ରାୟପୁର : ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶେଷରେ ଭୂପେଶ ବାଘେଲଙ୍କ ନାମରେ ମୋହର ଲାଗିଛି। ବିଧାୟକ ଦଳ ବୈଠକରେ ଦୀର୍ଘ ସମୟ ଧରି ଆଲୋଚନା ପରେ ବାଘେଲଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସୋମବାର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ।
Sambad is now on WhatsApp
Join and get latest news updates delivered to you via WhatsApp
ଭୂପେଶ ବାଘେଲ୍ ପ୍ରଦେଶ କଂଗ୍ରେସ କମିଟିର ମୁଖ୍ୟ ରହିଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ପଦ ଦୌଡ଼ରେ ତାଙ୍କ ବ୍ୟତୀତ ଆହୁରି ୩ ଜଣ ଦାବିଦାର ଥିଲେ। ଏମାନଙ୍କ ମଧ୍ୟରୁ କାହାକୁ ମୁଖ୍ୟମନ୍ତ୍ରୀ ପଦରେ ମନୋନୀତ କରାଯିବ, ତାହାକୁ ନେଇ କଂଗ୍ରେସ ହାଇକମାଣ୍ଡ ବେଶ୍ ଅଡୁଆରେ ପଡ଼ିଥିଲେ। ଏଥିପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗତ ୧୧ ତାରିଖରୁ ମାନସ ମନ୍ଥନରେ ବ୍ୟସ୍ତ ଥିଲେ। ମଧ୍ୟପ୍ରଦେଶ ଓ ରାଜସ୍ଥାନ ତୁଳନାରେ ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ନିଷ୍ପତ୍ତି ନେବା କାଠିକର ପାଠ ଥିଲା। କାରଣ ମଧ୍ୟ ପ୍ରଦେଶ ଓ ରାଜସ୍ଥାନରେ ଦୁଇ ଜଣ ଲେଖାଏଁ ନେତା ଦାବିଦାର ଥିଲା ବେଳେ ଛତିଶଗଡ଼ରେ ୪ ଜଣ ରହିଥିଲେ। ଶେଷରେ ବାଘେଲଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଦେବାକୁ କଂଗ୍ରେସ ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଉଲ୍ଲେଖଯୋଗ୍ୟ, ୯୦ ଆସନବିଶିଷ୍ଟ ଛତିଶଗଡ଼ ବିଧାନସଭାରେ କଂଗ୍ରେସ ୬୮ଟି ହାସଲ କରି ବହୁମତ ହାସଲ କରିଛି।
କୁହାଯାଉଛି ଯେ ଛତିଶଗଡ଼ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ଜିତାଇବାରେ ବାଘେଲଙ୍କ ହାତ ରହିଛି। ତାଙ୍କ ତତ୍ତ୍ବାବଧାନରେ ଦଳ ନଗର ପାଳିକା ଭୋଟ୍ ସହିତ ବିଧାନସଭା ନିର୍ବାଚନରେ ସଫଳତା ହାସଲ କରିଛି। ଏମିତି କି ପଞ୍ଚାୟତ ନିର୍ବାଚନରେ ମଧ୍ୟ ତାଙ୍କ ଭୂମିକା ଉଲ୍ଲେଖନୀୟ ରହିଛି। ତାଙ୍କ ଦ୍ବାରା ପ୍ରସ୍ତୁତ ରଣନୀତିକୁ ପ୍ରୟୋଗ କରି କଂଗ୍ରେସ ସମସ୍ତ ନିର୍ବାଚନରେ ବିଜୟ ହାସଲ କରିଛି।
ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବାଘେଲ୍ ହେବେ ବୋଲି ରବିବାର ଅପରାହ୍ନରେ ଏଆଇସିସି ପର୍ଯ୍ୟବେକ୍ଷକ ତଥା ବରିଷ୍ଠ ନେତା ମଲ୍ଲିକାର୍ଜୁନ୍ ଖଡ଼ଗେ ଘୋଷଣା କରିଥିଲେ। ୫୭ ବର୍ଷୀୟ ବାଘେଲ୍ ଗତ ୫ ବର୍ଷ ହେବ ରାଜ୍ୟ କଂଗ୍ରେସ ସଂଗଠନର ନେତୃତ୍ବ ନେଉଛନ୍ତି। ଆସନ୍ତାକାଲି ଶପଥ ନେବା ପରେ ସେ ରାଜ୍ୟେର ନୂଆ ସରକାରର ନେତୃତ୍ବ ନେବେ।
ସୋମବାର ଅପରାହ୍ନରେ ରାୟପୁରର ସାଇନ୍ସ କଲେଜ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ଏକ ସାଧାରଣ ସଭାରେ ବାଘେଲ୍ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଏହି କାର୍ଯ୍ୟକ୍ରମରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମଧ୍ୟ ଯୋଗଦେବେ ବୋଲି ଜଣାପଡ଼ିଛି। ଆସନ୍ତାକାଲି କମଳନାଥ ଓ ଅଶୋକ ଗେହଲଟ୍ ଯଥାକ୍ରମେ ମଧ୍ୟ ପ୍ରଦେଶ ଓ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।