ନୂଆଦିଲ୍ଲୀ: ଜାତିସଂଘର କନଫରେନ୍ସ ଅଫ୍ ପାର୍ଟିଜ୍ (ସିଓପି) ୨୬ ସମ୍ମିଳନୀର ପୂର୍ଣ୍ଣାଙ୍ଗ ଅଧିବେଶନରେ ଯୋଗଦେଇ ଭାରତର ପ୍ରରିବେଶ ମନ୍ତ୍ରୀ ଭୂପେନ୍ଦର ଯାଦବ ବିକଶିତ ଦେଶଗୁଡ଼ିକୁ ଟାର୍ଗେଟ କରିଛନ୍ତି। ଜଳବାୟୁ ପରିବର୍ତ୍ତନକୁ ରୋକିବା ସଂକ୍ରାନ୍ତ କାର୍ଯ୍ୟକ୍ରମ ବିକାଶଶୀଳ ଦେଶଗୁଡ଼ିକ ୨୦୦୯ ମସିହାରୁ ଅଧିକ ମାତ୍ରାରେ କରୁଛନ୍ତି। କିନ୍ତୁ ବିକଶିତ ଦେଶଗୁଡ଼ିକ ଯେଉଁମାତ୍ରାରେ ସହାୟତା ଦେବା କଥା ତାହା କରୁନାହାନ୍ତି । ବାର୍ଷିକ ୧୦୦ ବିଲିଅନ ଡଲାର ଯୋଗାଇବା ଦେବା ନେଇ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟ ହାସଲ କରିବାରେ ବିକଶିତ ଦେଶଗୁଡ଼ିକ ପ୍ରଥମତଃ ବିଫଳ ହୋଇଛନ୍ତି। ଏଥିସହିତ ୨୦୨୫ ମସିହା ପର୍ଯ୍ୟନ୍ତ ଏହି ସର୍ବୋଚ୍ଚ ସୀମାକୁ ଅପରିବର୍ତ୍ତିତ ରଖିବେ ବୋଲି ନିଷ୍ପତ୍ତି ଉପରେ ଭୂପେନ୍ଦର ଚିନ୍ତା ପ୍ରକଟ କରିଛନ୍ତି। ପୂଦୂଷଣର ମାତ୍ରା କମ୍ କରିବା ପାଇଁ ଆବଶ୍ୟକ ନୀତି ପ୍ରସ୍ତୁତ କରିବା ଲାଗି ବିକାଶଶୀଳ ଦେଶଗୁଡ଼ିକୁ ସମୟ ଏବଂ ସହାୟତା ଯୋଗାଇ ଦିଆଯିବା ଆବଶ୍ୟକ ବୋଲି ଭୂପେନ୍ଦର କହିଛନ୍ତି।

Advertisment

ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଭାରତର ପ୍ରତିନିଧିତ୍ବ କରୁଥିବା ଭୂପେନ୍ଦର ବିଏଏସଆଇସି (ବ୍ରାଜିଲ, ଦକ୍ଷିଣ ଆଫ୍ରିକା, ଭାରତ ଏବଂ ଚୀନ) ଗୋଷ୍ଠୀ ଦେଶପକ୍ଷରୁ ଏହି ବିବୃତି ରଖିଛନ୍ତି। ଅକ୍ଟୋବର ୩୧ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଧିବେଶନ ଆସନ୍ତା ୧୨ ତାରିଖରେ ଶେଷହେବ। ଉକ୍ତ ସମ୍ମିଳନୀରେ ଯୋଗଦେବା ପାଇଁ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦର ଗତ ୨୯ ତାରିଖରୁ ଗ୍ଲାସଗୋରେ ପହଞ୍ଚିଛନ୍ତି।