ନୂଆଦିଲ୍ଲୀ: କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଆଜି ଆରାବଳୀ ପର୍ବତମାଳାକୁ ନେଇ ଚାଲିଥିବା ବିତର୍କ ଏବଂ ଦ୍ୱନ୍ଦ୍ୱକୁ ସ୍ପଷ୍ଟ କରିଛନ୍ତି। ସେ  କହିଛନ୍ତି, ଆରାବଳୀ ପର୍ବତମାଳା ଅଞ୍ଚଳରେ କୌଣସି କୋହଳ ଗ୍ରହଣ କରାଯାଇ ନାହିଁ। ସରକାର ସୁପ୍ରିମକୋର୍ଟଙ୍କ ପରାମର୍ଶ ଓ ନିୟମକୁ ସମର୍ଥନ କରିଛନ୍ତି। କଠୋର ଖଣିଜ ଖନନ ଆଇନକୁ ବଳବତ୍ତର ରଖାଯାଇଥିବା ସେ ସୂଚନା ଦେଇଛନ୍ତି।

Advertisment

ଗଲା କିଛିଦିନ ହେଲା କିଛି ୟୁଟ୍ୟୁବ୍‍ ଚ୍ୟାନେଲରେ ପ୍ରକାଶ ପାଇଥିବା ବିବାଦୀୟ ରିପୋର୍ଟକୁ ତର୍ଜମା କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି ଯେ ଆରାବଳି ପର୍ବତମାଳାର ସୀମା ଚାରିଟି ଭାରତୀୟ ରାଜ୍ୟ: ଦିଲ୍ଲୀ, ରାଜସ୍ଥାନ, ହରିୟାଣା ଏବଂ ଗୁଜରାଟକୁ ବ୍ୟାପ୍ତ ରହିଛି। ଏହି ୪ ରାଜ୍ୟର ୩୯ ଜିଲ୍ଲାରେ ସମ୍ପୂର୍ଣ୍ଣ ଆରାବଳୀ ବିସ୍ତୃତ। ଆରାବଳୀ ସମ୍ପର୍କରେ ଆଇନଗତ ପ୍ରକ୍ରିୟା ନୂଆ ନୁହେଁ; ୧୯୮୫ ମସିହାରୁ ଆବେଦନଗୁଡ଼ିକ ବିଚାରାଧୀନ ରହିଥିବା ସେ ସୂଚନା ଦେଇଛନ୍ତି। ଏହି ଆବେଦନଗୁଡ଼ିକର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ଆରାବଳୀ ଅଞ୍ଚଳରେ ଖଣିଜ ଖନନ ଉପରେ କଠୋର ଏବଂ ସ୍ପଷ୍ଟ ନିୟମାବଳୀ କାର୍ଯ୍ୟକାରୀ କରିବା, ଯାହାକୁ କେନ୍ଦ୍ର ସରକାର ପୂର୍ଣ୍ଣ ସମର୍ଥନ କରି ଆସିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। 

ଆହୁରି ପଢନ୍ତୁ- Tragic Accident: ଜୀବନକୁ କି ଅବା ଭରସା… ଘର ବାରଣ୍ଡାରେ ବସିଥିଲେ ବୃଦ୍ଧ, ଆଖି ପିଛୁଳାକେ ମାଡ଼ିଗଲା ମୃତ୍ୟୁ… ସାମ୍ନାକୁ ଆସିଲା ଭୟଙ୍କର ଭିଡ଼ିଓ

ସେ କହିଛନ୍ତି, ଆରାବଳୀ  ପର୍ବତମାଳାର ସୁରକ୍ଷା ଲାଗି ସମାନ ପରିଭାଷା ନିରୂପଣ କରିବାକୁ ସୁପ୍ରିମକୋର୍ଟଙ୍କ ପରାମର୍ଶ ରହିଛି। ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ବ୍ୟାଖ୍ୟା ଉପରେ ଆଧାରିତ ନିୟମାବଳୀର ଉଲ୍ଲଂଘନକୁ ରୋକିବା ପାଇଁ ସୁପ୍ରିମକୋର୍ଟ ସମସ୍ତ ଚାରିଟି ରାଜ୍ୟକୁ ଆରାବଳିର ଏକ ସମାନ ପରିଭାଷା ସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦିଗରେ, ସରକାର ମଧ୍ୟ ଏକ ସ୍ପଷ୍ଟ ଏବଂ ବୈଜ୍ଞାନିକ ପରିଭାଷା ସ୍ଥାପନ କରିଛନ୍ତି। ଏହି ପରିଭାଷା ଅନୁସାରେ ପାହାଡ଼ର ମୂଳ ଅର୍ଥାତ୍‍ ଭୂତଳର ଉତ୍ପତ୍ତିଠାରୁ ୧୦୦ ମିଟର ଯାଏ ଖନନ ବାରଣ କରାଯାଇଛି।  କିନ୍ତୁ କିଛି ଲୋକ ମିଥ୍ୟା ପ୍ରଚାର କରୁଛନ୍ତି।  

