ମସ୍କୋ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଶନିବାର ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ବ୍ୟକ୍ତିଗତ ନିନ୍ଦାମୂଳକ ମନ୍ତବ୍ୟ ଦେଇଥିଲେ। ପୁଟିନ୍‌ଙ୍କୁ କଂ‌ସେଇ ବୋଲି କହି ବାଇଡେନ୍‌ କହିଥିଲେ ଯେ ରୁଷ୍‌ରେ କ୍ଷମତାରେ ରହିବା ଅଧିକାର ପୁଟିନଙ୍କର ନାହିଁ। ସେ କହିଥିଲେ, ‘ଈଶ୍ବରଙ୍କ ରାଣ, ଏ ଲୋକ (ପୁଟିନ) କ୍ଷମତାରେ ରହିପାରିବେନି।’ ଏହା ଉପରେ କ୍ରେମ୍‌ଲିନ୍ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରାଯିବା ସହ କୁହାଯାଇଥିଲା ଯେ, ପୁଟିନ କ୍ଷମତାରେ ରହିବେ କି ନାହିଁ, ସେ ନିଷ୍ପତ୍ତି ରୁଷିଆର ଜନସାଧାରଣ ନେବେ, ବାଇଡେନ ନୁହନ୍ତି। ରୁଷ୍‌ରେ କିଏ କ୍ଷମତାରେ ରହିବ ତାହା ଆମେରିକାର ରାଷ୍ଟ୍ରପତି କିମ୍ବା ଆମେରିକାର ଲୋକେ ନିଷ୍ପତ୍ତି ନିଅନ୍ତି ନାହିଁ। ବାଇଡେନ୍‌ଙ୍କ ବ୍ୟକ୍ତିଗତ ଆକ୍ଷେପ ଏବଂ ଶାସନ ପରିବର୍ତ୍ତନ ପାଇଁ ସିଧାସଳଖ ଧମକକୁ ରୁଷ୍‌ ଅତି ଗମ୍ଭୀରତାର ସହ ନେଇଥିବାରୁ ଏବେ ଆମେରିକା ଏହି ମାମଲାରେ ମତ ବଦଳାଉଥିବା ଦେଖାଯାଇଛି। କ୍ରେମ୍‌ଲିନ୍‌ର କଡ଼ା ପ୍ରତିକ୍ରିୟା ପରେ ହ୍ବାଇଟ୍ ହାଉସ୍ ପକ୍ଷରୁ ସଫେଇ ଦିଆଯାଇଛି ଯେ, ବାଇଡେନ ରୁଷିଆର କ୍ଷମତା ପରିବର୍ତ୍ତନ କଥା କହୁ ନ ଥିଲେ। ବରଂ ତାଙ୍କ କହିବାର ମର୍ମ ହେଲା ସେ ପଡ଼ୋଶୀ ଦେଶଗୁଡ଼ିକ ଉପରେ କ୍ଷମତା ବା ବଳ ପ୍ରୟୋଗ କରିପାରିବେ ନାହିଁ।

Advertisment

ଆମେରିକା ବିଦେଶ ମନ୍ତ୍ରୀ ଏଣ୍ଟୋନି ବ୍ଲିଙ୍କେନ୍‌ କହିଛନ୍ତି ଯେ ବାଇଡେନ୍‌ଙ୍କ କଥାର ମର୍ମ ଭିନ୍ନ ଥିଲା ଏବଂ ତାହାର ଭୁଲ୍‌ ବ୍ୟାଖ୍ୟା କରାଯାଇଛି । କେବଳ ୟୁକ୍ରେନ୍‌ ଆକ୍ରମଣ ନେଇ ପୁଟିନ୍‌ଙ୍କ ଆଭିମୁଖ୍ୟକୁ ବିରୋଧ କରି ବାଇଡେନ୍‌ଙ୍କ ମନ୍ତବ୍ୟ ଉଦ୍ଦିଷ୍ଟ ଥିଲା। ରୁଷ୍‌ରେ କ୍ଷମତା ପରିବର୍ତ୍ତନ କଥା ଚିନ୍ତା କରିବାର ପ୍ରଶ୍ନ ଉଠୁନାହିଁ ବୋଲି ସେ କହିଛନ୍ତି। ଆମେରିକା ରାଷ୍ଟ୍ରପତିଙ୍କ ବୟାନକୁ ନେଇ ବିବାଦ ପରେ ଆମେରିକା ଯେଭଳି ସଫେଇ ଦେଇଛି ତାହାକୁ ୟୁକ୍ରେନ୍‌ ରାଷ୍ଟ୍ରପତି ବୋଲ୍‌ଡିମିର ଜେଲେନ୍‌ସ୍କି ନାପସନ୍ଦ କରିଛନ୍ତି। ପୁଟିନ୍‌ଙ୍କ ମୁକାବିଲା ପାଇଁ ପଶ୍ଚିମ ରାଷ୍ଟ୍ରମାନଙ୍କର ସାହସ ନାହିଁ ବୋଲି ସେ କହିଛନ୍ତି । ପୁଟିନ୍‌ଙ୍କୁ ନିନ୍ଦା କରି ବାଇଡେନ୍‌ ବ୍ୟକ୍ତିଗତ ଆକ୍ଷେପ କରିଥିବାରୁ ରୁଷ୍‌ ଆଗକୁ ଆହୁରି କଠୋର ଆଭିମୁଖ୍ୟ ଗ୍ରହଣ କରିବ ବୋଲି କୂଟନୀତିଜ୍ଞ ମହଲରେ ଚର୍ଚ୍ଚା ହେଉଛି। ବାଇଡେନ୍‌ଙ୍କ ମନ୍ତବ୍ୟକୁ ଫ୍ରାନ୍ସ ମଧ୍ୟ ବିରୋଧ କରିଛି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍‌ କହିଛନ୍ତି, ଏଭଳି ବୟାନରୁ ଆମେ ନିଜକୁ ଦୂରେଇ ରଖୁଛୁ।