ୱାସିଂଟନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୨୦୨୪ ନିର୍ବାଚନରେ ଜିତି ଦ୍ବିତୀୟ ପାଳି ରାଷ୍ଟ୍ରପତି ହେବା ପାଇଁ ଇଚ୍ଛା କରୁଥିବା ବେଳେ ଏହି ଦୌଡ଼ରେ ଥିବା ତାଙ୍କର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପରାଜିତ କରିବା ସହଜ ନୁହେଁ ବୋଲି ଅନୁଭବ କରୁଛନ୍ତି। ଏଣୁ ସେ ନିର୍ବାଚନ ଜିତିବାରେ ସାହାଯ୍ୟ କରିବା ପାଇଁ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ଅନୁରୋଧ କରିଛନ୍ତି। ଟ୍ରମ୍ପ ବର୍ତ୍ତମାନ ଅନେକ ଆପରାଧିକ ମାମଲାର ସାମନା କରୁଥିବା ବେଳେ ତଥାପି ସେ ତାଙ୍କ ଦଳରେ ପ୍ରାର୍ଥୀମାନଙ୍କ ଭିତରେ ଅଗ୍ରଣୀ ରହିଛନ୍ତି। ଏଣୁ ୨୦୨୪ରେ ରିପବ୍ଲିକାନ ଦଳ ପକ୍ଷରୁ ଟ୍ରମ୍ପ ହିଁ ପ୍ରତିନିଧିତ୍ବ କରିପାରନ୍ତି ବୋଲି ଅନୁମାନ କରାଯାଉଛି। ଏକ ରିପୋର୍ଟ ଅନୁଯାୟୀ, ଗତ ଜୁନ୍ ମାସରେ ଓବାମା ଓ ବାଇଡେନ ହ୍ବାଇଟ୍ ହାଉସ୍ରେ ଏକାଠି ମଧ୍ୟାହ୍ନଭୋଜନ କରିଥିଲେ। ସେତେବେଳେ ଓବାମା କୁଆଡ଼େ ତାଙ୍କୁ ନିର୍ବାଚନ ଜିତିବାକୁ ଯଥାସାଧ୍ୟ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ହ୍ବାଇଟ୍ ହାଉସ୍ର ଦୁଇଜଣ ବ୍ୟକ୍ତି ଦେଇଥିବା ସୂଚନା ଅନୁସାରେ, ବାଇଡେନ ଓବାମାଙ୍କୁ ସାହାଯ୍ୟ କରିବା ପାଇଁ ଅନୁରୋଧ କରିଥିଲେ କାରଣ ଓବାମା ହେଉଛନ୍ତି ଦେଶର ଅତ୍ୟନ୍ତ ଲୋକପ୍ରିୟ ଡେମୋକ୍ରାଟ ନେତା। ୨୦୦୯ରୁ ୨୦୧୭ ପର୍ଯ୍ୟନ୍ତ ବାଇଡେନ ଥିଲେ ଓବାମାଙ୍କ ଉପରାଷ୍ଟ୍ରପତି। କିନ୍ତୁ ପରେ ଦୁହିଙ୍କ ଭିତରେ ସମ୍ପର୍କ ଟିକେ ଖରାପ ହୋଇଥିଲା କାରଣ ବାଇଡେନଙ୍କୁ ୨୦୨୦ ନିର୍ବାଚନରେ ସମର୍ଥନ କରିବାକୁ ଓବାମା କୁଆଡ଼େ ରାଜି ହୋଇ ନ ଥିଲେ। ରାଷ୍ଟ୍ରପତି ବାଇଡେନ ୧୯୮୮ ଓ ୨୦୦୮ରେ ଡେମୋକ୍ରାଟିକ୍ ନମିନେସନ ପାଇବାରେ ବିଫଳ ହୋଇଥିଲେ। ସେ ତାଙ୍କଠାରୁ ୧୯ ବର୍ଷ ସାନ ଓବାମାଙ୍କଠାରୁ ହାରି ଯାଇଥିଲେ। ତେବେ କୌଣସି ପ୍ରକାର ୨୦୨୦ରେ ୮୦ ବର୍ଷୀୟ ବାଇଡେନ ଆଫ୍ରିକୀୟ-ଆମେରିକୀୟ ଭୋଟର ଓ ଓବାମାଙ୍କ ପ୍ରଚାର ମାଧ୍ୟମରେ ନମିନେସନ ଓ ନିର୍ବାଚନ ଜିତିବାରେ ସଫଳ ହୋଇଥିଲେ।