ସେ କହିଛନ୍ତି, ୧୦୦ ମିଟର ସୁରକ୍ଷା କ୍ଷେତ୍ର ପାହାଡ଼ ତଳ ଭାଗରୁ ଆରମ୍ଭ ହୁଏ, ଅର୍ଥାତ୍ ପାହାଡ଼ ତଳ ଭାଗରୁ ୧୦୦ ମିଟର ପର୍ଯ୍ୟନ୍ତ ସମଗ୍ର ଅଞ୍ଚଳକୁ ସୁରକ୍ଷିତ ରଖାଯିବ। ସେଠାରେ କୌଣସି ଖନନ କିମ୍ବା କାର୍ଯ୍ୟକଳାପକୁ ଅନୁମତି ଦିଆଯିବ ନାହିଁ। ସେ ପୁଣି କହିଛନ୍ତି ଆରାବଳୀ ପର୍ବତମାଳାର ଦୁଇଟି ପାହାଡ଼ ମଧ୍ୟରେ ଯଦି ଦୂରତା ୫୦୦ ମିଟର ଥାଏ ତେବେ ସମ୍ପୂର୍ଣ୍ଣ ଅଞ୍ଚଳକୁ  ଆରାବଳି ପର୍ବତମାଳାର ଅଂଶ ଭାବରେ ବିବେଚନା କରାଯିବ। ଏବଂ ଏହି ଅଞ୍ଚଳ ମଧ୍ୟ ସଂରକ୍ଷିତ ରହିବ। 

ଆହୁରି ପଢନ୍ତୁ- Cyber Cheating: ପଲ୍ଲୀଠୁ ଦିଲ୍ଲୀ ଯାଏଁ ଲମ୍ବିଥିବା ଅନଲାଇନ୍ ସାଇବର ଠକେଇ ଘଟଣାର ପର୍ଦ୍ଦାଫାସ୍‌, ୪ ଗିରଫ

କୋର୍ଟଙ୍କ ଦ୍ୱାରା ହୋଇଥିବା ନିର୍ଦ୍ଦାରଣ ୧୯୬୮ ମସିହାର ରିଚାର୍ଡ ମର୍ଫିଙ୍କ ଭୂତାତ୍ତ୍ୱିକ ସର୍ବେକ୍ଷଣ ଆଧାରରେ ପ୍ରସ୍ତୁତ କରାଯାଇଛି। ଏହି ଅନୁସାରେ ପର୍ବତମାଳାର ମାତ୍ର ୯୦ ପ୍ରତିଶତ ଅଞ୍ଚଳ ସଂରକ୍ଷିତ କ୍ଷେତ୍ର ଭାବେ ପରିଚିତ ହୋଇଛି। ପୁଣି ଦିଲ୍ଲୀରେ ଥିବା ଆରାବଳୀର ସମସ୍ତ ଅଞ୍ଚଳରେ ଖଣିଜ ଉତ୍ତୋଳନ ନିଷିଦ୍ଧ ରହିଛି। ନିର୍ଦ୍ଧାରିତ ନିୟମାବଳୀ ଅନୁସାରେ, ପର୍ବତମାଳାର ସମୁଦାୟ ୧ଲକ୍ଷ ୪୭ ହଜାର ବର୍ଗ କିଲୋମିଟର ମଧ୍ୟରୁ ମାତ୍ର ୨୧୭ ବର୍ଗ କିଲୋମିଟର ଅର୍ଥାତ୍‍ ୨% ଅଞ୍ଚଳରେ ଖଣିଜ ଉତ୍ତୋଳନ ହୋଇପାରିବ।  ଏଥିପାଇଁ ପୁଣି କଠୋର ନିୟମାବଳୀ ରହିଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଆରାବଳୀର ସୁରକ୍ଷା ପାଇଁ ଅନେକ ପଦକ୍ଷେପ ନିଆଯାଇଛି। ସବୁଜ ଆରାବଳୀ ଆନ୍ଦୋଳନ କରାଯାଉଥିବା ସେ ସୂଚନା ଦେଇଛନ୍ତି।  ୪ ରାଜ୍ୟର ୩୯ ଡିଏଫ୍‍ଓଙ୍କ ସହ ବୈଠକ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।