ନୂଆଦିଲ୍ଲୀ: ୟୁକ୍ରେନ ଏବଂ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧ ବର୍ତ୍ତମାନ ଅତ୍ୟନ୍ତ ବିପଜ୍ଜନକ ସ୍ଥିତିରେ ପହଞ୍ଚିଛି। ଏଭଳି ପରିସ୍ଥିତିରେ ଦୁଇ ଦେଶ ମଧ୍ୟରେ ବିବାଦ ଶୀଘ୍ର ଶେଷ ହେବ ବୋଲି ଅଧିକାଂଶ ଦେଶ ଆଶା କରୁଛନ୍ତି। ୟୁକ୍ରେନରେ ରୁଷର ଆକ୍ରମଣ ଉପରେ ‘କ୍ୱାଡ’ର ସଦସ୍ୟମାନେ ଭାରତର ଆଭିମୁଖ୍ୟକୁ ଗ୍ରହଣ କରିଛନ୍ତି। ଯୁଦ୍ଧ ଆରମ୍ଭ ହେବା ପରଠାରୁ ଭାରତ ରୁଷକୁ ସମାଲୋଚନା କରିବା ଠାରୁ ଦୂରେଇ ରହିଛି। ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆ ରୁଷର ୟୁକ୍ରେନ ଆକ୍ରମଣକୁ ଦୃଢ଼ ନିନ୍ଦା କରୁଥିବା ବେଳେ ଭାରତ ଏଭଳି କରିନାହିଁ। ରୁଷ ସହିତ ପୁରୁଣା ବନ୍ଧୁତା ହେତୁ, ରୁଷ ସେନାର ଆକ୍ରମଣ ଉପରେ ଭାରତ ଏ ପର୍ଯ୍ୟନ୍ତ ସିଧାସଳଖ ପ୍ରତିକ୍ରିୟା ଦେବାକୁ ଏଡ଼ାଇ ଆସିଛି।
ରୁଷ-ୟୁକ୍ରେନ ଯୁଦ୍ଧ ଉପରେ ଭାରତର ଏପର୍ଯ୍ୟନ୍ତ ଦୃଢ଼ ପ୍ରତିକ୍ରିୟା ଆସିପାରିନଥିବା କହିଛି ଆମେରିକା। ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ, ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ନେଇ ଭାରତର ପ୍ରତିକ୍ରିୟା ଦୁର୍ବଳ ରହିଛି। ଜାପାନ ଏବଂ ଅଷ୍ଟ୍ରେଲିଆ ରୁଷର ୟୁକ୍ରେନ ଆକ୍ରମଣକୁ ଦୃଢ଼ ନିନ୍ଦା କରୁଥିବା ବେଳେ ଭାରତ ସିଧାସଳଖ ଏଭଳି କରିନାହିଁ।
ତେବେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ରୁଷ ଉପରେ କୌଣସି ପ୍ରତିବନ୍ଧକ ଲଗାଇବା ପରିବର୍ତ୍ତେ ନିଜ ଦେଶର ନାଗରିକଙ୍କୁ ସୁରକ୍ଷିତ ସ୍ବଦେଶ ଆଣିବାକୁ ଗୁରୁତ୍ବ ଦେଇଥିଲା ଭାରତ। ଏହା ସହ ରୁଷ ଏବଂ ୟୁକ୍ରେନର ରାଷ୍ଟ୍ରପତିଙ୍କ ସହ କଥା ହୋଇ ଶାନ୍ତିପୂର୍ଣ୍ଣ ଭାବେ ଆଲୋଚନା କରି ଯୁଦ୍ଧ ଶେଷ କରିବାକୁ ପରାମର୍ଶ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି କାମକୁ ପ୍ରଶଂସା କରି ଗତକାଲି ଭାରତରେ ଅଷ୍ଟ୍ରେଲୀୟ ହାଇ କମିଶନର ଭାବେ ନିଯୁକ୍ତ ବରୀ ଓ’ଫରେଲ ଗଣମାଧ୍ୟମକୁ କହିଥିଲେ ଯେ ‘କ୍ୱାଡ’ ଦେଶ ଭାରତର ଆଭିମୁଖ୍ୟକୁ ଗ୍ରହଣ କରିଛନ୍ତି। ଆମେ ବୁଝିପାରୁଛୁ ଯେ ପ୍ରତ୍ୟେକ ଦେଶର ନିଜର ଦ୍ୱିପାକ୍ଷିକ ସମ୍ପର୍କ ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ତବ୍ୟରୁ ଏହା ସ୍ପଷ୍ଟ ହୋଇଛି ଯେ ୟୁକ୍ରେନ ସଙ୍କଟ ଦୂର କରିବା ପାଇଁ ସେମାନେ ସେମାନଙ୍କର ସମ୍ପର୍କକୁ ବ୍ୟବହାର କରିଛନ୍ତି। ନିଶ୍ଚିତ ଭାବେ ଏଥିରେ କୌଣସି ଦେଶ ଅସନ୍ତୁଷ୍ଟ ହେବେ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/t-53.jpg)