ଗାନ୍ଧୀନଗର: ଆଜି ଅପରାହ୍ଣରେ ଗୁଜରାଟର ୧୮ଶ ମୁଖ୍ୟମନ୍ତ୍ରୀ ଭାବେ ଭୂପେନ୍ଦ୍ର ପଟେଲ୍‌ ଗୁଜରାଟୀ ଭାଷାରେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହା ହେଉଛି ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଭୂପେନ୍ଦ୍ର ପଟେଲ୍‌ଙ୍କର ଦ୍ବିତୀୟ ପାଳି।

Advertisment

ପଟେଲ୍‌ଙ୍କ ପରେ କୁନୁଭାଇ ଦେଶାଇ, ଋଷିକେଶ ପଟେଲ୍‌, ରାଘବଜୀ ପଟେଲ୍‌, ବଲ୍‌ୱନ୍ତ ସିଂହ ରାଜପୁତ, କୁଆଁର୍‌ଜି ବୱାଲିୟା, ମୁଲୋଭାଇ ବେରା, କୁବେର ଦିନଦୋର୍‌, ଭାନୁବେନ୍‌ ବାବରିୟା, ହର୍ଷ ସାଙ୍ଘୱି ଓ ଜଗଦୀଶ ବିଶ୍ବକର୍ମା ମନ୍ତ୍ରୀଭାବେ ଶପଥ ଗ୍ରହଣ କରିଛନ୍ତି।

ଗାନ୍ଧୀନଗରର ହେଲିପ୍ୟାଡ୍‌ ପଡ଼ିଆରେ ‌ଆୟୋଜିତ ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ନିତିନ ଗଡ଼କରୀ ଏବଂ ଅନ୍ୟାନ୍ୟ କେନ୍ଦ୍ରମନ୍ତ୍ରୀମାନେ ଉପସ୍ଥିତ ଥିଲେ। ଗୁଜରାଟରେ ନିର୍ବାଚନ ପ୍ରଚାର କରିଥିବା ‘ବିଜେପି’ ମୁଖ୍ୟ ଜେ. ପି. ନଡ୍ଡା, ବରିଷ୍ଠ ନେତା ବି. ଏଲ୍‌. ସନ୍ତୋଷ ଏବଂ ସାଂସଦମାନେ ବି ଭୂପେନ୍ଦ୍ରଙ୍କ ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ଥିଲେ।

publive-image Image Courtesy of ANI

ସେହିପରି, ‘ବିଜେପି’ ଶାସିତ ରାଜ୍ୟ ଓ ତା’ର ମେଣ୍ଟ ଦଳର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଭୂପେନ୍ଦ୍ର ପଟେଲ୍‌ଙ୍କ ଶପଥ ଗ୍ରହଣ ସମାରୋହରେ ଉପସ୍ଥିତ ଥିଲେ। ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆସମାର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା, ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟାର, ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ, ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ ଆଦି ନେତା ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ସମାରୋହସ୍ଥଳରେ ଉପସ୍ଥିତ ହୋଇଥିଲେ।

ଏହାଛଡ଼ା, ପଟେଲ୍‌ଙ୍କ ପରିବାରର ସଦସ୍ୟମାନେ ମଧ୍ୟ ତାଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇଥିଲେ।