ୱାସିଂଟନ୍: ଶନିବାର ଦିନ ଇସ୍ରାଏଲୀୟ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହିତ ଫୋନ୍ରେ କଥାବର୍ତ୍ତା ହେବା ବେଳେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଇସ୍ରାଏଲ୍ ଓ ଗାଜାରେ ଉଗ୍ର ହେଉଥିବା ହିଂସାକାଣ୍ଡ ବିଷୟରେ ଗଭୀର ଚିନ୍ତା ବ୍ୟକ୍ତ କରିଛନ୍ତି ବୋଲି ହ୍ବାଇଟ୍ ହାଉସ୍ କହିଛି।
ଅନେକ ଲୋକଙ୍କୁ ମୃତାହତ କରିଥିବା ଇସ୍ରାଏଲୀୟ-ପାଲେଷ୍ଟାଇନୀୟ ସଂଘର୍ଷର ଷଷ୍ଠ ଦିବସରେ ରାଷ୍ଟ୍ରପତି ବାଇଡେନ୍ ଇସ୍ରାଏଲ୍ ପ୍ରତି ଦୃଢ଼ ସମର୍ଥନ ଜଣାଇ କହିଛନ୍ତି ଯେ, ହମାସ୍ ଏବଂ ଅନ୍ୟ ଆତଙ୍କବାଦୀ ସଙ୍ଗଠନର ରକେଟ୍ ଆକ୍ରମଣକୁ ପ୍ରତିରୋଧ କରିବା ପାଇଁ ଇସ୍ରାଏଲ୍ର ଅଧିକାର ରହିଛି।
ଏକ ବିବୃତିରେ ହ୍ବାଇଟ୍ ହାଉସ୍ କହିଛି, ନିର୍ବିଚାର ଭାବେ ଇସ୍ରାଏଲ୍ର ନଗର ଓ ସହରଗୁଡ଼ିକ ଉପରେ କରାଯାଉଥିବା ଆକ୍ରମଣକୁ ରାଷ୍ଟ୍ରପତି ନିନ୍ଦା କରିଛନ୍ତି।
କିନ୍ତୁ, ‘ଦି ଆସୋସିଏଟ୍ ପ୍ରେସ୍’ ଏବଂ ଅନ୍ୟାନ୍ୟ ଆନ୍ତର୍ଜାତିକ ସମ୍ବାଦ ସରବରାହ ସଂସ୍ଥାନଗୁଡ଼ିକର କାର୍ଯ୍ୟାଳୟ ଥିବା ଗାଜାସ୍ଥିତ ଏକ ଅଟ୍ଟାଳିକାକୁ ଶନିବାର ଦିନ ଇସ୍ରାଏଲ୍ ବିମାନ ଆକ୍ରମଣ କରି ଧରାଶାୟୀ କରିଦେବାରୁ ସାମ୍ବାଦିକମାନଙ୍କ ସୁରକ୍ଷା ସଂକ୍ରାନ୍ତରେ ବାଇଡେନ୍ ଚିନ୍ତା ପ୍ରକଟ କରିଛନ୍ତି।
/sambad/media/post_attachments/wp-content/uploads/2021/05/israel-rocket.jpg)
ଏପର୍ଯ୍ୟନ୍ତ ସର୍ବସାଧାରଣରେ ଇସ୍ରାଏଲୀୟ-ପାଲେଷ୍ଟାଇନୀୟ ସଂଘର୍ଷ ସମ୍ପର୍କରେ ଅଳ୍ପ କିଛି କହିଥିବା ବାଇଡେନ୍ କହନ୍ତି ଯେ, ଏ ସଂଘର୍ଷର ସମାଧାନ ନିମନ୍ତେ ଦୁଇ ଦେଶ ବୁଝାମଣା କରନ୍ତୁ ବୋଲି ଆମେରିକା ଚାହୁଁଛି।
ଉପରୋକ୍ତ ପ୍ରସଙ୍ଗ ସେ ଅନ୍ୟ ଏକ ଫୋନ୍ କଲ୍ରେ ପାଲେଷ୍ଟାଇନୀୟ କର୍ତ୍ତୃପକ୍ଷଙ୍କ ରାଷ୍ଟ୍ରପତି ମହମଦ ଆବାସ୍ଙ୍କୁ ମଧ୍ୟ ଜଣାଇଥିବା କଥା ହ୍ବାଇଟ୍ ହାଉସ୍ କହିଛି। ସେ କହିଥିଲେ, ଇସ୍ରାଏଲୀୟ-ପାଲେଷ୍ଟାଇନୀୟ ସଂଘର୍ଷର ସମୁଚ୍ଚିତ ଏବଂ ସ୍ଥାୟୀ ସମାଧାନ ହେଉଛି ଦୁଇ ଦେଶ ମଧ୍ୟରେ ବୁଝାମଣା।
ସୂଚନାଯୋଗ୍ୟ, ଶନିବାର ଦିନ ଇସ୍ରାଏଲ୍ ଗାଜା ଷ୍ଟ୍ରିପ୍ ଉପରେ ବିମାନ ଆକ୍ରମଣ କରି ଆତଙ୍କବାଦୀମାନଙ୍କ ଶାଖା ସଂଗଠନର ୧୦ଜଣ ସଦସ୍ୟଙ୍କୁ ନିପାତ କରିବା ପରେ ପାଲେଷ୍ଟାଇନୀୟ ଆତଙ୍କବାଦୀମାନେ ପ୍ରବଳ ରକେଟ୍ ନିକ୍ଷେପ କରିଥିଲେ। ଅଧିକୃତ ୱେଷ୍ଟ୍ ବ୍ୟାଙ୍କ୍କୁ ମଧ୍ୟ ସଂଘର୍ଷ ବ୍ୟାପିଥିବା ଜଣାପଡ଼ିଛି।