ଭୁବନେଶ୍ୱରରୁ ନୟାଗଡ଼କୁ ଗଡ଼ିଲା ସେବା ଏକ୍ସପ୍ରେସ୍‌ ; ଭିଡିଓ କନ୍‌ଫରେନସିଙ୍ଗ ମାଧ୍ୟମରେ ଉଦଘାଟନ କଲେ ରେଳମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋୟଲ ନୂଆଦିଲ୍ଲୀଠାରେ ଭିଡିଓ କନ୍‌ଫରେନସିଙ୍ଗ ମାଧ୍ୟମରେ ଭୁବନେଶ୍ୱର-ନୟାଗଡ଼ ଟାଉନ ସେବା ଏକ୍ସପ୍ରେସ ସହିତ ଦେଶର ବିଭିନ୍ନ ପ୍ରାନ୍ତରେ ଆହୁରି ୯ଟି ସେବା ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିଛନ୍ତି। ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଉତ୍ସବରେ ଏହି ଟ୍ରେନ ଚଳାଚଳକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ରେଳମନ୍ତ୍ରୀ। ଏହି ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ।

ଅନ୍ୟ ପକ୍ଷରେ  ଭୁବନେଶ୍ୱରଠାରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ପଦ୍ମନାଭ ବେହେରା, ଅରୁଣ ସାହୁ ଓ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସମେତ ପୁରୀ ସାଂସଦ ପିନାକୀ ମିଶ୍ର, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ କୁମାର ରାଉତ ପ୍ରମୁଖ ଉପସ୍ଥିତ ରହି  ଭୁବନେଶ୍ୱର-ନୟାଗଡ଼ ସେବା ଏକ୍ସପ୍ରେସର ଯାତ୍ରାରମ୍ଭ କରିଛନ୍ତି। 

ଭୁବନେଶ୍ୱର ଓ ନୟାଗଡ଼ ଟାଉନ ମଧ୍ୟରେ ସେବା ଏକ୍ସପ୍ରେସ୍‌ ଚଳାଚଳ ନେଇ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯିବା ପରେ ପୂର୍ବରୁ ଏହି ରୁଟରେ  ଚଳାଚଳ କରୁଥିବା ପାସେଞ୍ଜର ଟ୍ରେନ ସମୟ ସାରଣୀରେ ପରିବର୍ତ୍ତନ କରାଯାଇଛି। ଖୋର୍ଦ୍ଧା ରୋଡ଼-ନୟାଗଡ଼ ଟାଉନ ପାସେଞ୍ଜର(୫୮୪୩୧) ଖୋର୍ଦ୍ଧା ରୋଡ଼ଠାରୁ ବର୍ତ୍ତମାନର ଚଳାଚଳ ସମୟ ସକାଳ ୭ଟା ୧୫ ପରିବର୍ତ୍ତେ ସକାଳ ୮ଟା ୨୦ରେ ଛାଡ଼ିବ। ନୟାଗଡ଼ ଟାଉନଠାରେ ସକାଳ ୮ଟା ୫୫ ପରିବର୍ତ୍ତେ ପୂର୍ବାହ୍ନ ୯ଟା ୪୫ରେ ପହଞ୍ଚିବ। ଫେରିବା ବାଟରେ ନୟାଗଡ଼ ଟାଉନ-ଖୋର୍ଦ୍ଧା ରୋଡ଼ ପାସେଞ୍ଜର( ୫୮୪୩୨) ନୟାଗଡ଼ ଟାଉନଠାରୁ ବର୍ତମାନ ସମୟ ପୂର୍ବାହ୍ନ ୯ଟା ୨୦ ପରିବର୍ତ୍ତେ ପୂର୍ବାହ୍ନ ୧୦ଟାରେ ଛାଡ଼ିବ। ଖୋର୍ଦ୍ଧା ରୋଡ଼ଠାରେ ୧୧ଟା ୫ ପରିବର୍ତ୍ତେ ୧୧ଟା ୪୫ରେ ପହଞ୍ଚିବ।

ସେହିପରି ଖୋର୍ଦ୍ଧା ରୋଡ଼-ନୟାଗଡ଼ ଟାଉନ ପାସେଞ୍ଜର(୫୮୪୨୯) ଖୋର୍ଦ୍ଧା ରୋଡ଼ଠାରୁ ବର୍ତ୍ତମାନ ଚଳାଚଳ ସମୟ ସନ୍ଧ୍ୟା ୭ଟା ୩୦ ପରିବର୍ତ୍ତେ ସନ୍ଧ୍ୟା ୮ଟା ୧୫ରେ ଛାଡ଼ିବ। ରାତି ୯ଟା ୧୦ ପରିବ‌ର୍ତ୍ତେ ୯ଟା ୪୦ରେ ନୟାଗଡ଼ ଟାଉନଠାରେ ପହଞ୍ଚିବ। ଫେରିବା ପଥରେ ନୟାଗଡ଼ ଟାଉନ-ଖୋର୍ଦ୍ଧା ରୋଡ଼ ପାସେଞ୍ଜର(୫୮୪୩୨) ସମୟ ସାରଣୀ ଅପରିବର୍ତ୍ତିତ ରହିବ। ନୟାଗଡ଼ ଟାଉନ-ଖୋର୍ଦ୍ଧା ରୋଡ଼ ପାସେଞ୍ଜର ସକାଳ ୫ଟାରେ ନୟାଗଡ଼ ଟାଉନ୍‌ରୁ ଛାଡ଼ି ୬ଟା ୪୫ରେ ଖୋର୍ଦ୍ଧା ରୋଡ଼ଠାରେ ପହଞ୍ଚିବ।

ସମ୍ବନ୍ଧିତ ଖବର