ୱାସିଂଟନ: ଆମେରିକାର ଗୋଲ୍‌ଡେନ ଗେଟ୍ ବ୍ରିଜ୍ ଉପରେ ଠିଆ ହୋଇଥିବା ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଏକ ପୁରୁଣା ଫଟୋ ଭାଇରାଲ୍ ହେବାରେ ଲାଗିଛି। ଏସିଆ-ପ୍ରଶାନ୍ତ ମହାସାଗରୀୟ ଅର୍ଥନୈତିକ ସହଯୋଗ ଶିଖର ସମ୍ମିଳନୀ ପାଇଁ ସାନ୍ ଫ୍ରାନ୍ସିସ୍କୋରେ ଜିନପିଙ୍ଗ ଏବଂ ତାଙ୍କ ଆମେରିକା ପ୍ରତିପକ୍ଷ ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ସାକ୍ଷାତ ହେବା ପରେ ଏହି ଫଟୋ ସାମ୍ନାକୁ ଆସିଛି। ଏହି ଫଟୋରେ ଦେଖିବାକୁ ମିଳୁଛି ଯେ ଜିନପିଙ୍ଗ ଗୋଲ୍‌ଡେନ ଗେଟ୍ ବ୍ରିଜ୍‌ ରେଲିଂକୁ ଧରି ହସୁଛନ୍ତି।

Advertisment

ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ହୁଆ ଚୁନୟିଂ ଏକ୍ସରେ ଏହି ଫଟୋ ସେୟାର କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ଜୋ ବାଇଡେନ୍ ଏହି ଫଟୋକୁ ନିଜ ମୋବାଇଲରେ ଜିନପିଙ୍ଗଙ୍କୁ ଦେଖାଇଥିଲେ। ନିଜ ଫୋନରେ ଥିବା ଏକ ଫଟୋ ଦେଖାଇ ବାଇଡେନ୍ ଜିନପିଙ୍ଗଙ୍କୁ ପଚାରିଥିଲେ, ଆପଣ ଏହି ଯୁବକଙ୍କୁ ଜାଣନ୍ତି କି? ଉତ୍ତରରେ ଜିନପିଙ୍ଗ କହିଥିଲେ- ହଁ, ଏହା ୩୮ ବର୍ଷ ପୂର୍ବର କଥା। ସେୟାର ହେବା ପରଠାରୁ ଏହି ପୋଷ୍ଟକୁ ୧୧ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି ଏବଂ ୭୫୦୦ରୁ ଅଧିକ ଲାଇକ୍ ମିଳିସାରିଛି। ଏପରିକି ସୋସିଆଲ ମିଡିଆ ବ୍ୟବହାରକାରୀଙ୍କଠାରୁ ମଧ୍ୟ ଏହାକୁ ନେଇ ବିଭିନ୍ନ ପ୍ରତିକ୍ରିୟା ମିଳିଛି। ଅନେକ ୟୁଜର ଲେଖିଛନ୍ତି, ଆଶା କରାଯାଉଛି ଯେ ଚୀନ-ଆମେରିକା ସମ୍ପର୍କରେ ସୁଧାର ଆସିବ।