ରାୟପୁର: ଆପଣ ମୋର ପ୍ରଭୁ… ଏ ସମସ୍ତେ ଭଗବାନ, ସମସ୍ତଙ୍କ ସହଯୋଗ ଯୋଗୁ ମୋ ପୁଅ ବଞ୍ଚିପାରିଛି । ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ପାଦ ତଳେ ପଡି କୋହଭରା କଣ୍ଠରେ ରାହୁଲର ମାଆ ଏଭଳି କହିଚାଲିଥିଲେ । ତାଙ୍କ ପୁଅର ଜୀବନ ବଞ୍ଚାଇଥିବାରୁ ସମସ୍ତଙ୍କୁ ସେ ଧନ୍ୟବାଦ ଦେଉଥିଲେ । ମଙ୍ଗଳବାର ମଧ୍ୟରାତ୍ରିରେ ୮୦ ଫୁଟ୍ ଗଭୀର ବୋରୱେଲରୁ ଉଦ୍ଧାର ହୋଇଥିବା ରାହୁଲ ବିଲାସପୁର ଆପୋଲୋ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଦିଲ୍ଲୀରୁ ସିଧାସଳଖ ବିଲାସପୁର ପହଞ୍ଚିବା ପରେ ଡାକ୍ତରଖାନା ଯାଇ ସେଠାରେ ରାହୁଲର ସ୍ୱାସ୍ଥ୍ୟବସ୍ଥା ପଚାରିବୁଝିଥିଲେ ।
ତେବେ ରାହୁଲଙ୍କୁ ଭେଟିବା ସମୟରେ ରାହଲଙ୍କ ମାଆ ଛତିଶଗଡ ପ୍ରଶାସନ, ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ସମସ୍ତଙ୍କୁ ଧନ୍ୟବାଦ ଦେଇ ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କୁ ଭୂମିଷ୍ଠ ପ୍ରଣାମ କରି ଚାଲିଥିଲେ । ନିଜ ପୁଅକୁ ମରଣମୁହଁରୁ ଫେରିପାଇଥିବା ରାହୁଲଙ୍କ ମା’ ଯେମିତି ସବୁକିଛି ଫେରିପାଇଛନ୍ତି, ତାହା ତାଙ୍କ ମୁହଁରୁ ସ୍ପଷ୍ଟ ବାରି ହୋଇପଡ଼ୁଥିଲା । ଏଥିପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିବା ଭିଡିଓରେ ଦେଖାଯାଇଛି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ବାଘେଲ୍ ରାହୁଲଙ୍କ ମା’ଙ୍କ ମଥା ଆଉଁସି ତାଙ୍କୁ ଆଶ୍ବାସନା ଦେଉଥିବା ଦୃଶ୍ୟ ବେଶ୍ ଆବେଗମୟ ଥିଲା।
LIVE: बहादुर राहुल साहू हौसला और हिम्मत का पर्याय है (अपोलो अस्पताल, बिलासपुर) https://t.co/joobOw6n4L
— CMO Chhattisgarh (@ChhattisgarhCMO) June 15, 2022
ରାହୁଲର ଅବସ୍ଥା ବର୍ତ୍ତମାନ ସ୍ଥିର ରହିଥିବା ବେଳେ ଛତିଶଗଡ ସରକାର ଆଗାମୀ ଦିନରେ ତାଙ୍କର ସ୍ୱାସ୍ଥ୍ୟ ଖର୍ଚ୍ଚଠାରୁ ନେଇ ଆଗାମୀ ପାଠପଢା ଖର୍ଚ୍ଚ ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ମା’ଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ମେଡିକାଲରେ ଥିବା ଅନ୍ୟ ପରିବାର ସଦସ୍ୟଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଭେଟିଥିବା ଜଣାପଡ଼ିଛି।