ୱାସିଂଟନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଚଳିତ ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରୁ ଓହରିଯିବା ପାଇଁ ଅତି ଗଭୀର ଭାବେ ଚିନ୍ତା କରୁଥିବା ଜଣାପଡ଼ିଛି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏବଂ ପୂର୍ବତନ ବାଚସ୍ପତି ନାନ୍ସି ପେଲୋସିଙ୍କ ସମେତ ଅନେକ ଶୀର୍ଷ ଡେମୋକ୍ରାଟ୍ ନେତା ବାଇଡେନ୍ଙ୍କୁ ନିର୍ବାଚନରୁ ଓହରିଯିବାପାଇଁ ଚାପ ପକାଇବାପରେ ବାଇଡେନ୍ ଏନେଇ ବିଚାର କରୁଛନ୍ତି। ନିର୍ବାଚନରେ ବାଇଡେନ ହାରି ଯାଇପାରନ୍ତି ଏବଂ ତାଙ୍କ ଲୋକପ୍ରିୟତା କିଛିମାସ ହେଲା ଦ୍ରୁତ ହ୍ରାସ ହେଉଛି ବୋଲି ଦର୍ଶାଇ ଓବାମା ଚିନ୍ତାପ୍ରକଟ କରିବା ପରେ ଏହାକୁ ନେଇ ଡେମାକ୍ରୋଟିକ ପାର୍ଟିରେ ମନ୍ଥନ ଆରମ୍ଭ ହୋଇଯାଇଛି ଏବଂ ବାଇଡେନଙ୍କ ପରିବାରର କିଛି ସଦସ୍ୟ ବି ଏଥିରେ ସହମତି ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, କିଛିଦିନ ତଳେ ଅନୁଷ୍ଠିତ ରାଷ୍ଟ୍ରପତି ବିତର୍କ କାର୍ଯ୍ୟକ୍ରମରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ବାଇଡେନଙ୍କ ପ୍ରଦର୍ଶନ ଅତ୍ୟନ୍ତ ଦୁର୍ବଳ ଥିଲା। ବାର୍ଦ୍ଧକ୍ୟଜନିତ ସ୍ମୃତିବିଭ୍ରାଟ ଏବଂ ଅସୁସ୍ଥତା କାରଣରୁ ବାଇଡେନ ନାନା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଅନ୍ୟପକ୍ଷରେ ଟ୍ରମ୍ପ୍ଙ୍କ ଉପରେ ଗୁଳିମାଡ଼ ଘଟଣା ଦେଶବ୍ୟାପୀ ସମବେଦନାର ଲହର ସୃଷ୍ଟି କରିଛି। ୮୧ ବର୍ଷୀୟ ବାଇଡେନ୍ ଏବେ କରୋନା ସଂକ୍ରମିତ ହୋଇଛନ୍ତି ଏବଂ ସେ କ୍ବାରାଣ୍ଟିନରେ ଥିବା ଜଣାପଡ଼ିଛି। ଅନ୍ୟପକ୍ଷେ ଟ୍ରମ୍ପ୍ଙ୍କ ପାଇଁ ଏବେ ରିପବ୍ଲିକାନ ନେତାମାନେ ଏକଜୁଟ ହୋଇ ପ୍ରଚାର ଚଳାଇଛନ୍ତି।
ୱାସିଂଟନ୍: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ସ୍ମୃତିଭ୍ରମ ଓ ସ୍ବାସ୍ଥ୍ୟାବସ୍ଥା ନେଇ ଚର୍ଚ୍ଚା ଜାରି ରହିଛି। ଏହି ସମୟରେ ବାଇଡେନ୍ଙ୍କ ମତିଭ୍ରମର ଆଉ ଏକ ଘଟଣା ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ରାଷ୍ଟ୍ରପତି ଭବନରେ ଏକ ଉତ୍ସବରେ ନିଜର ପତ୍ନୀ ବୋଲି ଭାବି ଅନ୍ୟଜଣେ ମହିଳାଙ୍କୁ ଚୁମ୍ବନ କରିବାକୁ ଯାଉଥିବା ବାଇଡେନ୍ଙ୍କୁ ତାଙ୍କ ପତ୍ନୀ ଜିଲ୍ ଆସି ଅଟକାଇଥିଲେ। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ମହିଳାଙ୍କ ପାଇଁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଅନେକ ମାନ୍ୟଗଣ୍ୟ ମହିଳା ଯୋଗ ଦେଇଥିଲେ।
ବାର୍ତ୍ତାଳାପ ସମୟରେ ବାଇଡେନ୍ ହଠାତ୍ ଜଣେ ମହିଳାଙ୍କୁ ନିଜ ପତ୍ନୀ ଜିଲ୍ ବୋଲି ଭାବି ଚୁମ୍ବନ କରିବାକୁ ଯାଉଥିଲେ। ନିକଟରେ ଠିଆ ହୋଇଥିବା ବାଇଡେନ୍ଙ୍କ ପତ୍ନୀ ଏହା ଦେଖି ସେଠାକୁ ଦୌଡ଼ି ଯାଇ ବାଇଡେନ୍ଙ୍କୁ ସାଥୀରେ ନେଇଆସିଥିଲେ। ଏହି ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବାପରେ ଅନେକ ବାଇଡେନ୍ଙ୍କ ସ୍ବାସ୍ଥ୍ୟାବସ୍ଥା ଓ ରାଷ୍ଟ୍ରପତି ପ୍ରାର୍ଥିତ୍ବ ନେଇ ପ୍ରଶ୍ନ ଉଠାଇଛନ୍ତି। ରାଷ୍ଟ୍ରପତି ଭବନର ଆଭ୍ୟନ୍ତର ଖବର ଅନୁସାରେ, ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା, ପୂର୍ବତନ ବାଚସ୍ପତି ନାନ୍ସି ପେଲୋସି, ସିନେଟ୍ ତଥା ସଂଖ୍ୟାଗରିଷ୍ଠ ଦଳର ନେତା ଚକ୍ ସ୍କୁମର ପ୍ରମୁଖ ବାଇଡେନ୍ଙ୍କୁ ରାଷ୍ଟ୍ରପତି ଦୌଡ଼ରୁ ଓହରି ଯିବାକୁ ଚାପ ପକାଉଛନ୍ତି।