ସାଇକେଲ ଚଳାଇବା ବେଳେ ଖସିପଡ଼ିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ

ଓ୍ବାସିଂଟନ : ସାଇକେଲ ଚଳାଇବା ବେଳେ ଖସିପଡ଼ିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଶନିବାର ସକାଳେ ଆମେରିକାର ଡେଲାଓ୍ବାରେରେ ଥିବା ନିଜ ଘରୁ ସାଇକେଲ ଚଳାଇ ଯାଉଥିବାବେଳେ ବାଇଡେନ ଏକ ପାର୍କ ନିକଟରେ ଖସିପଡ଼ିଥିଲେ । ତେବେ ତାଙ୍କ ସହିତ ଥିବା ଆମେରିକାର ସିକ୍ରେଟ ସର୍ଭିସ କର୍ମଚାରୀମାନେ ତାଙ୍କୁ ତୁରନ୍ତ ଉଠାଇଥିଲେ । ଏହି ଘଟଣାରେ ବାଇଡେନଙ୍କର କୌଣସି କ୍ଷତି ହୋଇନଥିବା ଜଣାପଡ଼ିଛି । ସେ ଠିକ ଥିବା ଖୋଦ ବାଇଡେନ ପ୍ରକାଶ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଶନିବାର ସକାଳ ସାଢେ ୮ଟାରେ ବାଇଡେନ ସାଇକେଲ ଚଳାଇ କେପ ହେଲନୋପଲ ପାର୍କକୁ ଯାଉଥିଲେ । ସାଇକେଲ ପାଇଁ ଉଦ୍ଦିଷ୍ଟ ରାସ୍ତାରେ ସେ ଯାଉଥିବାବେଳେ କେତେକ ସାଧାରଣ ଲୋକ ତାଙ୍କୁ ହାତ ହଲାଇ ଅଭିବାଦନ ଜଣାଇଥିଲେ । ସେମାନଙ୍କ ଅଭିବାଦନ ଗ୍ରହଣ କରିବାକୁ ବାଇଡେନ ସାଇକେଲରେ ବ୍ରେକ ମାରି ଅଟକାଉଥିବାବେଳେ ଖସି ପଡ଼ିଥିଲେ । ତାଙ୍କ ସହିତ ଥିବା ସିକ୍ରେଟ ସର୍ଭିସର କର୍ମଚାରୀମାନେ ତୁରନ୍ତ ବାଇଡେନଙ୍କୁ ଉଠାଇବା ସହ ସ୍ଥିତିକୁ ନିୟନ୍ତ୍ରଣକୁ ନେଇଥିଲେ ।

 

ଏ ସଂପର୍କରେ ହ୍ବାଇଟ ହାଉସ ପକ୍ଷରୁ ଏକ ବୟାନ ଜାରି କରି କୁହାଯାଇଛି ଯେ ରାଷ୍ଟ୍ରପତିଙ୍କର କୌଣସି କ୍ଷତି ହୋଇନାହିଁ ଓ ସେ ଠିକ ଅଛନ୍ତି ।  ସାଇକେଲରୁ ଓହ୍ଲାଇବା ବେଳେ ତାଙ୍କ ଗୋଡ ପେଡାଲରେ ଛନ୍ଦି ହୋଇଯାଇଥିଲା, ଫଳରେ ସେ ଖସିପଡ଼ିଥିଲେ । ଏହା ପୂର୍ବରୁ ବାଇଡେନ ଏୟାର ଫୋର୍ସ ବିମାନରୁ ଓହ୍ଲାଉଥିବାବେଳେ ଖସିପଡ଼ିଥିଲେ ।

ସମ୍ବନ୍ଧିତ ଖବର