ମୋଦୀଙ୍କ ସହ କଥା ହେଲେ ବାଇଡେନ୍‌

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଆଜି ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟେଲିଫୋନ୍ କରିଛନ୍ତି। ଉଭୟ ନେତା ‌ଦୁଇ ଦେଶର କରୋନା ସ୍ଥିତି ଏବଂ ଏହାର ମୁକାବିଲା ଉପରେ ଆଲୋଚନା କରିଛନ୍ତି। ବାଇଡେନଙ୍କ ସହ ହୋଇଥିବା ଆଲୋଚନା ସଫଳ ହୋଇଛି। ଦୁଇ ଦେଶରେ ଦେଖାଦେଇଥିବା କରୋନା ମହାମାରୀ ସଂପର୍କରେ ଆମେ ବିସ୍ତୃତ ଭାବେ ଆଲୋଚନା କରିଥିଲୁ। ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ ଭାରତକୁ ଯୋଗାଇ ଦିଆଯାଉଥିବା ସହଯୋଗ ପାଇଁ ମୁଁ ବାଇଡେନଙ୍କୁ ଧନ୍ୟବାଦ ଜଣାଇଛି ବୋଲି ମୋଦୀ ଟ୍ବିଟ୍ କରି କହିଛନ୍ତି। ଟିକାର କଞ୍ଚାମାଲ ଏବଂ ଔଷଧ ଆଦିର ଯୋଗାଣକୁ କିଭଳି ତ୍ବରାନ୍ବିତ କରାଯାଇ ପାରିବ ଏବଂ ସ୍ବାସ୍ଥ୍ୟ କ୍ଷେତ୍ରରେ ଭାରତ-ଆମେରିକା ସହଭାଗିତା କିଭଳି ବିଶ୍ବ କରୋନା ସମସ୍ୟାର ମୁକାବିଲା କରିପାରିବ ତାହା ଉପରେ ଦୁଇ ନେତା ମଧ୍ୟ ଆଲୋଚନା କରିଛନ୍ତି।

ଏଥିସହିତ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଦି ଜାପାନ ପ୍ରଧାନମନ୍ତ୍ରୀ ୟୋସୁହିଦେ ସୁଗାଙ୍କ ସହ ଟେଲିଫୋନ୍‌ରେ କଥା ହୋଇଛନ୍ତି। ଉଭୟ ଦେଶର କୋଭିଡ୍‌-୧୯ ମହାମାରୀ ସ୍ଥିତି ସମ୍ପର୍କରେ ଦୁହେଁ ଆଲୋଚନା କରିଛନ୍ତି। କରୋନା ସ୍ଥିତିକୁ ନେଇ ଉପୁଜିଥିବା ବିଭିନ୍ନ ଆଞ୍ଚଳିକ ଏବଂ ଅନ୍ତର୍ଜାତୀୟ ଚ୍ୟାଲେଞ୍ଜକୁ ନେଇ ମତ ବିନିମୟ କରିଛନ୍ତି। ଏହି ଚ୍ୟାଲେଞ୍ଜକୁ ମୁକାବିଲା କରିବା ପାଇଁ ଭାରତ-ଜାପାନ ମିଳିତ ଭାବେ କାର୍ଯ୍ୟ କରିବେ।

ସମ୍ବନ୍ଧିତ ଖବର