ନୂଆଦିଲ୍ଲୀ : ଭୂପେନ୍ଦ୍ର ପଟେଲ ଲଗାତାର ଦ୍ବିତୀୟ ଥର ପାଇଁ ଗୁଜରାଟ ମୁଖ୍ୟମନ୍ତ୍ରୀ ହେବେ। ଗୁଜରାଟରେ ଶନିବାର ଦିନ ବିଜେପି ରାଜ୍ୟ ମୁଖ୍ୟାଳୟ ‘କମଳମ’ରେ ନୂଆ ବିଧାୟକ ଦଳ ନେତା ଚୟନ ପାଇଁ ନବ ନିର୍ବାଚିତ ବିଜେପି ବିଧାୟକମାନଙ୍କ ବୈଠକ ହୋଇଥିଲା। ଏହି ବୈଠକରେ ପଟେଲଙ୍କୁ ବିଧାୟକ ଦଳ ନେତା ଘୋଷଣା କରାଯାଇଛି। ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ନିଆଯାଇଛି। ବରିଷ୍ଠ ବିଜେପି ନେତା ରାଜନାଥ ସିଂହ, ବିଏସ୍‌ ୟେଦୁରପ୍ପା ଏବଂ ଅର୍ଜୁନ ମୁଣ୍ଡା ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ। ଡିସେମ୍ବର ୧୨ରେ ଭୂପେନ୍ଦ୍ର ପଟେଲ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଅନ୍ୟ ବିଜେପି ନେତାମାନେ ଯୋଗ ଦେବେ।

Advertisment

ଉଲ୍ଲେଖଯୋଗ୍ୟ, ଭୂପେନ୍ଦ୍ର ପଟେଲ ଶୁକ୍ରବାର ଦିନ ତାଙ୍କ କ୍ୟାବିନେଟ ସହ ଇସ୍ତଫା ଦେବା ପରେ ଶନିବାର ଦିନ ତାଙ୍କୁ ବିଧାୟକ ଦଳ ନେତା ନିର୍ବାଚିତ କରାଯାଇଛି। ପଟେଲ ଘାଟଲୋଡ଼ିଆ ବିଧାନସଭା‌ ଆସନରୁ ଲଗାତାର ଦ୍ବିତୀୟ ଥର ପାଇଁ ନିର୍ବାଚନ ଜିତିଛନ୍ତି। ୧.୯୨ ଲକ୍ଷ ଭୋଟ୍‌ ବ୍ୟବଧାନରେ ସେ ନିର୍ବାଚନ ଜିତିଛନ୍ତି। ଗତବର୍ଷ ସେପ୍ଟେମ୍ବରରେ ‌ସେ ବିଜୟ ରୁପାନୀଙ୍କ ସ୍ଥାନରେ ଗୁଜରାଟ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଉଲ୍ଲେଖଯୋଗ୍ୟ, ଚଳିତ ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ହୋଇଛି। ୧୮୨ ଆସନ ବିଶିଷ୍ଟ ରାଜ୍ୟ ବିଧାନସଭାରେ ବିଜେପି ୧୫୬ ଆସନରେ ଜିତିଛି।