ୱାସିଂଟନ: ଆମେରିକା ପେନ୍‌ସିଲଭାନିଆର ବଟ୍‌ଲରରେ ଏକ ନିର୍ବାଚନୀ ରାଲିରେ ହୋଇଥିବା ଗୁଳିକାଣ୍ଡରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆହତ ହେବା ଏବଂ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିବା ଘଟଣା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ରୢାଲି ସ୍ଥଳରେ ସୁରକ୍ଷା ବ୍ୟବସ୍ଥା ନେଇ ଗମ୍ଭୀର ପ୍ରଶ୍ନ ଉଠିଛି ଏବଂ ଏଥିପାଇଁ ରିପବ୍ଲିକାନ ଦଳ ସିଧାସଳଖ ବାଇଡେନ୍‌ ପ୍ରଶାସନକୁ ଦାୟୀ କରିଛି। ରିପବ୍ଲିକାନ ନେତାମାନେ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଘୃଣା ଭାଷଣ ପ୍ରସଙ୍ଗ ଉଠାଇଛନ୍ତି। ଏହି ଆକ୍ରମଣ ପାଇଁ ଟ୍ରମ୍ପଙ୍କ ବିରୋଧରେ ବାଇଡେନ ଲଗାତାର ଦେଉଥିବା ଉତ୍ତେଜକ ଭାଷଣ ଦାୟୀ ବୋଲି ସେମାନେ କହିଛନ୍ତି।

Advertisment

ହତ୍ୟା ଉଦ୍ୟମ ପରେ ଟ୍ରମ୍ପ ତାଙ୍କ ପ୍ରଥମ ପ୍ରତିକ୍ରିୟାରେ ସିକ୍ରେଟ୍ ସର୍ଭିସ୍ ଏବଂ ଆଇନ ପ୍ରବର୍ତ୍ତନ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଥିଲେ ମଧ୍ୟ ଗୁଇନ୍ଦା ବିଭାଗର ବଡ଼ ବିଫଳତା ଏବେ ପ୍ରମୁଖ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ବାଇଡେନ ତାଙ୍କ ପ୍ରଚାରରେ ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ଜଣେ ଏକଛତ୍ରବାଦୀ, ଫାସିବାଦୀ ନେତାଭାବେ ଅଭିହିତ କରି ତାଙ୍କୁ ଯେକୌଣସି ମୂଲ୍ୟରେ ରୋକିବାକୁ ପଡ଼ିବ ବୋଲି ଆହ୍ବାନ ଦେଉଥିବାରୁ ଏଭଳି କାଣ୍ଡ ଘଟିଲା ବୋଲି ରି‌ପବ୍ଲିକାନ ନେତାମାନେ କହିଛନ୍ତି। ବାଇଡେନଙ୍କ ବିରୋଧରେ ଏବେ ନେଟିଜେନ୍‌ମାନେ ମୁଖର ହୋଇପଡ଼ିଥିବା ବେଳେ ଟ୍ରମ୍ପଙ୍କ ମୁକାବିଲା ପାଇଁ ବାଇଡେନ ଅତ୍ୟନ୍ତ ନକାରାତ୍ମକ ରଣନୀତି ଗ୍ରହଣ କରିଥିବାରୁ ଏହାର କୁଫଳ ସମଗ୍ର ରାଷ୍ଟ୍ରକୁ ଭୋଗିବାକୁ ପଡ଼ୁଛି ବୋଲି ମତପ୍ରକାଶ ପାଇଛି। ବାଇଡେନଙ୍କ ବୟାନବାଜି ହିଁ ସିଧାସଳଖ ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମର କାରଣ ବୋଲି ରିପବ୍ଲିକାନ ପାର୍ଟିର ବରିଷ୍ଠ ନେତାମାନେ ବିବୃତି ଜାରି କରିବା ପରେ ଏହାକୁ ନେଇ ରାଜନୀତି ସରଗରମ ହୋଇଛି।

