ଜୋ ବାଇଡେନଙ୍କ ଘୋଷଣା : ପ୍ରଥମ ୧୦୦ ଦିନରେ ୧୦୦ ନିୟୁତ ଲୋକଙ୍କୁ କରୋନା ଟିକା ଦିଆଯିବ

ଓ୍ବାସିଂଟନ : ଆଉ ମାତ୍ର ୪ ଦିନ ପରେ ଜୋ ବାଇଡେନ ଆମେରିକାର ନୂଆ ରାଷ୍ଟ୍ରପତିଭାବେ ଶପଥ ଗ୍ରହଣ କରିବେ । ଇତି ମଧ୍ୟରେ ସେ ତାଙ୍କର ନୂଆ ଟିମ ଗଢିସାରିଲେଣି ଓ ପ୍ରଥମ ୧୦୦ ଦିନର କାର୍ଯ୍ୟକ୍ରମ ଚୂଡ଼ାନ୍ତ କରିସାରିଲେଣି ।

ଜୋ ବାଇଡେନଙ୍କ ପ୍ରଥମ ୧୦୦ ଦିନର କାର୍ଯ୍ୟକ୍ରମରେ କରୋନା ମୁକାବିଲାକୁ ପ୍ରାଥମିକତା ଦିଆଯାଇଛି । ପ୍ରଥମ ୧୦୦ ଦିନ ଭିତରେ ଆମେରିକାରେ ପ୍ରାୟ ୧୦୦ ନିୟୁତ (୧୦ କୋଟି) ଲୋକଙ୍କୁ କରୋନା ଟିକା ଦେବାକୁ ବାଇଡେନ ଘୋଷଣା କରିଛନ୍ତି । ଏହା ଏକ କଷ୍ଟକର ଲକ୍ଷ୍ୟ ହୋଇଥିଲେ ବି ତାହାକୁ ହାସଲ କରିହେବ ବୋଲି ସେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶରେ ଏପର୍ଯ୍ୟନ୍ତ କରାଯାଇଥିବା ଟୀକାକରଣ କାର୍ଯ୍ୟକ୍ରମ ବେଶ ନୈରାଶ୍ୟଜନକ ରହିଛି ।

ଆମେରିକା ସମଗ୍ର ବିଶ୍ବରେ ସବୁଠାରୁ ଅଧିକ କରୋନା ପ୍ରଭାବିତ ଦେଶ ପାଲଟିଛି । ଆମେରିକାରେ ପ୍ରାୟ ୨.୩୫ କୋଟି କରୋନା ଆକ୍ରାନ୍ତ ଥିବାବେଳେ ମୃତ୍ୟୁସଂଖ୍ୟା ୩ ଲକ୍ଷ ୯୧ ହଜାରରେ ପହଞ୍ଚିଛି । କରୋନା ମୁକାବିଲାରେ ଟ୍ରମ୍ପ ପ୍ରଶାସନର ବିଫଳତା ଟ୍ରମ୍ପଙ୍କ ପରାଜୟର ଏକ ବଡ଼ କାରଣ ବୋଲି କୁହାଯାଉଛି ।

ସମ୍ବନ୍ଧିତ ଖବର