ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ତାଙ୍କ ଚୀନ ପ୍ରତିପକ୍ଷ ସି ଜିନପିଙ୍ଗ୍‌ଙ୍କ ମଧ୍ୟରେ ଆଲୋଚନା ୧୫ ତାରିଖରେ ଆମେରିକାରେ ହୋଇଛି। ଦୁଇ ନେତାଙ୍କ ମଧ୍ୟରେ ତାଇୱାନ ଠାରୁ ଆରମ୍ଭ କରି ଏକାଧିକ ପ୍ରସଙ୍ଗରେ ଆଲୋଚନା ହୋଇଛି। ଏସିଆ ପ୍ରଶାନ୍ତ ମହାସାଗର ଅର୍ଥନୈତିକ ସହଯୋଗିତା ସମ୍ମିଳନୀ ଅବସରରେ ଦୁଇ ନେତା କାଲିଫର୍ଣ୍ଣିଆର ଉଡସାଇଡସ୍ଥିତ ଫିଲୋଲି ଇଷ୍ଟେଟ ବଗିଚାରେ ଚାଲିବା ଦେଖିବାକୁ ମିଳିଛି। ଦୁଇ ଦେଶ ମଧ୍ୟରେ ଉଚ୍ଚସ୍ତରୀୟ ସାମିରିକ ଆଲୋଚନାକୁ ପୁନଃସ୍ଥାପନ କରିବା ଏବଂ ଫିଣ୍ଟାନିଲ୍ ଡ୍ରଗ ପ୍ରସାରକୁ ରୋକିବା ଏବଂ କୃତ୍ରିମ ବୁଦ୍ଧିମତା ସଂପର୍କରେ ଆଲୋଚନା ଆରମ୍ଭ କରିବା ଆଦି ସଂପର୍କରେ ଚୀନ ସହିତ ହୋଇଥିବା ରାଜିନାମାକୁ ବାଇଡେନ ପ୍ରଶଂସା କରିଛନ୍ତି। ଆମ ମଧ୍ୟରେ ଅତ୍ୟନ୍ତ ଗଠନମୂଳକ ଆଲୋଚନା ହୋଇଛି ବୋଲି ସାକ୍ଷାତ ଆଲୋଚନା ପରେ ବାଇଡେନ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ ଚୀନ ମଧ୍ୟ ଏହି ଆଲୋଚନାକୁ ସ୍ପଷ୍ଟ ଓ ଗଭୀର ମତ ବିନିମୟ ବୋଲି କହିଛି। ଗୋଟିଏ ଦେଶର ସଫଳତା ଅନ୍ୟ ଦେଶ ପାଇଁ ସୁଯୋଗ ବୋଲି ଚୀନର ବିଦେଶ ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ଜିନପିଙ୍ଗ ଓ ମୁଁ ସିଧାସଳଖ ଫୋନରେ କଥା ହେବା ପାଇଁ ରାଜି ହୋଇଛୁ ବୋଲି ବାଇଡେନ କହିଛନ୍ତି।

Advertisment

ପୂର୍ବରୁ ବାଇଡେନ ଜିନପିଙ୍ଗ୍‌ଙ୍କୁ ଏକଛତ୍ରବାଦୀ କହିଥିଲେ। ‌ତାହାର ପୁନରାବୃତ୍ତି ମଧ୍ୟ ଜିନପିଙ୍ଗଙ୍କୁ ସାକ୍ଷାତ କରିବାର କିଛି ସମୟ ପରେ ବାଇଡେନ କରିଛନ୍ତି। ସେ ଏକଛତ୍ରବାଦୀ ମନ୍ତବ୍ୟକୁ ଦୋହରାଇବାକୁ ଯାଇ ବାଇଡେନ କହିଥିଲେ ଜିନପିଙ୍ଗ ଏକଛତ୍ରବାଦୀ କାରଣ ସେ ଏକ କମ୍ୟୁନିଷ୍ଟ ଦେଶ ପରିଚାଳନା କରୁଛନ୍ତି। ଯାହାକି ଆମର ଶାସନ ବ୍ୟବସ୍ଥା ଠାରୁ ସଂପୂର୍ଣ୍ଣ ଅଲଗା। ଉଲ୍ଲେଖଯୋଗ୍ୟ, ବିଶ୍ବର ଦୁଇ ବୃହତ୍ ଅର୍ଥନୀତିର ରାଷ୍ଟ୍ରପତି ଦ୍ବୟ ଗତ ପ୍ରାୟ ବର୍ଷେ ହେଲା ପରସ୍ପର ସହ କଥା ହୋଇ ନଥିଲେ। ଅନ୍ୟପକ୍ଷରେ ଜିନପିଙ୍ଗଙ୍କୁ ଏକଛତ୍ରବାଦୀ କହିବା ବାଇଡେନଙ୍କ ବହୁତ ବଡ଼ ଭୁଲ୍‌ ବୋଲି ଚୀନ୍‌ କହିଛି।