ରିପବ୍ଲିକାନ ନେତା ତଥା ସାଂସଦ ମାର୍ଜୋରି ଟେଲର ଗ୍ରୀନ କହିଛନ୍ତି ଯେ ଡେମୋକ୍ରାଟମାନେ ଟ୍ରମ୍ପ ଏବଂ ତାଙ୍କ ସମର୍ଥକମାନେ ମରିଯିବା ଚାହୁଛନ୍ତି ଏବଂ ସେହି ଆଧାରରେ ଅତ୍ୟନ୍ତ ଘୃଣିତ ପ୍ରଚାର କରୁଛନ୍ତି। ଆଜିର ପ୍ରତିଟି ରକ୍ତବୁନ୍ଦା ପାଇଁ ଡେମୋକ୍ରାଟ ଏବଂ ଗଣମାଧ୍ୟମ ଦାୟୀ। ବର୍ଷ ବର୍ଷ ଧରି ସେମାନେ ଟ୍ରମ୍ପଙ୍କୁ ଏବଂ ତାଙ୍କ ସମର୍ଥକଙ୍କୁ ଅପମାନିତ କରି ଆସୁଛନ୍ତି ବୋଲି ସେ କହିଛନ୍ତି। ରିପବ୍ଲିକାନ୍ ନ୍ୟାସନାଲ କମିଟିର ଅଧ୍ୟକ୍ଷ ମାଇକେଲ ହ୍ୱାଟଲି ଏକ ବିବୃତିରେ କହିଛନ୍ତି ଯେ ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ ବିପୁଳ ସମର୍ଥନ ସହ ଆଗକୁ ବଢ଼ୁଥିବାରୁ ତାଙ୍କ ବିରୋଧରେ ଲଗାତାର ଷଡ଼୍‌ଯନ୍ତ୍ର ଚାଲିଛି। ଆମେରିକା ରାଜନୀତିରେ ଏବେ ଘୃଣାକୁ ଅସ୍ତ୍ର କରି ପ୍ରଚାର ଚାଲିଛି ବୋଲି ସେ କହିଛନ୍ତି।

publive-image

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିବା ପାଇଁ ହୋଇଥିବା ପ୍ରୟାସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଶ୍ବ ନେତୃବୃନ୍ଦ କଡ଼ା ନିନ୍ଦା କରିଛନ୍ତି। ରାଜନୀତି ଓ ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ଟ୍ରମ୍ପଙ୍କୁ ତାଙ୍କର ‘ବନ୍ଧୁ’ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ଏହି ହତ୍ୟା ଉଦ୍ୟମକୁ ନେଇ ଗଭୀର ଚିନ୍ତିତ ଅଛନ୍ତି ଏବଂ ଗୁଳିକାଣ୍ଡରେ ଆହତ ହୋଇଥିବା ଟ୍ରମ୍ପଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଆମେରିକୀୟ ଲୋକଙ୍କ ସହ ଆମର ସମବେଦନା ଓ ପ୍ରାର୍ଥନା ରହିଛି ବୋଲି ମୋଦୀ କହିଛନ୍ତି।

ସୂଚନାଯୋଗ୍ୟ, ୧୯୮୧ରେ ରୋନାଲ୍ଡ ରେଗାନ୍‌ଙ୍କୁ ଗୁଳି କରାଯିବା ପରେ ଜଣେ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ହତ୍ୟା କରିବା ପାଇଁ ଆଜିର ଆକ୍ରମଣ ଏକ ଭୟାନକ ପ୍ରୟାସ ଥିଲା। ରାଷ୍ଟ୍ରପତି ନିର୍ବାଚନର ମାତ୍ର ୪ ମାସ ପୂର୍ବରୁ ଟ୍ରମ୍ପ୍‌ଙ୍କୁ ହତ୍ୟା ଉଦ୍ୟମ ଆମେରିକାର ରାଜନୀତିରେ ନୂଆ ଝଡ଼ ଆଣିଛି। ବ୍ରିଟେନ ପ୍ରଧାନମନ୍ତ୍ରୀ କେୟର ଷ୍ଟାରମର କହିଛନ୍ତି, ରାଷ୍ଟ୍ରପତି ପ୍ରାର୍ଥୀ ଟ୍ରମ୍ପଙ୍କ ରୢାଲିରେ ଯେଉଁ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ସେଥିରେ ମୁଁ ସ୍ତବ୍ଧ ଏବଂ ଆମେ ଟ୍ରମ୍ପଙ୍କୁ ଏବଂ ତାଙ୍କ ପରିବାରକୁ ଆଶ୍ବସ୍ତ କରୁଛୁ। ଆମ ସମାଜରେ କୌଣସି ପ୍ରକାର ରାଜନୈତିକ ହିଂସାର ସ୍ଥାନ ନାହିଁ ଏବଂ ମୋର ସମବେଦନା ଏହି ଆକ୍ରମଣର ଶିକାର ହୋଇଥିବା ସମସ୍ତ ପୀଡ଼ିତଙ୍କ ସହ ରହିଛି ବୋଲି ସେ କହିଛନ୍ତି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି, ଟ୍ରମ୍ପ୍‌ଙ୍କ ଉପରେ ଏଭଳି ଆକ୍ରମଣରେ ମୁଁ ଏବଂ ମୋ ପତ୍ନୀ ବିସ୍ମିତ। ଆମେ ତାଙ୍କର ଦ୍ରୁତ ଆରୋଗ୍ୟ କାମନା କରୁଛୁ।
କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କହିଛନ୍ତି, ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପଙ୍କ ଉପରକୁ ଗୁଳିମାଡ଼ ଘଟଣାରେ ମୁଁ ଚକିତ ହୋଇପଡ଼ିଛି। ଏହି ଘଟଣା ସମସ୍ତଙ୍କୁ ପୀଡ଼ା ଦେଇଛି। ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା କହିଛନ୍ତି, ଗଣତନ୍ତ୍ରକୁ ଚ୍ୟାଲେଞ୍ଜ କରୁଥିବା ଯେ କୌଣସି ପ୍ରକାର ହିଂସା ବିରୋଧରେ ଆମକୁ ଦୃଢ଼ତାର ସହ ଠିଆ ହେବାକୁ ପଡ଼ିବ। ମୁଁ ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପଙ୍କ ଆଶୁ ଆରୋଗ୍ୟ କାମନା କରୁଛି।

ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ କହିଛନ୍ତି, ହତ୍ୟା ଉଦ୍ୟମର ଶିକାର ହୋଇଥିବା ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ମୋର ସମବେଦନା ରହିଛି। ମୁଁ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛି। ଏହା ଆମ ଗଣତନ୍ତ୍ର ପାଇଁ ଏକ ଦୁଃଖଦ ଘଟଣା। ଫ୍ରାନ୍ସ ଆମେରିକୀୟ ଲୋକଙ୍କ ବିସ୍ମୟ ଓ କ୍ରୋଧକୁ ଅନୁଭବ କରୁଛି। ଜର୍ମାନ ଚାନ୍ସେଲର ଓଲାଫ୍ ସ୍କୋଲ୍‌ଜ କହିଛନ୍ତି, ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇଥିବା ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ। ମୁଁ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛି। ଏଭଳି ହିଂସାକାଣ୍ଡ ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରୁଛି। ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି କହିଛନ୍ତି, ‘ରାଜନୈତିକ ବିତର୍କରେ ସମଗ୍ର ବିଶ୍ୱରେ ଏମିତି କିଛି ସୀମା ରହିଛି ଯାହାକୁ କେବେ ବି ଅତିକ୍ରମ କରିବା ଉଚିତ ନୁହେଁ । ସବୁ ପ୍ରକାର ଘୃଣା ଓ ହିଂସା ବିରୋଧରେ ଆମକୁ ଏକଜୁଟ ହେବାକୁ ପଡ଼ିବ। ଟ୍ରମ୍ପ୍‌ଙ୍କ ପାଇଁ ଆମର ଗଭୀର ସମବେଦନା। ରୁଷ୍‌ ସରକାରଙ୍କ ପ୍ରମୁଖ ମୁଖପାତ୍ର ଦିମିତ୍ରୀ ପେସ୍କୋଭ କହିଛନ୍ତି ଯେ ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ ପାଇଁ ବର୍ତ୍ତମାନର ଆମେରିକୀୟ ପ୍ରଶାସନ ଦାୟୀ ବୋଲି ରୁଷ୍ ବିଶ୍ୱାସ କରୁନଥିଲେ ମଧ୍ୟ ଏହା ଏଭଳି ଏକ ବାତାବରଣ ସୃଷ୍ଟି କରିଛି ଯାହା ଆକ୍ରମଣକୁ ଉତ୍ସାହିତ କରିଥିଲା। ୟୁକ୍ରେନ ରାଷ୍ଟ୍ରପତି ବୋଲ୍‌ଡିମିର ଜେଲେନସ୍କି କହିଛନ୍ତି ଯେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ତାଙ୍କ ରାଲିରେ ଗୁଳିମାଡ଼ ଖବର ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଛି। ଏଭଳି ହିଂସାର କୌଣସି ଯଥାର୍ଥତା ନାହିଁ।