କ୍ଷତିରେ ଚାଲିଛି ଭୁବନେଶ୍ବର, ଝାରସୁଗୁଡା ବିମାନ ବନ୍ଦର

ନୂଆଦିଲ୍ଲୀ : ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ(ଏଏଆଇ) ଦ୍ବାରା ପରିଚାଳିତ ଭୁବନେଶ୍ବର ଓ ଝାରସୁଗୁଡା ବିମାନ ବନ୍ଦର କ୍ଷତିରେ ଚାଲିଛି। ଲୋକସଭାରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜେନେରାଲ ଭି.କେ ସିଂହ ଏକ ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି।

ସଙ୍ଗୀତା କୁମାରୀ ସିଂହଦେଓଙ୍କ ସମେତ ୫ ଜଣ ସାଂସଦଙ୍କ ପକ୍ଷରୁ ଗତ ତିନିବର୍ଷରେ ଦେଶର ବିମାନବନ୍ଦରଗୁଡ଼ିକର ଲାଭ ଓ କ୍ଷତିର ବିବରଣୀ ସଂପର୍କରେ ଅଣତାରକା ପ୍ରଶ୍ନ କରାଯାଇଥିଲା। ଏ ସମ୍ପର୍କରେ ଲିଖିତ ଉତ୍ତରରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ କହିଥିଲେ, ଭାରତାୟ ବିମାନ ପ୍ରାଧିକରଣ (ଏଏଆଇ) ଦ୍ବାରା ପରିଚାଳିତ ୧୩୬ ବିମାନବନ୍ଦରରୁ ପାଖାପାଖି ୭୫ ପ୍ରତିଶତ କ୍ଷତିରେ ଚାଲିଛି। ସେଥିମଧ୍ୟରୁ ଗତ ତିନିବର୍ଷରେ ଝାରସୁଗୁଡ଼ା ବିମାନ ବନ୍ଦରରେ କୌଣସି ଲାଭ ହୋଇନଥିବା ଦର୍ଶାଇଥିଲେ। ସେ ଉଲ୍ଲେଖ କରିଥିଲେ, ଝାରସୁଗୁଡ଼ା ବିମାନବନ୍ଦରେ ୨୦୧୮-୧୯ ମସିହାରେ ୧୧.୩୮ କୋଟି ,୨୦୧୯-୨୦ରେ ୧୬.୨୯ କୋଟି ଓ ୨୦୨୦-୨୧ ରେ ୧୫.୩୯ କୋଟି ଟଙ୍କାର କ୍ଷତି ହୋଇଛି। ସେହିଭଳି, ଗତ ୩ ବର୍ଷ ମଧ୍ୟରେ ଭୁବନେଶ୍ବର ବିମାନବନ୍ଦରର ଲାଭକ୍ଷତି ବିବରଣୀ ଦେଇଥିଲେ। କେବଳ ୨୦୧୯-୨୦ ବର୍ଷକୁ ବାଦ୍‌ଦେଲେ ୨୦୧୮-୧୯ ଓ ୨୦୨୦-୨୧ରେ ଭୁବନେଶ୍ବର ବିମାନ ବନ୍ଦର କ୍ଷତି ସହିଛି। ୨୦୧୮-୧୯ମସିହାରେ ୨୨.୯୯ କୋଟି ଟଙ୍କା କ୍ଷତି ହୋଇଥିବାବେଳେ ୨୦୨୦-୨୧ରେ ୧୩.୩୪ କୋଟି ଟଙ୍କାର କ୍ଷତି ହୋଇଛି। ଅପରପକ୍ଷେ, ୨୦୧୯-୨୦ ମସିହାରେ ଭୁବନେଶ୍ବର ବିମାନ ବନ୍ଦରର ଲାଭର ପରିମାଣ ରହିଛି ୩୪.୨୨ କୋଟି ଟଙ୍କା। ୨୦୨୦-୨୧ରେ ମୁମ୍ବାଇର ସିଏସ୍‌ଏମ୍‌ଆଇଏ ବିମାନ ବନ୍ଦରର ସର୍ବାଧିକ ୩୮୪.୮୧ କୋଟି ଟଙ୍କା କ୍ଷତି ହୋଇଥିବାବେଳେ ପୁନେ ବିମାନ ବନ୍ଦରର ଲାଭ ପରିମାଣ ୧୬.୦୯ କୋଟି ଟଙ୍କା ବୋଲି କେନ୍ଦ୍ରମନ୍ତ୍ରୀ ଦର୍ଶାଇଥିଲେ।

ସମ୍ବନ୍ଧିତ ଖବର