ଓଡ଼ିଆ ବୋହୂ ନିଶା ଦେଶାଇ ବିଶ୍ବାଳ ଆମେରିକାର ଅନ୍ତର୍ଜାତୀୟ ବିକାଶ ଅର୍ଥ ଆୟୋଗର ଉଚ୍ଚ ପ୍ରଶାସନିକ ପଦ ପାଇଁ ମନୋନୀତ

ୱାଶିଂଟନ୍: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଭାରତୀୟ-ଆମେରିକୀୟ ତଥା ଓଡ଼ିଆ ଘରର ବୋହୂ  ନିଶା ଦେଶାଇ ବିଶ୍ବାଳଙ୍କୁ ଆମେରିକାର ଆନ୍ତର୍ଜାତୀୟ ବିକାଶ ଅର୍ଥ ଆୟୋଗର ଏକ ଉଚ୍ଚ ପ୍ରଶାସନିକ ପଦ ପାଇଁ ମନୋନୀତ କରିଛନ୍ତି ବୋଲି ହ୍ବାଇଟ୍‌ ହାଉସ ପକ୍ଷରୁ ସୋମବାର କୁହାଯାଇଛି। ତାଙ୍କୁ ଆୟୋଗର ଡେପୁଟି ସିଇଓ ଭାବେ ନିଯୁକ୍ତ କରାଯିବ ବୋଲି ଜଣାପଡ଼ିଛି। ଉଳ୍ଲେଖଯୋଗ୍ୟ, ନିଶା ଓଡ଼ିଆ ଯୁବକ ସୁବ୍ରତ ବିଶ୍ବାଳଙ୍କୁ ବିବାହ କରିଛନ୍ତି। ସେ ୨୦୧୫ ମସିହାରେ ପ୍ରଥମ ଥର ଲାଗି ଓଡ଼ିଶା ଆସିଥିଲେ ଓ ନିଜକୁ ଓଡ଼ିଆ ବୋହୂ ବୋଲି ଦର୍ଶାଇ ଟୁଇଟ୍ କରିଥିଲେ।

ଓବାମା ପ୍ରଶାସନ ସମୟରେ ଦକ୍ଷିଣ ଏବଂ ମଧ୍ୟ ଏସିଆ ବିଭାଗର ସହକାରୀ ସଚିବ ( ଆସିଷ୍ଟାଣ୍ଟ ସେକ୍ରେଟାରି  ଅଫ୍ ଷ୍ଟେଟସ୍) ଭାବରେ କାର୍ଯ୍ୟ କରିଥିବା ଶ୍ରୀମତୀ ବିଶ୍ବାଳଙ୍କର ଆମେରିକାର ବୈଦେଶିକ ନୀତି, ଅନ୍ତର୍ଜାତୀୟ ବିକାଶ କାର୍ଯ୍ୟକ୍ରମର କାର୍ଯ୍ୟନିର୍ବାହୀ ଶାଖା, କଂଗ୍ରେସ ଏବଂ ବେସରକାରୀ କ୍ଷେତ୍ରରେ ୩୦ ବର୍ଷରୁ ଅଧିକ କାର୍ଯ୍ୟ ଅଭିଜ୍ଞତା ରହିଛି।

ସେ ବର୍ତ୍ତମାନ ଆମେରିକାର ଚାମ୍ବର ଅଫ୍ କମର୍ସରେ ଆନ୍ତର୍ଜାତୀୟ କୌଶଳ ଏବଂ ଗ୍ଲୋବାଲ୍ ଇନିସିଏଟିଭ୍‌ର ବରିଷ୍ଠ ଉପାଧ୍ୟକ୍ଷ ଥିବା ବେଳେ ଆମେରିକା-ଭାରତ ବାଣିଜ୍ୟ ପରିଷଦ ଏବଂ ଆମେରିକା-ବାଂଲାଦେଶ ବାଣିଜ୍ୟ ପରିଷଦର ନୀତି ନିର୍ଦ୍ଧାରଣ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି।

ଶ୍ରୀମତୀ ବିଶ୍ବାଳ ୨୦୧୩ରୁ ୨୦୧୭ ପର୍ଯ୍ୟନ୍ତ ଆମେରିକାର ବୈଦେଶିକ ବିଭାଗରେ ଦକ୍ଷିଣ ଏବଂ ମଧ୍ୟଏସୀୟ ବ୍ୟାପାର ସହକାରୀ ସଚିବ ଭାବରେ କାର୍ଯ୍ୟ କରିଥିଲେ, ଯେଉଁଠାରେ ସେ ଆମେରିକା-ଭାରତର  ଭାଗିଦାରୀକୁ ପରିଚାଳନା କରିଥିଲେ ବୋଲି ହ୍ବାଇଟ୍‌ ହାଉସ୍‌ ପକ୍ଷରୁ କୁହାଯାଇଛି।

ସେ ସହକାରୀ ସଚିବ ଭାବରେ କାର୍ଯ୍ୟ କରିବା ସମୟରେ ମଧ୍ୟ ଏସିଆ ଏବଂ ଆମେରିକା-ବାଂଲାଦେଶ ସହଭାଗିତା  ସହିତ ସି୫-୧ ଡାଇଲଗ୍‌ ଆରମ୍ଭ କରିଥିଲେ।

ଏହାପୂର୍ବରୁ ଶ୍ରୀମତୀ ବିଶ୍ବାଳ ଆମେରିକାର ଏଜେନ୍ସି ଫର ଇଣ୍ଟରନ୍ୟାସନାଲ ଡେଭଲପମେଣ୍ଟ (ୟୁଏସ୍‌ଏଆଇଡି)ରେ ଏସିଆ ପାଇଁ ଆସିଷ୍ଟାଣ୍ଟ ଆଡମିନିଷ୍ଟ୍ରେଟର ଥିଲେ। ଦକ୍ଷିଣ, ମଧ୍ୟ ଏବଂ ଦକ୍ଷିଣ ପୂର୍ବ ଏସିଆରେ ୟୁଏସ୍‌ଏଆଇଡି କାର୍ଯ୍ୟକ୍ରମ ତଥା କାର୍ଯ୍ୟର ତଦାରଖ କରିଥିଲେ।

ନିଶା ଦେଶାଇ ବିଶ୍ବାଳଙ୍କ ଜନ୍ମ ଗୁରୁରାଟରେ  ହୋଇଥିଲା। ଏହାପରେ ତାଙ୍କର ପିତା-ମାତା ଆମେରିକା ଚାଲିଯାଇ ସେଠାରେ ସ୍ଥାୟୀ ଭାବେ ଅବସ୍ଥାନ କରିଥିଲେ। ନିଶା ସୁବ୍ରତ ବିଶ୍ବାଳଙ୍କୁ ବିବାହ କରିଛନ୍ତି ଓ ତାଙ୍କର ଦୁଇ ଝିଅ ଅଛନ୍ତି। ସେ ୨୦୧୫ ମସିହାରେ ଓଡ଼ିଶା ଆସିଥିବା ବେଳେ ଖୁବ୍ ଖୁସି ବୋଲି ଲେଖି ଟୁଇଟ୍ କରିଥିଲି।

ସମ୍ବନ୍ଧିତ ଖବର