂପ ଖାଁ ଖାଁ
ଧଉଳି: ଶାନ୍ତିସ୍ତୂପ ଧଉଳିକୁ ଆଜି କମ୍‌ ସଂଖ୍ୟାରେ ପର୍ଯ୍ୟଟକ ବୁଲିବାକୁ ଆସିଥିବା ଦେଖିବାକୁ ମିଳିଥିଲା। ଅପରାହ୍ନ ୧ଟାରୁ ସାଢ଼େ ୩ଟା ପର୍ଯ୍ୟନ୍ତ ସମୟ ଶାନ୍ତିସ୍ତୂପ ଖାଁ ଖାଁ ହୋଇଯାଇଥିଲା। ଏହାପରେ ଶାନ୍ତିସ୍ତୂପ ବସ୍‌ଷ୍ଟାଣ୍ଡରେ ୪ଟି ବସ୍‌ ଲାଗିଥିଲା। ପର୍ଯ୍ୟଟକମାନେ ସର୍ଟଲ ବସ୍‌ରେ ଶାନ୍ତିସ୍ତୂପକୁ ଯାଇଥିଲେ। ସେହିପରି କାର, ଅଟୋ ଓ ଅନ୍ୟ ଚାରିଚକିଆ ଗାଡ଼ିରେ ଅଳ୍ପସଂଖ୍ୟକ ପର୍ଯ୍ୟଟକ ଆସିଥିଲେ। ପର୍ଯ୍ୟଟକ ନଥିବାରୁ ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ୍‌ ସୋ ବନ୍ଦ ରହିଥିଲା।

ନନ୍ଦନକାନନ ଉପରେ ନଜର ନାହିଁ 

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଦୈନିକ ଦେଶ, ବିଦେଶ ଓ ରାଜ୍ୟରୁ ହଜାର ହଜାର ପର୍ଯ୍ୟଟକ ଆସୁଛନ୍ତି। ସେମାନଙ୍କ ଉପରେ ନଜର ଓ ସୁରକ୍ଷା ବ୍ୟବସ୍ଥା ଲାଗି ସିସି କ୍ୟାମେରା ଲଗାଯାଇଥିଲେ ମଧ୍ୟ ପ୍ରବେଶ ପଥ ବ୍ୟତୀତ ଆଉ କୌଣସି ସ୍ଥାନରେ ସିସି କ୍ୟାମେରା କାମ କରୁନାହିଁ। ପ୍ରବେଶ ଫାଟକରେ ମେଟାଲ୍‌ ଡିଟେକ୍ଟର୍‌ ଲଗାଯାଇ ନାହିଁ। କୌଣସି ସନ୍ଦିଗ୍ଧ ମାରାତ୍ମକ ଅସ୍ତ୍ରଶସ୍ତ୍ର ଧରି ପ୍ରବେଶ କରି କ୍ଷୟକ୍ଷତି କରିବାରେ ଆଶଙ୍କା ରହିଛି। ଏଠାକାର କର୍ମଚାରୀ ଓ ସୁରକ୍ଷା କର୍ମୀଙ୍କ ଦରମା, ସିସିଟିଭି ସୁରକ୍ଷା ବାବଦକୁ ପ୍ରତିବର୍ଷ କୋଟି ଟଙ୍କା ଖର୍ଚ୍ଚ କରୁ ଥିବାବେଳେ ଏବେ ବି ଅନେକ ଢିଲା ରହିଛି। ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ଲାଗି ପର୍ଯ୍ୟାପ୍ତ ପରିମାଣର ସିସି କ୍ୟାମେରା ଲଗାଇବା ସହ ମେଟାଲ୍‌ ଡିଟେକ୍ଟର୍‌ ବ୍ୟବସ୍ଥା କରିବା ଜରୁରୀ ବୋଲି ପର୍ଯ୍ୟଟକ କହିଛନ୍ତି।

ଖୋର୍ଦ୍ଧାରୋଡ୍ ଷ୍ଟେସନ୍‌ରେ ଯାଞ୍ଚ

ଜଟଣୀ: ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧାରୋଡ୍‌ ରେଳ ଷ୍ଟେସନ୍ ସମେତ ଆଖପାଖ ଅଞ୍ଚଳରେ ପୁଲିସ ଫ୍ଲାଗ୍ ମାର୍ଚ୍ଚ କରି ଷ୍ଟେସନ୍‌ ଓ ଟ୍ରେନ୍‌ଗୁଡ଼ିକର ଯାଞ୍ଚ କରିଛି। ଆର୍‌ପିଏଫ୍‌ର ଏକ ଟିମ୍‌ ଟ୍ରାକ୍‌ରେ ଛିଡ଼ା ହୋଇଥିବା ଟ୍ରେନ୍‌ଗୁଡ଼ିକରେ ମେଟାଲ୍ ଡିଟେକ୍ଟର ଜରିଆରେ ଛାନଭିନ୍‌ କରିଛି। ସେହିପରି ଜଟଣୀ ପୁଲିସ ମଧ୍ୟ ବିଭିନ୍ନ ସ୍ଥାନରେ ପଇଁତରା ମାରିଥିଲା।