ଚର୍ଚ୍ଚାରେ ବାଇଡେନ୍‌-ହାରିସ୍‌ ଯୋଡ଼ି

ୱାସିଂଟନ : ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କୁ ଦ୍ବିତୀୟ ଥର ଲାଗି ଆମେରିକାର ରାଷ୍ଟ୍ରପତି ଭାବେ ଦେଖିବା ଲାଗି ପାଖାପାଖି ୭ କୋଟି ଭୋଟର ଚାହୁଥିବା ବେଳେ ତାଙ୍କ ସ୍ଥାନରେ ଡେମୋକ୍ରାଟିକ୍‌ ଦଳର ଜୋ ବାଇଡେନ୍‌ ଓ ଉପରାଷ୍ଟ୍ରପତି ଭାବେ ଭାରତୀୟ ବଂଶୋଦ୍ଭବ କମଳା ହାରିସ୍‌ ଇତିହାସ ରଚିଛନ୍ତି। ବାଇଡେନ ୨୭୯ ଇଲେକ୍ଟୋରାଟ୍‌ ଭୋଟ୍‌ ହାସଲ କରିଥିବା ବେଳେ ଟ୍ରମ୍ପ୍‌ ୨୧୪ ଭୋଟ୍‌ ପାଇଛନ୍ତି। ଟ୍ରମ୍ପ୍‌ ବିରୋଧୀ ବାଇଡେନ୍‌ଙ୍କ ଶୈଶବ ବିଳାସରେ କଟି ନଥିଲା କି ସେ ହାଭାର୍ଡ ପରି ଅନୁଷ୍ଠାନ ଯାଇନଥିଲେ। ନ୍ୟୁୟର୍କର ସ୍ବତନ୍ତ୍ର ଗୋଷ୍ଠୀ ସହ ମଧ୍ୟ ବାଇଡେନ୍‌ଙ୍କ ବିଶେଷ ବନ୍ଧୁତା ନଥିଲା। ତେବେ ବାସ୍ତବରେ ସେ ଭାରତ-ଆମେରିକୀୟମାନଙ୍କ ପରି ସଂଖ୍ୟାଧିକ ସାଧାରଣ ଲୋକଙ୍କ ଭିତରେ ନିୟମିତ ଭାବରେ ଲୋକପ୍ରିୟ ହୋଇପାରିଥିଲେ। ୨୦୧୬ରେ ଓବାମା ରାଷ୍ଟ୍ରପତି ଥିଲା ବେଳେ ଉପରାଷ୍ଟ୍ରପତି ଥିବା ବାଇଡେନ୍‌ ନିଜ ବାସଭବନର ଫାଟକକୁ ଭାରତୀୟ-ଆମେରିକୀୟଙ୍କ ଲାଗି ଦୀପାବଳିର ଖୁସି ମନାଇବା ପାଇଁ ଖୋଲା ରଖି‌ଥିଲେ। ସେହିପରି ୨୦୨୦ ନିର୍ବାଚନରେ ସେ କମଳା ହାରିସ୍‌ଙ୍କ ଭଳି ଜଣେ ଭାରତୀୟ ବଂଶୋଦ୍ଭବଙ୍କୁ ନିଜର ସହଯୋଗୀ ଭାବେ ବାଛିଥିଲେ।

ଅପରପକ୍ଷେ, ମୁହଁରେ ମନଖୋଲା ହସ ଓ ପାଦରେ ନୃତ୍ୟଶୈଳୀର ଜୋତା ଥିବା କମଳା ସାମ୍ପ୍ରତିକ ଆମେରିକାର ବିବିଧତାକୁ ପ୍ରତିନିଧିତ୍ବ କରୁଛନ୍ତି। ଭାରତୀୟ ମାଆ ଶ୍ୟାମଳା ଗୋପାଳନ୍‌ ଓ ଆଫ୍ରିକୀୟ(ଜାମାଇକା) ପିତା ଡୋନାଲ୍‌ଡ ହାରିସ୍‌ଙ୍କ ଠାରୁ ଜନ୍ମିତ କମଳାଙ୍କୁ ଉଭୟ ଆଫ୍ରିକୀୟ-ଆମେରିକୀୟ ଓ ଭାରତୀୟ-ଆମେରିକୀୟମାନେ ପସନ୍ଦ କରିନେଇଛନ୍ତି। ତେବେ ୭୭ ବର୍ଷୀୟ ବାଇଡେନ୍‌ ଜଣେ ପୋଖତ କୂଟନୀତିଜ୍ଞ ତଥା ରାଜନେତା ହିସାବରେ ରାଷ୍ଟ୍ରପତି ଆଶାୟୀ ଥିବା କମଳାଙ୍କୁ ନିଜର ସହଯୋଗୀ ଭାବେ ମନାଇବାରେ ସଫଳ ହୋଇଥିଲେ। ଏହି ଯୋଡ଼ି ସ୍ବାଭାବିକ ଜଣାନପଡ଼ିଲେ ବି ସେମାନଙ୍କର ଏହି ନିର୍ବାଚନୀ ସଫଳତା ଭବିଷ୍ୟତରେ ଅଧିକ ସଫଳତା ହାସଲ କରିବ ବୋଲି ଆଶା କରାଯାଉଛି।

୭୭ ବର୍ଷୀୟ ବାଇଡେନ ଏବଂ ୫୬ ବର୍ଷୀୟ ହାରିସ୍‌ ୨୦୨୧ ଜାନୁଆରି ୨୦ ତାରିଖରେ ଶପଥ ନେବେ।

ସମ୍ବନ୍ଧିତ ଖବର